ଅଗଷ୍ଟ ୨୧ରେ ନିଆରା ମାରାଥନ୍ ‘ରନ୍‌ କଟକ ରନ୍‌’, ୩ଟି ବର୍ଗରେ ଭାଗ ନେବେ ୨୦୦ ପ୍ରତି‌ଯୋଗୀ

କଟକ: ଦୌଡ଼କୁଦ କ୍ଷେତ୍ରରେ ଆଗ୍ରହ ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ଐତିହାସିକ ସହର କଟକରେ ପ୍ରଥମ ଥର ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ୨୧ ତାରିଖରେ ମାରାଥନ୍ ‘ରନ୍‌ କଟକ୍‌ ରନ୍‌-୨୦୨୨’ର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ବର ଓ ଆଖପାଖର ସହରରେ ରହୁଥିବା ସବୁ ବୟସ ବର୍ଗର ଉତ୍ସାହୀ ବ୍ୟକ୍ତି ଅଂଶଗ୍ରହଣ କରିପାରିବେ।

ମହାନଦୀ କୂଳର ସବୁଜ ବନାନୀ ପରିବେଷ୍ଟିତ ପରିବେଶରେ ଟ୍ରାଫିକ୍‌ ଓ ପ୍ରଦୂଷଣ ମୁକ୍ତ ଅଞ୍ଚଳ କଟକର ନରାଜ ବ୍ରିଜ୍‌ ନିକଟ ଓଡ଼ିଶା ମେରିଟାଇମ୍‌ ଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏକ ସୁସ୍ଥ ପରିବେଶରେ ପ୍ରତିଯୋଗୀଙ୍କୁ ଦୌଡ଼ିବାର ସୁଯୋଗ ମିଳିପାରିବ। ‘ରନ୍‌ କଟକ ରନ୍‌’ର ଚଳିତ ସଂସ୍କରଣରେ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଥମେ ନିଜ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଏଠାରେ ପ୍ରଦତ୍ତ ଲିଙ୍କ (runcuttackrun.iq301.com)କୁ କ୍ଲିକ କରି ପଞ୍ଜୀକରଣ କରାଯାଇପାରିବ। କାର୍ଯ୍ୟକ୍ରମ ଆୟୋଜକ ‘କଟକ ରନର୍ସ’ର ଫେସବୁକ୍ ଓ ଇନଷ୍ଟାଗ୍ରାମକୁ (@cuttackrunners) ପେଜକୁ ଯାଇ ଏ ସଂପର୍କରେ ମଧ୍ୟ ଅଧିକ ଜାଣିହେବ।

‘ରନ୍‌ କଟକ ରନ୍‌’ ମାରାଥନ୍ ୩ଟି ବର୍ଗରେ ଆୟୋଜିତ ହେବ। ପ୍ରତିଯୋଗୀମାନେ ବୟସ ଓ ସାମର୍ଥ୍ୟ ଅନୁସାରେ ୩ କିମି, ୫ କିମି ଓ ୧୦କିମି ବର୍ଗରେ ଭାଗ ନେଇପାରିବେ। ପ୍ରତିଯୋଗୀମାନଙ୍କୁ ଡ୍ରାଇ-ଫିଟ୍‌ ଟି-ସାର୍ଟ, ପର୍ସନାଲାଇଜ୍‌ ବିବ୍, ଫିନିସର୍ସ ମେଡାଲ, ଫିନିସର୍ସ ସାର୍ଟିଫିକେଟ, ଜଳଖିଆ ସହିତ ପାନୀୟ, ଗୁଡି ବ୍ୟାଗ୍‌, ଫଟୋ ଆଦି ଉପହାର ଦିଆଯିବ ବୋଲି ‘କଟକ ରନର୍ସ’ ପକ୍ଷରୁ ସୂଚନା ଦିଆଯାଇଛି । ଅବସରପ୍ରାପ୍ତ  ସେନା ଅଧିକାରୀ ତଥା ଅଲଟ୍ରା ରନର କ୍ୟାପଟେନ୍‌ ଅବିନାଶ ଚିମାନକା ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଅଛନ୍ତି।

ସମ୍ବନ୍ଧିତ ଖବର