କଟକ: ମେୟରଙ୍କ କ୍ବାର୍ଟର୍ସ ପାଇଁ ସବୁ ନିୟମ, ଆଇନକାନୁନକୁ ମୋଡ଼ି ମକ୍ଚି ଫିଙ୍ଗି ଦେଲ! ଐତିହାସିକ ବାରବାଟୀ ଦୁର୍ଗ ଚାରିପଟେ ରହିଥିବା ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସାମନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଗୋଟିଏ ପଟେ ଗଡ଼ଖାଇର ପୁନରୁଦ୍ଧାର ପାଇଁ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟୟ ହୋଇ ସାରିଛି। ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ ବି ହେଉଛି। ଏଭଳି ସ୍ଥିତିରେ କେଉଁ କାରଣରୁ ଏବଂ କାହାର ସ୍ବାର୍ଥରେ ଗଡ଼ଖାଇକୁ ପୋତି ରାସ୍ତା ତିଆରି କରାଯାଉଛି, ତାହାକୁ ନେଇ ଏକ ବିରାଟ ପ୍ରଶ୍ନ ମୁଣ୍ଡ ଟେକିଛି। କଟକ ମେୟରଙ୍କ ସରକାରୀ କ୍ବାର୍ଟର୍ସ ପାଇଁ ଯେଉଁ ଘରକୁ ଏବେ ପ୍ରସ୍ତୁତ କରାଯାଉଛି (ଏସ୍ଓ-୬), ଠିକ୍ ତା’ର ସାମନାରେ ଗଡ଼ ଖାଇକୁ ପୋତି ସିଧାସଳଖ ମହାନଦୀ ରିଂ ବନ୍ଧଙ୍କୁ ସଂଯୋଗ କରି ରାସ୍ତା ତିଆରି ଆରମ୍ଭ ହୋଇଛି। ଦୁଇ ପଟେ ବାଲିବସ୍ତା ଦିଆଯାଇ ମଝିରେ ମାଟି ପକାଇ ସମତୁଲ କରାଯାଉଛି। ମହାନଦୀ ରିଂ ବନ୍ଧରୁ ମେୟରଙ୍କ ସରକାରୀ କ୍ବାର୍ଟର୍ସରେ ସିଧା ପହଞ୍ଚିବା ପାଇଁ ଚାରି ଚକିଆ ଗାଡ଼ି ଗଲା ଭଳି ମଜବୁତ୍ ରାସ୍ତା ନିର୍ମାଣ ଚାଲିଛି। ସବୁ ନିୟମ, ଆଇନକାନୁନକୁ ଜଳାଞ୍ଜଳି ଦେଇ ଏଭଳି କାମ ପାଇଁ କିଏ ଅନୁମତି ଦେଇଛି, ଏଏସ୍ଆଇ ଏ ପ୍ରସଙ୍ଗରେ କାହିଁକି ନିରବ ରହିଛି, ତାହା ଏବେ ଏକ ବଡ଼ ବିବାଦର କାରଣ ହୋଇଛି। ପ୍ରଶାସନ କାହା ନିର୍ଦ୍ଦେଶରେ ଏବେ ଏଭଳି କାର୍ଯ୍ୟ କରୁଛି, ତାହା ବି ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।
ତଥ୍ୟ ଅନୁଯାୟୀ ବାରବାଟୀ କିଲ୍ଲା ପରିସରରେ ଅନେକ ସରକାରୀ କ୍ବାର୍ଟର୍ସ ରହିଥିବା ବେଳେ ସେଠାରେ ବହୁ ବରିଷ୍ଠ ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ବିଚାରପତି ମାନେ ରହି ଆସୁଛନ୍ତି। ଏମିତିକି ବାରବାଟୀ କିଲ୍ଲା ପରିସରରେ ପୂର୍ବରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ବାର୍ଟର୍ସ ବି ରହିଥିଲା। କିନ୍ତୁ ଏହି ଐତିହାସିକ ସଂରକ୍ଷିତ ଅଞ୍ଚଳ ବିଭିନ୍ନ ନିୟମ ପରିସରଭୁକ୍ତ ହେବା ପରେ ମୁଖ୍ୟ ବିଚାରପତିଙ୍କ କ୍ବାର୍ଟର୍ସକୁ କ୍ୟାଣ୍ଟନମେଣ୍ଟ୍ ରୋଡ୍କୁ ଉଠାଇ ନିଆଯାଇ, ପୁରୁଣା କ୍ବାର୍ଟର୍ସକୁ ଏକ ମ୍ୟୁଜିୟମରେ ପରିଣତ କରାଯାଇଛି। କିଲ୍ଲା ପରିସରରେ ରହିଥିବା ବରିଷ୍ଠ ଅଧିକାରୀ ମାନଙ୍କ କ୍ବାର୍ଟର୍ସ ସ୍ଥାନାନ୍ତର ପାଇଁ ମଧ୍ୟ ବିଭିନ୍ନ ସମୟରେ ଯୋଜନା ହୋଇ ଆସିଛି। କିନ୍ତୁ ନିକଟରେ କଟକ ପୌର ନିଗମର କମିସନର ଭାବେ ଯୋଗ ଦେଇଥିବା ଆଇଏଏସ୍ ଅଧିକାରୀ ନିଖଲ୍ ପୱନ୍ କଲ୍ୟାଣ କିଲ୍ଲା ପରିସର ସରକାରୀ କ୍ବାର୍ଟର୍ସରେ ରହୁଥିବା ବେଳେ ମେୟର ସୁବାସ ଚନ୍ଦ୍ର ସିଂହଙ୍କ ପାଇଁ ଏସ୍ଓ-୬କୁ ପ୍ରସ୍ତୁତ କରାଯାଉଛି। କିନ୍ତୁ ମେୟରଙ୍କ ପାଇଁ କ୍ବାର୍ଟର୍ସର ଆଧୁନିକୀକରଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ବର ଉଠିଥିବା ବେଳେ କ୍ବାର୍ଟର୍ସ ପରିସରରେ ଏକ ସମ୍ମିଳନୀ କକ୍ଷ ନିର୍ମାଣର ଆଇନଗତ ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଏସ୍ଆଇ ସଂରକ୍ଷିତ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣର ଢାଞ୍ଚା ବଦଳାଇବାକୁ ହେଲେ ଏଥିପାଇଁ ପ୍ରାକ୍ ସ୍ବୀକୃତି ଆବଶ୍ୟକ। କିନ୍ତୁ ବଗିଚା ପାଇଁ ଉଦ୍ଦିଷ୍ଟ ଅଞ୍ଚଳରେ ସମ୍ମିଳନୀ କକ୍ଷ ନିର୍ମାଣ ବିବାଦ ଭିତରେ ରହିଥିବା ବେଳେ ଏବେ ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଘଟଣା ସବୁ ସୀମାକୁ ପାର୍ କରିଯାଇଛି। ଦୀର୍ଘ ଦିନରୁ କିଲ୍ଲା ପରିସରରେ ମୁଖ୍ୟ ବିଚାରପତି, ବିଚାରପତି, ବରିଷ୍ଠ ପୁଲିସ, ପ୍ରଶାସନିକ ଅଧିକାରୀ ରହି ଆସୁଥିଲେ ବି ଗଡ଼ଖାଇକୁ ପୋତି ରାସ୍ତା କରିବାର ଉଦ୍ୟମ ହୋଇ ନଥିବା ବେଳେ ଏବେ ଏଭଳି କାର୍ଯ୍ୟ ପଛରେ କି ରହସ୍ୟ ଅଛି ତାହାକୁ ନେଇ ବି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG_20220923_234610.jpg)