କଟକ: ସାହିତ୍ୟସେବା ମଣିଷକୁ ଆତ୍ମସନ୍ତୋଷ ଦିଏ। ଏହି ଆତ୍ମସନ୍ତୋଷ ସ୍ବର୍ଗତ ଗଙ୍ଗାଧର ରଥ ଲାଭ କରିଥିଲେ। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ର ଅଷ୍ଟବିଂଶତମ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହା କହିଛନ୍ତି। ଏହି ଅବସରରେ ବିଶିଷ୍ଟ ସାହିତ୍ୟାନୁରାଗୀ ଶ୍ରୀନିବାସ ଉଦ୍ଗାତାଙ୍କୁ ଫାଉଣ୍ଡେସନ୍ର ସର୍ବୋଚ୍ଚ ‘ସାହିତ୍ୟ ଭାରତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ ତାଙ୍କୁ ୧ଲକ୍ଷ ଟଙ୍କାର ଉପାୟନ, ମାନପତ୍ର ସମେତ କୋଣାର୍କ ମନ୍ଦିରର ରୌପ୍ୟ ପ୍ରତିରୂପ ଅର୍ପଣ କରାଯାଇଥିଲା। କଟକ କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ଫାଉଣ୍ଡେସନ୍ର ଟ୍ରଷ୍ଟି ଡା. ଜୟନ୍ତ ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି କହିଲେ, ସାହିତ୍ୟ ମଣିଷର ବ୍ୟଥା ଓ ବେଦନାରୁ ସୃଷ୍ଟି।
ଏହି ଅବସରରେ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି କାବ୍ୟ ସାହିତ୍ୟ ପାଇଁ ବିଶିଷ୍ଟ କବି ଭଗବାନ ଜୟସିଂହଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଓ କଥା ସାହିତ୍ୟ ପାଇଁ ମାନସୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ମୌସୁମୀ ପରିଡ଼ା ଓ ରବିନାରାୟଣ ଦାଶଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନ୍ର ଉପଦେଷ୍ଟା ପ୍ରଫେସର୍ ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡା. ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।