ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ୪ ବର୍ଷୀୟା ସମାଈରା

୬ ମିନିଟ ୪୩ ସେକେଣ୍ଡରେ ଦେଲେ ୯୮ଟି ପ୍ରଶ୍ନର ଉତ୍ତର

କଟକ: ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ କଟକର ୪ ବର୍ଷୀୟା ଶିଶୁ ସମାଈରା ସାବିତ୍‌। ୬ ମିନିଟ ୪୩ ସେକେଣ୍ଡ ସମୟରେ ୯୮ଟି ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର ଦେବା ସହ ମହାସାଗର, ସାଇଣ୍ଟିଫିକ୍ ଉଦ୍ଭାବନ, ସୋଲାର ପ୍ରଣାଳୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ତଥା ଜାତୀୟ ପଶୁପକ୍ଷୀଙ୍କ ନାମ, ୫୦ଟି ରାଇମ୍‌ସ୍‌ କହି ଇଣ୍ତିଆ ବକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ସେ। ୪ ବର୍ଷ ବୟସରେ ପାଲଟିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ। କଟକ ଦେୱାନବଜାରରେ ବାସ କରୁଥିବା ଭୁବନେଶ୍ୱରର ମୂଳ ବାସିନ୍ଦା ଇଂ. ସେକ୍‌ ସାବିତ୍‌ ଅଲ୍ଲୀ ଓ ଡକ୍ଟର କାଇକିଷ୍ଣା ବେଗମ୍‌ଙ୍କ ଝିଅ ସମାଈରାଙ୍କ ବୟସ ୪ ବର୍ଷ ୫ ମାସ। ସେଣ୍ଟ ଜୋସେଫ୍‌ ଗାର୍ଲସ୍‌ ହାଇସ୍କୁଲର ନର୍ସରି ଛାତ୍ରୀ। ଗତ ମାର୍ଚ୍ଚ ମାସରେ ସମାଈରାଙ୍କ ମା’ ନିଜ ଝିଅର କଳା ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ ପାଇଁ ଆବେଦନ କରିଥିଲେ। ଏପ୍ରିଲ ମାସରେ ସମାଈରା ଅନ୍‌ଲାଇନ୍‌ ମାଧ୍ୟମରେ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ୧୦ ଦିନ ମଧ୍ୟରେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଥିବା ନେଇ ଶୁଭେଚ୍ଛା ମେସେଜ୍‌ ଆସିଲା।

ଆଜି ସମାଈରାଙ୍କୁ ମିଳିଛି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ପୁରସ୍କାର; ଯେଉଁଥିରେ ରହିଛି ମାନପତ୍ର ଓ ପଦକ। ଏହି ଖବର ପ୍ରଚାରିତ ହେବା ପରେ ସମାଈରାଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ଏନେଇ ସମାଈରାଙ୍କ ମା ଶ୍ରୀମତୀ ବେଗମ କହନ୍ତି, ଝିଅ ଦେଢ଼ବର୍ଷରୁ ସ୍ପଷ୍ଟ ଭାବେ କଥା କହିବା ଆରମ୍ଭ କରିବା ପରେ ମୁଁ ଧୀରେ ଧୀରେ ତାକୁ ସବୁ ଶିଖେଇବା ଆରମ୍ଭ କଲି ଓ ସେ ମଧ୍ୟ ସବୁ ମନେ ରଖିଲା। ଏହା ଦେଖି ମୁଁ ତାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପାଇଁ ପ୍ରସ୍ତୁତ କଲି। ସେ ମଧ୍ୟ ଆଗ୍ରହର ସହ ସବୁ ମନେ ରଖିବା ସହିତ ନିଜଆଡୁ ବହୁ ପ୍ରଶ୍ନ ପଚାରି ଜାଣିବା ଆରମ୍ଭ କଲା। ଆଗାମୀ ଦିନରେ ଅନ୍ୟ ପ୍ରତିଯୋଗିତାଗୁଡ଼ିକରେ ମଧ୍ୟ ସେ ଭାଗ ନେବ। ଅନ୍ୟ ଯେଉଁଥିରେ ତା’ ରୁଚି ରହିବ, ସେଥିରେ ତାକୁ ତାଲିମ ଦେବି।

ସମ୍ବନ୍ଧିତ ଖବର