କଟକ: ରାତି ପାହିଲେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଖେଳ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳକୁ ସଜା ଯାଉଛି। ଖାଲଢିପ ରାସ୍ତାର ମରାମତି ହେଉଛି। ମହାନଦୀ ରିଂ-ବନ୍ଧ ରାସ୍ତାପାର୍ଶ୍ବ ପାଚେରି, ତାର ଜାଲି, ଡିଭାଇଡର୍କୁ ରଙ୍ଗ କରାଯାଉଛି। ମାତ୍ର ଷ୍ଟାଡିୟମ୍କୁ ସଂଯୋଗ କରୁଥିବା କଳାବିକାଶ କେନ୍ଦ୍ରର ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଖେଳ ଦେଖିବାକୁ ଷ୍ଟାଡିୟମ୍କୁ ଆସୁଥିବା ଦର୍ଶକଙ୍କ ପାଇଁ ଏହା ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହାର ମରାମତି ନହେବା ପ୍ରଶାସନର ଅଧାପନ୍ତରିଆ ପ୍ରସ୍ତୁତିକୁ ପଦାରେ ପକାଉଛି। ଅନ୍ୟପଟେ ସିଏମ୍ସି ମେୟର ୧୫ ଦିନରେ ସହରର ରାସ୍ତାକୁ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ମଧ୍ୟରେ ୨୦ ଦିନରୁ ଅଧିକ ଦିନ ବିତିଯାଇଥିଲେ ବି କେବିକେ ରାସ୍ତାର ମରାମତି ନହେବା ପ୍ରଶାସନର ଆଭ୍ୟନ୍ତରୀଣ ସମସ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସୂଚନାଯୋଗ୍ୟ, ସିଏମ୍ସି ୧୫ ନମ୍ବର ୱାର୍ଡର କଳାବିକାଶ କେନ୍ଦ୍ରର ରାସ୍ତାକୁ ଗତ ୫ବର୍ଷରେ ଜାଇକା ୭ର ଖୋଲି କାମ କରିଛି। ସବୁଥର କାମ ଶେଷ ହେବା ପରେ ନୂଆ ରାସ୍ତା କରାଯାଉଛି। ହେଲେ ଶେଷ ହୋଇଥିବା କାମରେ ତ୍ରୁଟି ଦର୍ଶାଇ ପୁନର୍ବାର ରାସ୍ତା ଖୋଳି କାମ କରୁଛି ଜାଇକା। ଉକ୍ତ ରାସ୍ତାରେ ୨୦୧୭ ଅଗଷ୍ଟରେ ଜାଇକା ଚ୍ୟାମ୍ବର୍ ଓ ପାଇପ୍ ବିଛା କାମ ଆରମ୍ଭ କରିଥିଲା।
ଗତ ମାର୍ଚ୍ଚରେ ଏଠାରେ ଶେଷଥର ପାଇଁ କାମ ହୋଇଥିଲା। ଯେଉଁଥିରେ ପୁରୁଣା ଚ୍ୟାମ୍ବର୍କୁ ଖୋଲି ମରାମତି କରାଯାଇଥିଲା। ମାତ୍ର କାମ ଶେଷ ହେବାର ୪ ମାସ ପରେ ବି ରାସ୍ତା ମରାମତି କରାଯାଇ ନାହିଁ। ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ ଷ୍ଟାଡିୟମକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ମରାମତି କରାଯାଉଛି। ବକ୍ସିବଜାରରୁ କ୍ୟଣ୍ଟନମେଣ୍ଟ ରୋଡ୍, ବିଜୁ ପଟ୍ଟନାୟକ ଛକରୁ ଷ୍ଟାଡିୟମ୍, ଶିଖରପୁରଠାରୁ ଚହଟା ଗୋଲେଇ ଛକ ରିଂ-ବନ୍ଧ ରାସ୍ତା, ହାଓଡ଼ା ମଟର୍ସ ଛକରୁ ଷ୍ଟାଡିୟମ୍ ଛକ ସହ ବାରବାଟୀ ନିକଟରେ ଥିବା ବିଭିନ୍ନ ଗଳିକନ୍ଦି ରାସ୍ତାକୁ ମଧ୍ୟ ମରାମତି କରାଯାଇଛି। ହେଲେ ଷ୍ଟାଡିୟମ ରାସ୍ତାକୁ ସଂଯୋଗ କରୁଥିବା କେବିକେ ରୋଡ୍ର ମରାମତି କାମ କରାଗଲା ନାହିଁ। ରାସ୍ତାରେ ବଡ଼ ବଡ଼ ଖାଲ ହେବା ସହ ଜାଇକା ଚ୍ୟାମ୍ବର୍ ଦବିବା ପରି ଅଘଟଣ ଦେଖିବାକୁ ମିଳୁଛି। ଖେଳ ପାଇଁ ଏହାକୁ ଅନ୍ୟ ରାସ୍ତା ପରି ମରାମତି କରାଯିବ ବୋଲି ଆଶା କରାଯାଉଥିଲା। ମାତ୍ର ଏହାର ମରାମତି ଦିଗରେ ସିଏମ୍ସି କିମ୍ବା ଆର୍ ଆଣ୍ଡ ବି ପକ୍ଷରୁ ଉଦ୍ୟମ କରାଗଲା ନାହିଁ। ଅନ୍ୟପଟେ ଗତମାସ ୧୩ ତାରିଖରେ ସିଏମ୍ସି କାଉନ୍ସିଲ୍ରେ ୧୫ ଦିନ ମଧ୍ୟରେ ସମସ୍ତ ରାସ୍ତାର ମରାମତି କରିବାକୁ ମେୟର୍ ସୁବାସ ସିଂହ କହିଥିବା ବେଳେ ଏହା ମଧ୍ୟରେ ୨୨ ଦିନ ବିତି ଯାଇଥିବା ବେଳେ ଉକ୍ତ ରାସ୍ତାର ମରାମତି କାମ ହୋଇ ପାରିଲା ନାହିଁ।