କଟକ: ଶୈଳବାଳା ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ ଥିବା ବେଳେ ଚଣ୍ଡୀମନ୍ଦିର ଉନ୍ନତୀକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜର ପଡ଼ିଆ ମାପଚୁପ୍ କରାଯାଇ ପତାକା ପୋତାଯାଇଛି। ରବିବାର ପାଇଁ ଗତକାଲି କଲେଜ ବନ୍ଦ ଥିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ମପା କାମ କରାଯାଇଛି। ଦିନ ୧୧ଟା ସମୟରେ କଲେଜ ପଡ଼ିଆକୁ ମପାଯାଇ ହଳଦିଆ ରଙ୍ଗର ପତାକା ପୋତାଯାଇଛି। ଚଣ୍ଡୀ ମନ୍ଦିର ଉନ୍ନତିକରଣ ପାଇଁ ଶୈଳବାଳାର ଖେଳ ପଡ଼ିଆ ଓ ନୂତନ ଭାବେ ତିଆରି ହୋଇଥିବା ହଷ୍ଟେଲକୁ ସଂସ୍କୃତି ବିଭାଗ ନେବାକୁ ଯୋଜନା କରାଯାଇଥିଲା। ଖେଳ ପଡ଼ିଆ ଓ ନୂଆ ହଷ୍ଟେଲ କଲେଜରୁ ଚାଲିଗଲେ, ଏହା କଲେଜର ପରିସୀମାକୁ ସଙ୍କୁଚି କରିବ। ଏଥିରେ ୟୁଜିସି ପକ୍ଷରୁ କଲେଜକୁ ମିଳୁଥିବା ବିଭିନ୍ନ ଅନୁଦାନ କମିବା ସହ ନାକ୍ ପକ୍ଷରୁ ଶୈଳବାଳାକୁ ମିଳୁଥିବା ଗ୍ରେଡ୍ର ମାନ ହ୍ରାସ ପାଇବ।
ବିଶେଷ ଭାବେ ଏହା ଶୈଳବାଳାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଉଠୁଥିବା ଦାବିକୁ ଦୁର୍ବଳ କରିବ ବୋଲି ମତ ପ୍ରକାଶ ପାଇ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଏଭଳି ସ୍ଥିତିରେ ସରକାର କେବଳ ୦.୪ ଏକର ଜମି ନେବେ ଏବଂ ହଷ୍ଟେଲ କୋଠା, ମଧୁ ସ୍ମୃତି ସଂଗ୍ରହାଳୟ ଇତ୍ୟାଦି ଅଧିଗ୍ରହଣ ହେବ ନାହିଁ ବୋଲି ଘୋଷଣା କରିଥିଲେ। କିନ୍ତୁ ରବିବାର ଦିନ ଜିଲ୍ଲା ପ୍ରଶାସନ ଏହାକୁ କେଉଁ ଆଧାରରେ ମାପଚୁପ କରି ପତାକା ମାରିଛି, ତାହାକୁ ନେଇ ଏବେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି।