କଟକ: ଲିଙ୍କ୍ରୋଡ୍ ସୂର୍ଯ୍ୟ ବିହାରରୁ ମଙ୍ଗଳାବାର ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛନ୍ତି। ୩ ଦିନ ତଳେ ସୂର୍ଯ୍ୟବିହାର ସାମନା ବିଏସଏନଏଲ୍ ଅଫିସ ନିକଟ ଓମ୍ଫେଡ୍ ଦୋକାନରୁ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାରମ୍ବାର ଚୋରି ହେବା ପରେ ବାଦାମବାଡ଼ି ଥାନା ପୁଲିସ ଘଟଣାକୁ ଗୁରୁତ୍ବର ସହିତ ନେଇଛି। ପୁଲିସ ସ୍ଥାନୀୟ ଅଞ୍ଚଳରୁ ୪ ଜଣ ଶ୍ରମିକଙ୍କୁ ସନ୍ଦେହରେ ଉଠାଇ ନେଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଲିଙ୍କରୋଡ ଜାଭିଅର୍ କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଦିଲ୍ଲୀପ ମହାରଣା ସୂର୍ଯ୍ୟ ବିହାରରେ ରୁହନ୍ତି। ସେ ପରିବାର ସହିତ ଉପର ମହଲାରେ ରହୁଥିବା ବେଳେ ତଳ ମହଲାରେ ଥିବା ଷ୍ଟୋର୍ରୁମରେ ମଙ୍ଗଳାବାର ରାତି ପ୍ରାୟ ୨ଟା ବେଳେ ଚୋରି ହୋଇଥିଲା।
ପ୍ରାୟ ୩ ଜଣ ଦୁର୍ବୃତ୍ତ ପାଚେରି ଡେଇଁ କ୍ୟାମ୍ପସ ଭିତରେ ପଶି ତଳ ମହଲାରେ ଥିବା ଷ୍ଟୋର ରୁମ୍ ତାଲା ଭାଙ୍ଗି ଭିତରେ ପଶିଥିଲେ। ଷ୍ଟୋର ରୁମ ଆଲମିରାରେ ଥିବା ୭୨ ହଜାର ଟଙ୍କା, ପ୍ରୋଜେକ୍ଟର, ହୋଟେଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପୋଷାକ, ୪ ହଜାର ଟଙ୍କାର ସଉଦା ଲୁଟି ନେଇଥିଲେ। ଆଜି ସକାଳେ ଦିଲ୍ଲୀପ ଘଟଣା ସମ୍ପର୍କରେ ଜାଣିବା ପରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଥିଲେ। ଲୁଟ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ କ୍ୟାମ୍ପସ ଭିତରେ ପଶିବା ପରେ ଏକ ସିସି କ୍ୟାମେରାକୁ ଉପରକୁ ଟେକି ଦେଇଥିଲେ। ଫଳରେ ଦୁର୍ବୃତ୍ତଙ୍କ କାରନାମା ରେକର୍ଡ ହୋଇପାରି ନଥିଲା।
ଦିଲ୍ଲୀପଙ୍କ ଘର ନିକଟରେ ମଙ୍ଗଳବାର ରାତିରେ ସେସୁ ପକ୍ଷରୁ ଇଲେକ୍ଟ୍ରି ତାର ଅଣ୍ତର୍ ଗ୍ରାଉଣ୍ତ କାମ ଚାଲିଥିଲା। ପ୍ରାୟ ୧୫ ଜଣ ଶ୍ରମିକ କାମ କରୁଥିବାବେଳେ ଦୁର୍ବୃତ୍ତମାନେ ଦିଲ୍ଲୀପଙ୍କ କ୍ୟାମ୍ପସ୍ ଭିତରେ ପଶି କିଭଳି ଚୋରି କଲେ, ସେ ନେଇ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ଆଜି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଏସଏନଏଲ୍ ଅଫିସ ନିକଟରେ ଚୋରି ଘଟଣାରେ ବି ପୁଲିସ ସମାନ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରୁଛି। ଗଲା ୯ ତାରିଖ ରାତିରେ ଅରୁଣୋଦୟ ମାର୍କେଟ୍ ପିସି ସରକାର ଲେନରେ ଇଲେକ୍ଟ୍ରି ଦୋକାନ ଓ ଗ୍ରସରି ଦୋକାନରୁ ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ି ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲେ। ସପ୍ତାହେ ଭିତରେ ବାଦାମବାଡ଼ି ଥାନା ଅଧୀନରେ ୪ଟି ସ୍ଥାନରୁ ଚୋରି ହେବା ପରେ ପୁଲିସ ପାଟ୍ରୋଲି˚ କଡ଼ାକଡ଼ି କରିଦେଇଛି। ଲିଙ୍କରୋଡ୍ ସନ୍ତୋଷ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ବାଦାମବାଡ଼ି ଛକ ଏବ˚ ଅରୁଣୋଦୟ ମାର୍କେଟରୁ ଖାନନଗର ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବରେ ଥିବା ବ୍ୟାଙ୍କ, ଅଫିସ ଓ ବ୍ୟବସାୟୀକ ପ୍ରତିଷ୍ଠାନର ସିସି କ୍ୟାମେରା ଫୁଟେଜ୍ ଜବତ କରିବା ଆରମ୍ଭ କରିଥିବା ସୂଚନା ମିଳିଛି।