ଫନି ଆଳରେ ଭୁବନେଶ୍ବର ଉଠେଇ ନେଲେ ଆର‌୍‌ଏମ୍‌ଏସ୍‌ ଅଫିସ, ଆଜିଠୁ ରାଜ୍ୟର ସମସ୍ତ ଆର‌୍‌ଏମ୍‌ଏସ୍‌ କାର୍ଯ୍ୟାଳୟ ଆଗରେ ଧାରଣା

କଟକ : ଭାରତୀୟ ରେଳବାଇର କଟକରେ ଥିବା ଡାକ ସେବା (ଆର‌୍‌ଏମ୍‌ଏସ୍‌) କାର୍ଯ୍ୟାଳୟ ଶେଷରେ ଭୁବନେଶ୍ବରକୁ ଉଠିଗଲା। ମଙ୍ଗଳବାରଠୁ କଟକ କାର୍ଯ୍ୟାଳୟ ଭୁବନେଶ୍ବର ମଞ୍ଚେଶ୍ବରସ୍ଥିତ ପୋଷ୍ଟାଲ ପ୍ରିଣ୍ଟି˚ କ୍ୟାମ୍ପସ୍‌ରେ କାର୍ଯ୍ୟ କରିବ। ଏନେଇ ଆଜି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ବିଜ୍ଞପ୍ତିରେ ଏହି କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଉଥିବା ଦର୍ଶାଯାଇଛି। ଫନି ଯୋଗୁଁ କଟକ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ଏଠାକାର କର୍ମଚାରୀଙ୍କୁ ଭୁବନେଶ୍ବରର ପୋଷ୍ଟାଲ ପ୍ରିଣ୍ଟି˚ ପ୍ରେସ୍‌ କ୍ୟାମ୍ପସ୍‌ରେ ମଙ୍ଗଳବାରଠୁ କାର୍ଯ୍ୟାରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ଲଗାଯାଇଥିବା ନୋଟିସ୍‌ ବୋର୍ଡରୁ ଏହି କାର୍ଯ୍ୟାଳୟକୁ ସ୍ଥାୟୀ ଭାବେ ଉଠାଇ ନିଆଯାଉଥିବା ଦେଖିବାକୁ ମିଳିଛି। ଫନି ଯୋଗୁଁ କୋଠା ବିପଦଶଙ୍କୁଳ ଅବସ୍ଥାରେ ଅଛି। ଏହାର ମରାମତି କରାଯିବା ଭଳି ସ୍ଥିତି ନାହିଁ। ଏଥିଯୋଗୁଁ କାର୍ଯ୍ୟାଳୟକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିବା ନୋଟିସ୍‌ ବୋର୍ଡରେ ଦର୍ଶାଯାଇଛି। ଏହାକୁ ନେଇ ଏବେ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲାବେଳେ ଆସନ୍ତାକାଲିଠୁ ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ଆର‌୍‌ଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାକୁ କର୍ମଚାରୀମାନେ ଘୋଷଣା କରିଛନ୍ତି। ଯୋଜନାବଦ୍ଧ ଭାବେ କାର୍ଯ୍ୟାଳୟକୁ କଟକରୁ ଉଠାଇ ନିଆଯାଉଛି। ଫନି କେବଳ ଏକ ବାହାନା। ବାତ୍ୟାରେ କେବଳ ପାଚେରୀ ଭାଙ୍ଗି ପଡ଼ିଥିଲାବେଳେ ଅଳ୍ପ କିଛି ଆଜବେଷ୍ଟସ୍‌ ଉଡିଯାଇଛି। ହେଲେ କୋଠା ଅସୁରକ୍ଷିତ ବାହାନା ଦର୍ଶାଇ ଏଠାରୁ କାର୍ଯ୍ୟାଳୟକୁ ହଟାଇ ଦିଆଯାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ବଡ଼ ରେଳଡାକ ସେବା କୁହାଯାଉଥିବା ମାଛୁଆବଜାରସ୍ଥିତ କଟକ ଆର‌୍‌ଏମ୍‌ଏସ୍‌ ଡିଭିଜନ୍‌ କାର୍ଯ୍ୟାଳୟକୁ ବିପଦଶଙ୍କୁଳ ଦର୍ଶାଇ ଗତବର୍ଷରୁ ଏହାକୁ ଭୁବନେଶ୍ବର ଉଠାଇନେବାକୁ ମସୁଧା ଚାଲିଥିଲା। କିନ୍ତୁ କର୍ମଚାରୀମାନଙ୍କର ତିନି ସ˚ଘ ମିଳିତ ଭାବେ ଏହାକୁ ବିରୋଧ କରିବାରୁ ନିଷ୍ପତ୍ତି ସ୍ଥଗିତ ହୋଇଥିଲା। ଏ ସ˚କ୍ରାନ୍ତରେ ଗତବର୍ଷ ଅକ୍ଟୋବର ୨୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କଟକରୁ ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟକୁ ଭୁବନେଶ୍ବର ଉଠାଇ ନିଆଯାଉଥିବା ପ୍ରତିବାଦରେ ସହରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏବେ ଫନି ପରେ ପୁଣି ଥରେ ଆର‌୍‌ଏମ୍‌ଏସ୍‌ କୋଠା ବିପଦଶଙ୍କୁଳ ଦର୍ଶାଇ ଏହାକୁ ଉଠାଇନେବାକୁ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ କୋଠା ସ˚ପୂର୍ଣ୍ଣ ଭାବେ ସୁରକ୍ଷିତ। କେବଳ କିଛି ଆଜବେଷ୍ଟସ ଉଡିଯିବା ଓ ପାଚେରୀ ଭାଙ୍ଗିଯିବାକୁ ଯଦି କତ୍ତୃର୍ପକ୍ଷ ଅସୁରକ୍ଷିତ ବୋଲି ଭାବୁଛନ୍ତି, ତାହାଲେ ଏହା ତାଙ୍କର ଦୂରଦୃଷ୍ଟିର ଅଭାବ ବୋଲି କର୍ମଚାରୀମାନେ କହିଛନ୍ତି। କଟକରେ ନୂଆ କୋଠା ନିର୍ମାଣ ପାଇଁ ଅନେକ ସ୍ଥାନ ଥିଲେ ବି ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏଭଳି ସ୍ଥିତିରେ ହଠାତ୍‌ ଭୁବନେଶ୍ବରକୁ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ୫୦୦ରୁ ଅଧିକ କର୍ମଚାରୀମାନେ ଅନେକ ସମସ୍ୟାରେ ପଡିବେ ବୋଲି କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର