ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣକୁ ବିରୋଧ, ସପ୍ତାହେ ଭିତରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ବିରୋଧରେ ଦାୟର ଜନସ୍ବାର୍ଥ ମାମଲାରେ ସପ୍ତାହେ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ କରାଯାଇଥିବା ପୁନର୍ବାସ ଓ ଥଇଥାନ ପ୍ୟା‌କେଜ୍‌ ପ୍ରସଂଗକୁ ନେଇ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବର ବିବରଣୀ ସମେତ ଅନ୍ୟ କେତେକ ନଥିପତ୍ର ଦାଖଲ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ କଲେଜର ଖେଳ ପଡିଆ ଭାବେ ବ୍ୟବହାର ହେଉଥିବା ଜମିର ଅଳ୍ପ କିଛି ଅଂଶ ଉପଯୋଗ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ଏହି ଜମି ରାଜ୍ୟ ସରକାରଙ୍କ ଅଟେ ଓ ଏହା ରକ୍ଷିତ ଖାତାରେ ରେକର୍ଡଭୁକ୍ତ ବୋଲି ଆଜି ଦର୍ଶାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଜୁନ୍ ୨ର ନିର୍ଦ୍ଦେଶ ଅନୁସାରେ ଏହି ପ୍ରସଂଗରେ ସବିଶେଷ ବିବରଣୀ ସହିତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବା ସହିତ ଏହାର ଆଗୁଆ କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଜୁଲାଇ ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଶୈଳବାଳା ମହିଳା ସ୍ବୟଂଶାସିତ କଲେଜ ପୁରାତନ ଛାତ୍ରୀ ସଂଘ(ଆଲୁମିନି) ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଚଣ୍ଡୀମନ୍ଦିର ଉନ୍ନତିକରଣ ପାଇଁ କଲେଜର କିଛି ଜମି ବ୍ୟବହାର ନେଇ ଚର୍ଚ୍ଚା ହୋଇଥିଲା।

ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କଲେଜର ଜମି ଅଧିଗ୍ରହଣକୁ ବିରୋଧ କରି ଦାୟର ଏହି ଆବେଦନରେ ଦର୍ଶାଯାଇଥିଲା ଯେ କଲେଜ ଜମିର କିଛି ଅଂଶ ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ‌ନାରୀଶିକ୍ଷା କ୍ଷେତ୍ରରେ ଏହା ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନ ହୋଇଥିବା ବେଳେ ପ୍ରାୟ ଅଢେଇ ହଜାର ଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ୟୁଜିସି ନାକ୍ କଲେଜକୁ ଏ’ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଥିଲା। କଲେଜ ଜମି ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯିବା ଅନୁଷ୍ଠାନ ତଥା ଛାତ୍ରୀଙ୍କ ସ୍ବାର୍ଥର ପରିପନ୍ଥୀ। ନାରୀଶିକ୍ଷାର ପ୍ରସାର ପାଇଁ ଥିବା ଏହି ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଜୁନ୍ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, କଟକ ଜିଲ୍ଲାପାଳ ଓ ଶୈଳବାଳା ମହିଳା ସ୍ବୟଂଶାସିତ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ଯଦି ଶୈଳବାଳା କଲେଜରେ ଜମି ବ୍ୟବହାର କରାଯାଉଥାଏ ତେବେ କଲେଜ ଓ ଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ବଦଳରେ କଲେଜକୁ ଜମି ପ୍ରଦାନ/ ବିକଳ୍ପ ସୁବିଧା ନେଇ କ’ଣ ବ୍ୟବସ୍ଥା କରାଯାଇଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ଜୁନ ୨ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର