ବକ୍ସି ବଜାରରୁ ବାରବାଟୀ ଷ୍ଟାଡିୟମ୍‌ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ, ଗୋଟିଏ ରାସ୍ତାକୁ ୫ ବର୍ଷରେ ୭ ଥର ଖୋଳିଲାଣି ଜାଇକା

କଟକ: ଗୋଟିଏ ରାସ୍ତାକୁ ୫ ବର୍ଷରେ ୭ରୁ ଅଧିକ ଥର ଖୋଳି କାମ କଲାଣି ଜାଇକା। ସବୁ ଥର କାମ ଶେଷ ହେବା ପରେ ନୂଆ ରାସ୍ତା କରାଯାଉଛି। ଏହାର କିଛି ଦିନ ପରେ ବାକି ଥିବା କାମ କରିବା ସହ ଶେଷ ହୋଇଥିବା କାମରେ ତ୍ରୁଟି ଦର୍ଶାଇ ପୁଣି ରାସ୍ତା ଖୋଳି କାମ କରୁଛି ଜାଇକା। ଅନ୍ୟପଟେ ପାଇପ ବିଛା ଓ ଚ୍ୟାମ୍ବର କାମ ଶେଷ ହେବା ପରେ ବି ଦୀର୍ଘ ମାସ ଧରି ରାସ୍ତା ମରାମତି ନ କରି ଜାଇକା ପକାଇ ରଖୁଛି। ମହାନଗର ନିଗମ ୧୫ ନମ୍ବର ଵାର୍ଡ କଳାବିକାଶ କେନ୍ଦ୍ର ରାସ୍ତାରେ ଜାଇକା ଏପରି କାମ କରୁଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ବକ୍ସି ବଜାର ଅଞ୍ଚଳର ପାନ୍ଥନିବାସ, ନାରୀସେବା ସଦନ, କିଲ୍‌ଖାନା ଆଦି ରସ୍ତା ଦୀର୍ଘ ମାସ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଛି। ସହରରେ ଜାଇକା ପ୍ରକଳ୍ପ ଚାଲିଥିବା ବେଳେ କଳା ବିକାଶ କେନ୍ଦ୍ର ରାସ୍ତାରେ ୨୦୧୭ ଅଗଷ୍ଟରେ ଜାଇକା ଚ୍ୟାମ୍ବର ଓ ପାଇପ ବିଛା କାମ ଆରମ୍ଭ କରିଥିଲା। ଗତ ମାର୍ଚ୍ଚରେ ଏଠାରେ ଶେଷ ଥର ପାଇଁ କାମ ହୋଇଥିଲା। ଯେଉଁଥିରେ ପୁରୁଣା ଚ୍ୟାମ୍ବରକୁ ଖୋଲି ମରାମତି କାମ ହୋଇଥିଲା। ମାତ୍ର କାମ ଶେଷ ହେବାର ୩ ମାସ ପରେ ବି ରାସ୍ତା ମରାମତି କରାଯାଇ ନାହିଁ। ଉକ୍ତ ରାସ୍ତାରେ ବିଛା ଯାଇଥିବା ପାଇପକୁ ମରାମତି କରିବା, ପାଇପରୁ ସ୍ଥାନୀୟ ଲୋକଙ୍କ ଘରକୁ ସଂଯୋଗ ଦେବା ଆଦି କାମ ବାରମ୍ବ କରାଯାଉଛି।

ଗତ ୫ ବର୍ଷ ମଧ୍ୟରେ ଏଠାରେ ଜାଇକା ପକ୍ଷରୁ ୭ରୁ ଅଧିକ ଥର ରାସ୍ତା ଖୋଳି କାମ କରାଯାଉ ଥିଲେ ବି ଏହା ଆଜି ସୁଦ୍ଧା ଶେଷ ହୋଇ ପାରିଲା ନାହିଁ। ଉକ୍ତ ରାସ୍ତାଟିକୁ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟବହାର କରିଥାନ୍ତି। ବର୍ଷର ସବୁ ସମୟରେ ଏଠାରେ ଜାଇକା କାମ କରୁଥିବାରୁ ଛାତ୍ରଛାତ୍ରୀଙ୍କ ଚଳପ୍ରଚଳରେ ବହୁ ସମସ୍ୟା ହେଉଛି। ଅନ୍ୟପଟେ ବକ୍ସି ବଜାର ଅଞ୍ଚଳର ପାନ୍ଥନିବାସ, କିଲ୍‌ଖାନା ନାରୀ ସେବା ସଦନ ଆଦି ରାସ୍ତାରେ ଦୀର୍ଘ ମାସ ଧରି ରାସ୍ତା ଖରାପ ହୋଇ ପଡିଛି। ଏହାର ମରାମତି ପାଇଁ ବରମ୍ବାର ଦାବି ହୋଇ ଆସୁଥିବା ବେଳେ ଏହାର ମରାମତି ପାଇଁ ଆରଆଣ୍ଡବି ପକ୍ଷରୁ ଉଦ୍ୟମ କରାଯାଉ ନଥିବା ଅଭିଯୋଗ ‌ହୋଇଛି। ଆସନ୍ତା ଜୁନ୍‌ ୧୨ରେ ବାଟବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ହେବ। ଉକ୍ତ ରାସ୍ତା ଗୁଡିକ ଷ୍ଟାଡିୟମକୁ ସଂଯୋଗ କରୁଥିବାରୁ ସେଗୁଡିକର ମରାମତି ଖେଳ ପୂର୍ବରୁ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର