କଟକ: ମିଲେନିୟମ ସିଟି କଟ‌କରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରସଂଗକୁ ନେଇ ଦାୟର ମାମଲାରେ ସିଏମସି ଓ ରାଜ୍ୟ ସରକାରଙ୍କ ନିକଟରୁ  ଜବାବ ତଲବ କରିଛନ୍ତି  ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାସ୍ତାଘାଟ ମରାମତି ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ଜନସ୍ବାର୍ଥ ଆବେଦନ ସହିତ ଗତ ଜାନୁଆରିରୁ ବିଚାରାଧୀନ ଥିବା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ମାମଲାର ଆଜି ଏକତ୍ର ଶୁଣାଣି ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି। ଆଇନଜୀବୀ ମହାପାତ୍ର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ କଟକ ସହରର ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ତୁରନ୍ତ ମରାମତି ଆବଶ୍ୟକ।

ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାକୁ ବହୁ ସମୟ ଲାଗୁଛି। ରାସ୍ତାଘାଟ ଖରାପ ଥିବାରୁ ଅନେକ ସମୟରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି। ଉଚ୍ଚ କର୍ତ୍ତୃପକ୍ଷ ସବୁ ଜାଣି ନିରବ ରହିଛନ୍ତି। ଆଗକୁ ଦୁର୍ଗାପୂଜା ଥିବା ବେଳେ ରସ୍ତା ମରାମତି କେବେ ହେବ ତାକୁ ନେଇ ସହରବାସୀ ଚିନ୍ତାରେ। କଟକ ସହର ପାଇଁ କୌଣସି ଯୋଜନା କରାଯାଉ ନାହିଁ। କହାର ଆନ୍ତରିକତା ନାହିଁ। ରାସ୍ତା ଘାଟ ଅବସ୍ଥା ଜଳ ଜଳ ହୋଇ ଦୁଶୁଥିବା ବେଳେ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ‌କରୋନା ସଂକ୍ରମଣ ସ୍ଥିତିର ବାହାନା କରି ସିଏମସି ଓ ସରକାର ସହର ରାସ୍ତାଘାଟ ମରାମତି ଓ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ କରୁ ନାହାନ୍ତି ବୋଲି ସେ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ସିଏମସି ଓ ସିଡିଏକୁ ପକ୍ଷଭୁକ୍ତ କରାଯାଇଛି।

ଅନ୍ୟପଟେ ହାଇକୋର୍ଟ କଟକ ସହରର ଓ ସହରବାସୀଙ୍କ ଏପରି ଅବସ୍ଥାକୁ ବିଚାରକୁ ନେଇ ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାରେ ପକ୍ଷଭୁକ୍ତ ପୂର୍ତ୍ତ ସଚିବ, ସିଏମସି କମିସନର, ଓଡ଼ିଶା ୱାଟର ସପ୍ଲାଏ ଆଣ୍ଡ ସ୍ବରେଜ ବୋର୍ଡ ମୁଖ୍ୟ ଯନ୍ତ୍ରୀ, ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ ଓ କଟକ ଆର ଆଣ୍ଡ ବି ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୨୦୨୦, ଜାନୁଆରି ୨୦ରେ ନୋଟିସ୍ ଜାରି କରିଥିଲେ। ଏହି ମାମଲା ଏବେ ବିଚାରାଧୀନ ରହିଛି ।