କଟକ-ଜଗତପୁର: ୪୮ ନଂ ୱାର୍ଡ ପୁରୁଣା ଜଗତପୁର ଗ୍ରାମର ଅନ୍ୟତମ ମୁଖ୍ୟ ପଟ୍ଟାମୁଣ୍ଡାଇ କେନାଲ୍‌ ରାସ୍ତା ଦୀର୍ଘବର୍ଷରୁ ବିପର୍ଯ୍ୟସ୍ତ ଏବଂ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷାଣବେକ୍ଷଣ ଓ ମରାମତି ଅଭାବରୁ ରାସ୍ତାଟି ସଂକୁଚିତ ହେବା ସହ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା କାରଣରୁ ରାସ୍ତାକୁ ନେଇ ଅଞ୍ଚଳବାସୀଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଗତପୁର ମହାନଦୀ ବ୍ୟାରେଜ୍‌ ଠାରୁ ପ୍ରାୟ ୨ କିମି ଦୂରରେ ମୁଖ୍ୟ କେନାଲରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ୍‌ର ପ୍ରବେଶଦ୍ୱାର (୬ ପୋଲିଆ) ଠାରୁ ରେଳଧାରଣା ପର୍ଯ୍ୟନ୍ତ ପ୍ରାୟ ୫ଶହ ମିଟର ରାସ୍ତାର ଉଭୟପାର୍ଶ୍ୱ ସଂକୁଚିତ ହେବା ସହିତ ନଷ୍ଟ ହୋଇଗଲାଣି। ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଓ ହାର୍ଡ ମେଣ୍ଟାଲ୍‌ ଉଠିଯାଇ ଖାଲଖମା ହୋଇଛି। ସଂକୁଚିତ ରାସ୍ତାରେ ଏକ ସମୟରେ ଦୁଇଟି ଚାରିଚକିଆ ଅତିକ୍ରମ କରିବା ସମ୍ଭବ ହେଉ ନାହିଁ। ଦୁଇ ଓ ତିନିଚକିଆ ଗାଡ଼ି ଯାତାୟତ ସମୟରେ ସାମାନ୍ୟ ଅସାବଧାନ ହେଲେ ୧୫ ଫୁଟ୍‌ ତଳକୁ ଖସିପଡ଼ିବାର ଆଶଙ୍କା ରହିଛି। ଅତୀତରେ ଏକାଧିକ ବାର ଏଠାରେ ଦୁର୍ଘଟଣା ଘଟିଛି। ଏହି କେନାଲ୍‌ ବନ୍ଧ ରାସ୍ତା ଯୋଗୁଁ ମଙ୍ଗଳାସାହିର ୩୦ରୁ ଅଧିକ ପରିବାର ତଥା କୁବେରସାହି ଓ ଖଣ୍ଡାୟତସାହିର ୫୦ରୁ ଅଧିକ ପରିବାର ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ପାଇଁ ସାହିବାସିନ୍ଦାମାନେ ବହୁବାର ଆପତ୍ତି, ଅଭିଯୋଗ କରି ବିଫଳ ହୋଇଥିବା କହିଛନ୍ତି।
ଏ ସମ୍ପର୍କରେ ମହାନଦୀ ଉତ୍ତର ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ବେହେରାଙ୍କୁ ପଚାରିବାରେ, ଉକ୍ତ ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ୱାନ କରାଯାଇ ମାସକ ଭିତରେ କାର୍ଯ୍ୟାଦେଶ ମିଳିବ ବୋଲି କହିଛନ୍ତି। ଅପରପକ୍ଷରେ, ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାରେ ବିଳମ୍ବ କରିଲେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।