କଟକ: କଲେଜ ଛକରେ ପୂଜକ ନୀଳାମ୍ବର ମିଶ୍ରଙ୍କ ନିକଟରୁ ପୁଲିସ ପରିଚୟରେ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ପଛରେ ଇରାନିଆନ୍ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରୁଛି। ନୂଆପଡ଼ା ଖରିଆର୍ ରୋଡ୍‌ରେ ଉତ୍ପାତ କରୁଥିବା ଏହି ଗ୍ୟାଙ୍ଗ୍ ଏଭଳି ଅପରାଧ ଘଟାଇଥିବା ସନ୍ଦେହ କରାଯାଉଛି। ସମାନ ଶୈଳୀରେ ଅପରାଧ ଘଟାଉଥିବା ମଧ୍ୟପ୍ରଦେଶ ସିଙ୍ଗିରାଲିର ଜାଭେଦ୍‌ ଅଲ୍ଲୀ ଏବ˚ ସାଦିକ୍‌ ଅଲ୍ଲୀ ବି ସନ୍ଦେହର ଉର୍ଦ୍ଧ୍ବରେ ନାହାନ୍ତି। ୨୦୧୯ରେ ଯୋବ୍ରା ଅଞ୍ଚଳରେ ସମାନ ଧରଣର ଅପରାଧ ଏହି ଦୁଇ ଜଣ ଘଟାଇ ଧରାପଡ଼ିଥିଲେ। ମାଲଗୋଦାମ ପାଟରାସାହିର ପୂଜକ ନିଳାମ୍ବର ମିଶ୍ରଙ୍କୁ ବମ୍ବେ ହୋଟେଲ୍ ନିକଟରେ ଦିନ ଦ୍ବିପ୍ରହରରେ ପୁଲିସ ପରିଚୟରେ ପ୍ରାୟ ଚାରି ଜଣ ଲୁଟେରା ସୁନା ଅଳଙ୍କାର ଲୁଟି ନେଇଥିଲେ। ଗଲା ଏପ୍ରିଲ ୧୧ ତାରିଖରେ ଘଟିଥିବା ଏହି ଘଟଣାରେ ପୁଲିସ କେବଳ ଲୁଟେରାଙ୍କ ସିସି କ୍ୟାମେରା ଫୁଟେଜ୍‌ ଜବତ କରିଛି। ଏହି ଘଟଣା ଉଭୟ ମଧ୍ୟପ୍ରଦେଶ ଓ ନୂଆପଡ଼ା ଗ୍ୟାଙ୍ଗ ପୁଲିସ ସ୍କାନର୍‌ରେ ରହିଛି।

Advertisment

ଇରାନିଆନ୍ ଗ୍ୟାଙ୍ଗ୍‌ର କାରନାମା

ନୂଆପଡ଼ା ଜିଲ୍ଲା ଖରିଆର‌୍‌ ରୋଡ୍‌ରେ ରହୁଥିବା ଇରାନିଆନ୍ ଗ୍ୟାଙ୍ଗ୍ ୨୦୧୫ରେ ମଙ୍ଗଳାବାଗ ଅଞ୍ଚଳରେ ଗହଣା ଦୋକାନରେ ହାତ ସଫେଇ କରି ସୁନା ଅଳଙ୍କାର ଲୁଟି ନେଉଥିଲେ। ଏହି ଗ୍ୟାଙ୍ଗର ପିଛା କରି ମଙ୍ଗଳାବାଗ ଥାନା ପୁଲିସ ୨୦୧୬ରେ ଭୁବନେଶ୍ବରର ଏକ ହୋଟେଲରୁ ଏହି ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିଲା। ୨୦୧୮ ଜାନୁଆରି ୨୯ ତାରିଖରେ ଏହି ଗ୍ୟାଙ୍ଗ୍‌ର ସଦସ୍ୟ ପୁରୀଘାଟ ଥାନା ନୟାସଡ଼କ ଅଞ୍ଚଳରେ ତ୍ରାହି ଅଚ୍ୟୁତ ଗଣହା ଦୋକାନରୁ ୨୦ଟି ସୁନା ମୁଦି ଚୋରି କରିନେଇଥିଲେ। ସେହିବର୍ଷ ଫେବ୍ରୁଆରି ୮ରେ ନୟାଗଡ଼ ଖରିଆର୍ ରୋଡ୍‌ର ଜୋଙ୍କ ଥାନା ଧୋବିପଡ଼ାର କାସିମ୍ କାଳୀ ନାମକ ଜଣେ ସଦସ୍ୟକୁ ଗିରଫ କରିବା ସହିତ ୬ଟି ସୁନା ମୁଦି ଜବତ କରିଥିଲା।

୨୦୨୧ ଫେବ୍ରୁଆରି ୪ ତାରିଖରେ ଦୋଳମୁଣ୍ତାଇ ଜଗନ୍ନାଥ ଜୁଏଲାରିରୁ ଲୁଟ୍‌ ହୋଇଥିବା ୭ ଟଙ୍କାର ଅଳଙ୍କାର ମାମଲାରେ ଏମାନଙ୍କ ବି ସମ୍ପୃକ୍ତି ଥିଲା। ଏମାନେ ଓଡ଼ିଶା ସମେତ ଛତିଶଗଡ଼, ମହାରାଷ୍ଟ୍ର ଏବ˚ ଅନ୍ୟାନ୍ୟ ରାଜ୍ୟରେ ସୁନା ଅଳଙ୍କାର ଲୁଟିଥିବା ରେକର୍ଡ ରହିଛି। ନୂଆପଡ଼ାରୁ ଏହି ଗ୍ୟାଙ୍ଗ ବାଇକ୍‌, ବସ୍‌ କିମ୍ବା ଟ୍ରେନ୍‌ରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଲୁଟ୍ କରୁଛନ୍ତି। ଏମାନଙ୍କ ପଛରେ ଓଡ଼ିଶା ସମେତ ଛତିଶଗଡ଼, ଦିଲ୍ଲୀ, ବାଙ୍ଗାଲୁର ପୁଲିସ ପିଛା କରୁଥିବା କୁହାଯାଉଛି। ଏମାନେ ସିଡିଏ, ପୁରୀଘାଟ, ମଙ୍ଗଳାବାଗ ଅଞ୍ଚଳରେ ଅଳଙ୍କାର ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ କଲେଜ ଛକରେ ପୂଜକଙ୍କ ନିକଟରୁ ଲୁଟ୍ ପଛରେ ଏମାନଙ୍କ ସମ୍ପୃକ୍ତି ଥିବା କୁହାଯାଉଛି।

ମଧ୍ୟପ୍ରଦେଶ ଗ୍ୟାଙ୍ଗର କାରନାମା

ଯୋବ୍ରାରେ ୨୦୧୯ ମେ’ ୧୩ରେ ଅନ୍ନପୂର୍ଣ୍ଣା ପରିଡ଼ା ସକାଳ ଭ୍ରମଣ କରୁଥିବା ସମୟରେ ପୂଜକ ନୀଳାମ୍ବର ମିଶ୍ରଙ୍କ ଭଳି ଲୁଟର ଶିକାର ହୋଇଥିଲେ। ଦୁଇ ଯୁବକ ଏକ ବାଇକ୍‌ରେ ଆସି ପୁଲିସର ପରିଚୟ ଦେଇ ତାଙ୍କ ସୁନା ଅଳଙ୍କାର ଲୁଟିନେଇଥିଲା। ଏହି ମାମଲାରେ ପୁଲିସ ମଧ୍ୟପ୍ରଦେଶ ଲିଙ୍କ୍ ପାଇଥିଲା। ସେହିବର୍ଷ ଜୁନ୍‌ ୧୧ ତାରିଖରେ ମଧ୍ୟପ୍ରଦେଶ ସିଙ୍ଗିରାଲିର ଜାଭେଦ୍‌ ଅଲ୍ଲୀ ଏବ˚ ସାଦିକ୍‌ ଅଲ୍ଲୀକୁ ମାଲ୍‌ଗୋଦାମ ଥାନା ପୁଲିସ ଗିରଫ କରିଥିଲା। ଏମାନେ ମଧ୍ୟପ୍ରଦେଶରେ ୫ ଜଣ ସଦସ୍ୟଙ୍କୁ ନେଇ ଗ୍ୟାଙ୍ଗ ଚଳାଉଥିଲେ। ଏହି ଗ୍ୟାଙ୍ଗରେ ମଧ୍ୟପ୍ରଦେଶର ଜଣେ ବଣିଆର ବି ସମ୍ପୃକ୍ତି ରହିଛି। ଏହି ଗ୍ୟାଙ୍ଗ୍ ଲୁଟ୍ କରୁଥିବା ସୁନା ଅଳଙ୍କାରକୁ ଏହି ବଣିଆକୁ ବିକ୍ରି କରିଥାନ୍ତି। ଓଡ଼ିଶାରୁ ୭ ବର୍ଷ ଭିତରେ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ପୁଲିସ ପରିଚୟରେ ଲୁଟି ନେଇଥିବା କୁହାଯାଉଛି। ଓଡ଼ିଶାରେ ପ୍ରାୟ ୨୦ ଅପରାଧ ଘଟାଇଥିବା କୁହାଯାଉଥିବା ବେଳେ ପୁଲିସ ହାତରେ ୧୫ଟି ରେକର୍ଡ ହସ୍ତଗତ ହୋଇଛି।

ପଡେ଼ାଶୀ ପଶ୍ଚିମବଙ୍ଗ ଏବ˚ ବିହାରରେ ମଧ୍ୟ ସେମାନେ ଆତଙ୍କ ସୃଷ୍ଟି କରିଥିଲେ। ଯଦିଓ ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଧରାପଡ଼ିବା ଭୟରେ ଅଧିକ ସ˚ଖ୍ୟାରେ ଅପରାଧ ଘଟାଇ ନାହାନ୍ତି, କିନ୍ତୁ ଓଡ଼ିଶାକୁ ଅଧିକ ସୁରକ୍ଷିତ ଭାବୁଥିବା ସ୍ବୀକାର କରିଛନ୍ତି। ୨୦୧୮-୨୦୨୦ ଭିତରେ ୧୪ଟି ଲୁଟ୍ ମାମଲା ସେମାନଙ୍କ ବିରୋଧରେ ରହିଛି। କଟକରେ ମର୍କତନଗର , ଫେଜ୍‌-୨, କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ୮ଟି ମାମଲା, ଭୁବନେଶ୍ବରରେ ନୟାପଲ୍ଲୀ, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନାରେ ୫ଟି ମାମଲା ଏବ˚ ପୁରୀ କୁମ୍ଭାରପଡ଼ାରେ ଗୋଟିଏ ମାମଲା ବର୍ତ୍ତମାନ ସୁଦ୍ଧା ରୁଜୁ ହୋଇଥିବା ଜଣାପଡ଼ିଛି। ଏମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ପୁଲିସ ବାବୁଙ୍କ ଭଳି ଚୁଟି କାଟିଛନ୍ତି। ନିଜ ପାଖରେ ପୁଲିସ ଓ ଇଡି ଅଧିକାରୀ ନାଁରେ ନକଲି ପରିଚୟପତ୍ର ବି ରଖୁଛନ୍ତି। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ମହାରାଷ୍ଟ୍ର ଅମରାବତି ଜିଲ୍ଲା ବଧିନିରାର ବବୁଲ ଓରଫ ସଚିନ୍‌ ପାଵାର୍‌କୁ ଚୌଦ୍ବାର ଥାନା ପୁଲିସ ପିଛା କରି ନରାଜ ନିକଟରେ ୨୦୧୯ ଡିସେମ୍ବର ୧୧ ତାରିଖରେ ଏନକାଉଣ୍ଟର୍‌ କରିଥିଲା।