କଟକ: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର କଟକ ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦ ଆଉ ନାହାନ୍ତି। ଆଜି ଅପରାହ୍ଣରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ସ୍ବାମୀ ସଂଜିତ କୁମାର ମିଶ୍ର, ପୁଅ ଶ୍ରୀଜିତ ମିଶ୍ର, ଶାଶୂ ସ୍ନେହଲତା ମିଶ୍ର, ମା’ ଶୈଳବାଳା ନନ୍ଦ, ଦେଡ଼ଶୁର ସମ୍ବିତ କୁମାର ମିଶ୍ର, ଦିଅର ପ୍ରସନ୍ନଜିତ ମିଶ୍ର, ଯାଆ ସ୍ମିତା ମିଶ୍ର, ନଣନ୍ଦ ଗାୟତ୍ରୀ ମିଶ୍ର, ନଣନ୍ଦେଇ ରଶ୍ମିରଂଜନ ଦାଶଙ୍କ ସମେତ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, କଟକ ମେୟର୍ ସୁବାସ ଚନ୍ଦ୍ର ସିଂହ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ, ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ, ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସିଂ, ବିଜେଡି ସାଧାରଣ ସଂପାଦକ ମହମ୍ମଦ ସକିଲ, ଇଂଜିନିୟର ଆଲୋକ ଭୂୟାଁ, ଇଂଜିନିୟର ଆକାଶ ଭୂୟାଁ, ସମାଜସେବୀ ୱାଲିଦ ପଟେଲ, ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ, କଟକ କାର୍ଯ୍ୟାଳୟର ସମସ୍ତ ସହକର୍ମୀ, କଟକର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମାତ୍ର ୪୨ ବୟସରେ ମୃତ୍ୟୁ, ଏବେ ବି ବିଶ୍ୱାସ ହେଉନି। କଟକ ଭଳି ଜିଲ୍ଲାରେ ସେ ଥିଲେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି, ଯାହା ଜଣେ ମହିଳା ସାମ୍ବାଦିକାଙ୍କ ପାଇଁ କିଛି କମ୍ ଆହ୍ୱାନପୂର୍ଣ୍ଣ ନ ଥିଲା। ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ବେଶ୍ ଦକ୍ଷତାର ସହ ସେ ଏହି ଆହ୍ବାନକୁ ଗ୍ରହଣ କରିଥିଲେ। ସବୁବେଳେ ହସହସ ମୁହଁ, ପରକୁ ଆପଣାର କରିବାର ସ୍ନେହସୁଲଭ ଗୁଣ, ସୀମନ୍ତିକା ନନ୍ଦଙ୍କୁ ସବୁଦିନ ଅମଳିନ କରି ରଖିବ। ମୃତ୍ୟୁର ଦିନକ ପୂର୍ବରୁ ସେ ଫାଇଲ କରିଥିଲେ ଏହି ଶେଷ ଖବର...
ସଂଧ୍ୟାରେ ତାଙ୍କ ମରଶରୀରକୁ ବିଡ଼ାନାସୀସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ବାରବାଟୀ-କଟକ ବିଧାୟିକା ଇଂଜିନିୟର ସୋଫିଆ ଫିରଦୋସ୍, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଓରମାସ୍ର ନିର୍ଦ୍ଦେଶକ ଡକ୍ଟର ଶ୍ରୀକାନ୍ତ ପରିଜା, ଯୁଗ୍ମ-ନିର୍ଦ୍ଦେଶକ ବିପିନ ବିହାରୀ ରାଉତ, ଡକ୍ଟର ରଂଜନ କୁମାର ବିଶ୍ବାଳ, ସାଂସଦଙ୍କ ପ୍ରତିନିଧି ଜ୍ୟୋତିରଂଜନ ରାୟ, ଧର୍ମେଶ ନାୟକ, ବିଜୟ ବେହେରା, ବାଙ୍କୀର ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଡ଼ାନାସୀ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ‘ସମ୍ବାଦ’ର ସାଥୀ ସହଯୋଗୀ, ପରିବାର ସଦସ୍ୟ, ଆତ୍ମୀୟସ୍ବଜନ ଶେଷଦର୍ଶନ କରିଥିଲେ। ବିଡ଼ାନାସୀରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ସାହି ପରିକ୍ରମା କରାଯାଇଥିଲା। ଏହାପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକ ମାତ୍ର ପୁଅ ଶ୍ରୀଜିତ ମୁଖାଗ୍ନି ଦେଇଥିଲେ।
ଶ୍ରୀମତୀ ନନ୍ଦ ୧୯୮୨ ନଭେମ୍ବର ୪ରେ ଦେବଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ରାମନାରାୟଣ ନନ୍ଦ ଓ ମା’ ଶିକ୍ଷୟିତ୍ରୀ ଶୈଳବାଳା ନନ୍ଦ। ଦେବଗଡ଼ରୁ ଉଚ୍ଚଶିକ୍ଷା ସମାପ୍ତ ପରେ ସାମ୍ବାଦିକତାକୁ ବୃତ୍ତି ଭାବେ ସେ ଗ୍ରହଣ କରିଥିଲେ। ସଂପ୍ରତି ‘ସମ୍ବାଦ’ର କଟକ ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟ କରୁଥିଲେ। ସେ ବିଡ଼ାନାସୀ ବାସିନ୍ଦା ଅବସରପ୍ରାପ୍ତ ପୁଲିସ ଅଧିକାରୀ ମହାଦେବ ମିଶ୍ର ଓ ସ୍ନେହଲତା ମିଶ୍ରଙ୍କ ପୁଅ ସଂଜିତ କୁମାର ମିଶ୍ରଙ୍କୁ ବିବାହ କରିଥିଲେ। ଜଣେ ଦକ୍ଷ, ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକ ଭାବେ ତାଙ୍କର ବେଶ୍ ସୁନାମ ଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ସୀମନ୍ତିକାଙ୍କ ବିୟୋଗରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ବୈଜୟନ୍ତୀ କର, ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଡିଜିଏମ୍ ପ୍ରଭାସ ସାହୁଙ୍କ ସମେତ ‘ସମ୍ବାଦ’ ପରିବାରର ଅଧିକାରୀ ଓ କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/09/dgdagdzvccv-2025-07-09-03-14-00.jpg)