କଟକ: ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ସାଗର ମଲ୍ଲିକ କନ୍ଦରପୁର ପୁଲିସ ହାବୁଡ଼ରେ ଧରା ପଡ଼ିଛି। ସାଗର ସମେତ ପୁଲିସ ୪ ଜଣଙ୍କୁ ଥାନାକୁ ଉଠାଇ ନେଇଥିବା କୁହାଯାଉଛି। ବାୟାଳିଶମୌଜା କାଠଯୋଡ଼ି ବ୍ରିଜ ନିକଟରେ ପୁଲିସ ଏନକାଉଣ୍ଟର୍‌ର ଶିକାର ହୋଇଥିବା ଜଗତସିଂହପୁରର ରାକା ଓରଫ ରାକେଶ ଦାସ ହେଉଛି ସାଗରର ଖାସ୍ ସହଯୋଗୀ। ସାଗରର ଅନ୍ୟ ସହଯୋଗୀଙ୍କୁ ବି ପୁଲିସ ଉଠାଇ ନେଇଥିବା କୁହାଯାଉଛି। ତେବେ ଏମାନଙ୍କ ନିକଟରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ମାରଣାସ୍ତ୍ର ଜବତ ହୋଇ ନଥିବା ବେଳେ ପୁଲିସ ସେ ନେଇ ତନାଘନା ଚଳାଇଥିବା କୁହାଯାଉଛି। ତେବେ ରାକାକୁ ଗଲା ୧୦ ତାରିଖରେ କନ୍ଦରପୁର ଥାନା ପୁଲିସ ଏନକାଉଣ୍ଟର୍‌ କରିବା ପରେ ସାଗର ଗ୍ୟାଙ୍ଗ୍‌ରେ ଆତଙ୍କ ଖେଳିଯାଇଛି। ଅନେକ ସହଯୋଗୀ ଜଗତସିଂହପୁର ଅଞ୍ଚଳରୁ ଫେରାର ହୋଇଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ସାଗର ମଲ୍ଲିକ ଜଗତସିଂହପୁର ବାଲିକୁଦାରେ ଦୀର୍ଘ ପ୍ରାୟ ୧୫ ବର୍ଷ ହେବ ନିଜର ସାମ୍ରାଜ୍ୟ ବିସ୍ତାର କରିଆସିଥିଲା। ବାଲିକୁଦା ସମେତ ନାଉଗାଁ, ଜଗତସିଂହପୁର ଟାଉନ୍‌, କଟକ ଜିଲ୍ଲାର କିଶନନଗର, କଟକ ସହରରେ ବି ନିଜର ଅପରାଧିକ କାର୍ଯ୍ୟକଳାପ ବଢ଼ାଇ ଚାଲିଥିଲା।

Advertisment

ତା’ ବିରୋଧରେ ପ୍ରାୟ ୧୫ରୁ ୨୦ ଅପରାଧ ମାମଲା କମିସନରେଟ୍ ପୁଲିସ ଓ ଜଗତସିଂହପୁର ଜିଲ୍ଲା ପୁଲିସ ରେକର୍ଡରେ ରହିଛି। ସାଗର ମୁଖ୍ୟତଃ ଟେଣ୍ଡର ଫିକ୍ସିଂ, ବନ୍ଧୁକ କାରବାର, ଦାଦାବଟି, ଡକାୟତି ଭଳି ସଂଗିନ ମାମଲାରେ ସମ୍ପୃକ୍ତ ରହିଛି। ନିଜ ଗ୍ୟାଙ୍ଗରେ ପାଖାପାଖି ୩୦ ଯୁବକଙ୍କୁ ରଖି ସାଗର ନିଜର ନେଟଓ୍ବାର୍କକୁ ସୁଦୃଢ଼ କରିଆସିଥିଲା। ବର୍ଷକ ତଳେ ବାଲିକୁଦାରେ ଏକ କେନାଲ କାମ ଜଣେ ବ୍ୟକ୍ତି ଟେଣ୍ଡର ମାଧ୍ୟମରେ ହାତେଇଥିଲେ। କିନ୍ତୁ ସାଗର ବିନା ସେୟାର୍‌ରେ ସେହି କାମରେ ପାର୍ଟନର ହେବା ସହିତ ଅଧା ଲାଭ ନେଇଥିଲା। କୁହାଯାଉଛି ରାକା ପଛରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଦୃଶ୍ୟ ସହଯୋଗ ରହି ଆସିଛି। ସେଥିପାଇଁ ସାଗରର ପ୍ରଭାବ ବଢ଼ିଚାଲିଥିଲା। ୨୦୨୦ ବର୍ଷରେ ସାଗରକୁ ବାଲିକୁଦା ମଦ କାଉଣ୍ଟର ନିକଟରୁ ଜଗତସିଂହପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତା’ ନିକଟରୁ ଏକ ବନ୍ଧୁକ ବି ଜବତ ହୋଇଥିଲା। କିନ୍ତୁ ସେ ଜେଲରୁ ଆସି ପୁଣି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କୁହାଯାଉଛି।