ବିଦ୍ୟାଧରପୁର: ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ପ୍ରେସଛକକୁ ଯିବା ରାସ୍ତାର ଡାହାଣପଟେ ଥିବା ଦରଖାପାଟଣା ପ୍ରବେଶ ପଥରେ ଅଟକି ରହିଥିବା ଡ୍ରେନ୍‌କୁ ପୂର୍ତ୍ତ ବିଭାଗ ପକ୍ଷରୁ ଖୋଳା ଯାଉଛି। ଏହି ଡ୍ରେନ ନୂଆପଡ଼ା ଇଉକୋ ବ୍ୟାଙ୍କ ପାଖରେ ଅଧାଖୋଳା ଡ୍ରେନ ସହିତ ମିଶିବ ବୋଲି ଯୋଜନା ରହିଛି। ତେବେ, ରାସ୍ତା ତଳେ ୧୧କେଭି ବିଦ୍ୟୁତ କେବୁଲ୍‌ ଯାଇଥିବା ଏହି ରାସ୍ତାରେ ଡ୍ରେନ୍‌ ଖୋଳାଯିବା ବେଳେ ବିରାଟ ଅଘଟଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଶ୍ରମିକମାନେ। ଅପର‌ପକ୍ଷେ, କେବୁଲ୍‌ କଟିବା କାରଣରୁ ଏହି ଅଞ୍ଚଳର ୫ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ୮ଘଣ୍ଟଶ ଅନ୍ଧାରରେ ରହିବାକୁ ପଡ଼ିଛି। ଏହି ଅଞ୍ଚଳରେ ମୁଖ୍ୟରାସ୍ତାଠାରୁ ‌‌‌‌‌‌‌‌‌‌୨୫ ଫୁଟ୍‌ ପର୍ଯ୍ୟନ୍ତ ମୂଳ ଡ୍ରେନ୍‌ ଥିବା ସ୍ଥାନୀୟ ବାସିନ୍ଦା ମହେନ୍ଦ୍ର ମହାନ୍ତି, ପ୍ରଭାତ ଚନ୍ଦ୍ର ରଥ ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ କୁହନ୍ତି। ସେଇ ଡ୍ରେନ ବାଟେ ପାଣି ନିଷ୍କାସନ ହେଉଥିଲା, କୈାଣସି ସମସ୍ୟା ହେଉ ନ ଥିଲା। କାଳକ୍ରମେ କିଛି ଲୋକ ସମ୍ମୁଖ ଜମି କିଣି ଉକ୍ତ ଡ୍ରେନକୁ ପୋତି ଘର, ବ୍ୟବସାୟ କରିବା ସହ ଗାଡିମଟର ପାର୍କିଂ ପାଇଁ ବ୍ୟବହାର କଲେ। ଫଳରେ ଏହି ଅଞ୍ଚଳରେ ଏବେ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଏବେ ପୂର୍ତ୍ତବିଭାଗ ମୁଖ୍ୟରାସ୍ତା ପାର୍ଶ୍ବରୁ ଡ୍ରେନ ଖୋଳିବା ଆରମ୍ଭ କରି ଦରଖାପାଟଣା ପ୍ରବେଶ ପଥରେ ଅଟକିଛି। କେବୁଲ୍‌ କଟିବା କାରଣରୁ ଏହି ସମସ୍ୟା ଦେଖା ଦେଇଛି। ଶିଳ୍ପାଞ୍ଚଳ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୀବ ସ୍ବାଇଁ କହିଛନ୍ତି, ପୂର୍ତ୍ତବିଭାଗ ଖୋଳୁଥିବା ଡ୍ରେନ୍‌ର ୫ଫୁଟ ତଳେ ୧୧ କେଭିର ଦୁଇଟି କେବୁଲ ତିନିଘରିଆ ଆଡ଼େ ଯାଇଛି।

Advertisment

ଆମେ ଏ ସଂକ୍ରାନ୍ତରେ ପୂର୍ବରୁ ପୂର୍ତ୍ତବିଭାଗକୁ ଚିଠି ମାଧ୍ୟମରେ ଅବଗତ କରିଛୁ। ତଳେ କେବୁଲ୍ ଉପରେ ଡ୍ରେନ ପାଣି ଗଲେ ‘ଫଲ୍‌ଟ’ ବାହାରିବା ନିଶ୍ଚିତ। ଡ୍ରେନ୍‌ ଉପରେ ସ୍ଲାବ ପଡ଼ିଗଲା ପରେ ଲୋକମାନେ ଦୋକାନ ଖୋଲିବାର ବି ସମ୍ଭାବନା ରହିଛି। ସେତେବେଳେ ଯଦି କେବୁଲ୍‌ରେ ‘ଫଲ୍‌ଟ’ ବାହାରି କେତେବେଳେ ବିସ୍ଫୋରଣ ଅଥବା ସର୍ଟସର୍କିଟ୍‌ ହୁଏ ତେବେ ଜୀବନ ହାନି ହେବାର‌ ଆଶଙ୍କା ରହିଛି। ଲୋକମାନେ ତ ଅନ୍ଧାରରେ ରହିବେ, ଆମେ ଡ୍ରେନ ପାଣିରେ କେମିତି ତାର ସଜାଡିବୁ? ଆମେ ବାରଣ କରିବା ସତ୍ତ୍ୱେ ପୂର୍ତ୍ତବିଭାଗ ନ ମାନି ଡ୍ରେନ ଖୋଳିବା ସମୟରେ କେବୁଲ୍‌ରେ ଦାଢୁଆ ଅସ୍ତ୍ର ବାଜି ୩ ଜାଗାରେ କେବୁଲ୍ କଟିଛି। ଯାହା ଫଳରେ ନୂଆପଡ଼ା ତିନିଘରିଆ ପର୍ଯ୍ୟନ୍ତ ୫ ହଜାର ବିଦ୍ୟୁତ ଉପଭୋକ୍ତା ୧୦ ଘଣ୍ଟା ଅନ୍ଧାରରେ ରହିଲେ। ଭାଗ୍ୟ ଭଲ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଲେ ଶ୍ରମିକ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପିନାକୀ ପ୍ରସାଦ ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସମ୍ପର୍କରେ ଅବଗତ ଅଛୁ। ବର୍ତ୍ତମାନ ସ୍ଥିତି ଏଭଳି ଯେ, ସରକାରୀ ରାସ୍ତା ସବୁ ଜବରଦଖଲ। ଆମେ ପଛକୁ ହଟିଲେ ଲୋକମାନେ ଦୋକାନ, ଘର ଓ ଦେବସ୍ଥାନ ନିର୍ମାଣ କରି ଦେଉଛନ୍ତି। ଆମେ ପ୍ରଶାସନକୁ ଅବଗତ କରାଇଛୁ। ଜବରଦଖଲ ନ ହଟିଲେ ଡ୍ରେନ୍‌ ନିର୍ମାଣ କରିବା ବିପଦପୂର୍ଣ୍ଣ। ବିଦ୍ୟୁତ ବିଭାଗ ଠିକ୍ କହୁଛି, କିନ୍ତୁ  ଆମ ଉପରେ ଚାପ ପଡୁଛି। ଡ୍ରେନ ନିର୍ମାଣ ଶୀଘ୍ର ସାରିବାକୁ ନିର୍ଦେଶ। ଏପଟେ ବିପଦ, ସେପଟେ ନିର୍ଦେଶ, କଣ କରିବୁ? ଏହାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।