କଟକ: କଟକ ସହରର ରାସ୍ତାଘାଟ ମରାମତି ପ୍ରସଂଗରେ ସ୍ଥିତି ଅନୁଧ୍ୟାନ କରି ହାଇକୋର୍ଟ ଦ୍ବାରା ନିଯୁକ୍ତ ଆଡଭୋକେଟ କମିଟି ରିପୋର୍ଟ ଦାଖଲ କରିଛି। କେତେକ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଡିସେମ୍ବର ୧୨ ତାରିଖ ଦିନ ଆଡଭୋକେଟ କମିଟି ସଦସ୍ୟଙ୍କ ସହିତ ଆର ଆଣ୍ଡ ବି, ସିଏମସି, ଜାଇକା, ଗେଲ, ୱାଟକୋର ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ସିଡିିଏ ସେକ୍ଟର-୬ ଜୟପ୍ରକାଶ ନାରାୟଣ ପାର୍କରୁ ମର୍କତନଗର ଥାନା ପର୍ଯ୍ୟନ୍ତ ରାସ୍ତା ବ୍ୟବହାର ଯୋଗ୍ୟ ହୋଇ ଆଉ ନାହିଁ ବୋଲି ସ୍ଥିତି ଅନୁଧ୍ୟାନ ସମୟରେ ସ୍ପଷ୍ଟ ହୋଇଥିଲା। ବିଭିନ୍ନ ପାଇପ ଲାଇନ କାମ ପାଇଁ ଏହି ରାସ୍ତା ବାରମ୍ବାର ଖୋଳାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ରାସ୍ତା ମରାମତି ସହିତ ମର୍କତନଗର ଥାନାରୁ ସେକ୍ଟର-୬ ୱିଣ୍ଡ‌ସର ପ୍ୟାଲେସ ରାସ୍ତାର ପ୍ୟାଚ ପକା କାମ ପାଇଁ ଆର ଆଣ୍ଡ ବି ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ମର୍କତନଗର ଥାନାରୁ ଫ୍ୟୁଚର କିଡଜ୍ ସ୍କୁଲ ଓ ସେ‌କ୍ଟର-୭ର କେତେକ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିଛି। ନିୟମିତ ଭାବେ ରାସ୍ତା ସଫେଇ କରାଯାଉ ନାହିଁ। ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସଫେଇ ପାଇଁ ସିଏମସି ଓ ମରାମତି ପାଇଁ ଆର ଆଣ୍ଡ ବି ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ଗସ୍ତ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା।

Advertisment

କୃଷକ ବଜାରରୁ ରିଂବନ୍ଧ ରାସ୍ତା ନୂଆକରି ତିଆରି କରାଯାଇଥିବା ବେଳେ ଏହାର ମଧ୍ୟ ମରାମତି ଆବଶ୍ୟକ। କନିକା ରୋଡ୍‌ରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶ୍ରୀବିହାର କଲୋନି ଦେଇ ଯାଇଥିବା ରାସ୍ତାର ଅବସ୍ଥା ସନ୍ତୋଷଜନକ ନଥିବା ପ୍ରସଂଗରେ ଜାଇକା, ସିଏମସି ଓ ଆର ଆଣ୍ଡ ବି ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ। ଏହି ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଏହି ସବୁ ବିଭାଗର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ରିପୋର୍ଟରେ ବିଜୁ ପଟ୍ଟନାୟକ ଛକ, ଟିଭି ରୋଡ୍, ଦେଉଳସାହି ରାସ୍ତା ପ୍ରସଂଗରେ ମଧ୍ୟ ତଥ୍ୟ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ରିପୋର୍ଟର କପି ସରକାର, ସିଏମସି ଓ ଅନ୍ୟପକ୍ଷଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଜାନୁଆରି ୧୭କୁ ଧାର୍ଯ୍ୟ କରିଛନ୍ତି। ଆଡଭୋକେଟ କମିଟି ରିପୋର୍ଟ ଆଧାରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ସମସ୍ତ ବିଭାଗ ତଥ୍ୟ ଉପସ୍ଥାପନ କରିବେ।
ଆଡଭୋକେଟ କମିଟି ସଦସ୍ୟ ସରୋଜ କୁମାର ପାଢୀ, ସିଦ୍ଧାର୍ଥ ପ୍ରସାଦ ଦାଶ, ଶ୍ରୀଜିତ ମହାନ୍ତି, ପ୍ରବୋଧ ଚନ୍ଦ୍ର ନାୟକ, ପଦ୍ମାଳୟା ମହାପାତ୍ର ପୂର୍ବରୁ ହାଇକୋର୍ଟରେ ଦାଖଲ କରିଥିବା ଅନ୍ତରୀଣ ରିପୋର୍ଟରେ ମରାମତି ଆବଶ୍ୟକ କରୁଥିବା ରାସ୍ତାଘାଟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ କରିଥିଲେ।