କଟକ: କଟକ ରେଳଷ୍ଟେସନକୁ ଅବହେଳା କରାଯାଉଛି। ଏହାର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦିଆଯାଉନାହିଁ। ଅଚଳ ଜଳ ଫୁଆରା, ରେଳ ଷ୍ଟେସନର ପୂର୍ବାଞ୍ଚଳ ଫାଟକର ବିଭିନ୍ନ ସମସ୍ୟାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାପ‌ରେ ଏହାକୁ ରେଳବାଇ କର୍ତୃପକ୍ଷ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାର ଦୁଇଦିନ ଭିତରେ କଟକ ରେଳଷ୍ଟେସନରେ ଲାଗି ରହିଥିବା ସମସ୍ୟା ସୁଧାର ପାଇଁ ‌ରେଳବାଇ କର୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। କଟକ ରେଳ‌ଷ୍ଟେସନରେ ଦୀର୍ଘ ଦିନ ଧରି ଅଚଳ ପଡିଥିବା ଜଳ ଫୁଆରକୁ ସଚଳ କରିଛନ୍ତି। ଜଳ ଫୁଆରା ( ଫାଉଣ୍ଟେନ)ଆଜିଠୁ କାର୍ଯ୍ୟକ୍ଷମ ହୋଇଛି। ଯାତ୍ରୀମାନେ ଏ ଦୃଶ୍ୟର ଫଟୋ ଉତ୍ତୋଳନ କରିବା ସହିତ ଆନନ୍ଦ ନେଉଛନ୍ତି। ‌ସେହିଭଳି ପୂର୍ବାଞ୍ଚଳ ଫାଟକ ପଟେ ତାଲା ପଡିଥିବା ଯାତ୍ରୀ ପ୍ରତୀକ୍ଷାଳୟକୁ ପରିଷ୍କାର କରି ଏହାକୁ ଯାତ୍ରୀଙ୍କ ପାଇଁ ଖୋଲାଯାଇଛି। ଗତକାଲିଠାରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି।

Advertisment

ତେବେ ପୂର୍ବାଞ୍ଚଳ ଫାଟକରେ‌ ଥିବା ମୁଖ୍ୟ ସମସ୍ୟାକୁ ରେଳବାଇ କର୍ତୃପକ୍ଷ ଅଣଦେଖା ନ କରିବାକୁ ସାଧାରଣରେ ଦାବି ହୋଇଛି। ପୂର୍ବାଞ୍ଚଳ ଫାଟକରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ, ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବା, ସୁରକ୍ଷିତ ପାଚେରୀ ନିର୍ମାଣ, ମୋଟରସାଇକଲ ଷ୍ଟାଣ୍ଡ୍ ବା ଗାଡି ପାର୍କିଂର ବ୍ୟବସ୍ଥା ସହିତ ଗାଡିରୁ ଓହ୍ଲାଉଥିବା ଯାତ୍ରୀଙ୍କ ପାଇଁ ପରିବହନ ସୁବିଧା କରିବାକୁ ଦାବି ହୋଇଛି। ପୂର୍ବାଞ୍ଚଳ ଫାଟକକୁ ବ୍ୟବସ୍ଥିତ କରାଗଲେ ମୁଖ୍ୟ ଫାଟକଠାରୁ ଅଧିକ ଯାତ୍ରୀ ଏହି ଫାଟକ ଦେଇ ଯା ଆସ କରିବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ବହିରାଗତ ବା ଅନ୍ୟ ଜିଲ୍ଲାକୁ ଯାଉଥିବା ଯାତ୍ରୀଙ୍କ ପାଇଁ ଏହି ବାଟ ଅଧିକ ସୁଗମ ହେବ। ପୂର୍ବାଞ୍ଚଳ ଫାଟକ କାର୍ଯ୍ୟକ୍ଷମ ହେଲେ ଟ୍ରେନରୁ ଓହ୍ଲାଉଥିବା କେନ୍ଦ୍ରାପଡା, ଜଗତସିଂହପୁର, କଟକ ପୂର୍ବାଞ୍ଚଳ ଯାତ୍ରୀ ଏହାର ସୁବିଧା ନେଇ ପାରିବେ। ଏ ଦିଗକୁ ରେଳବାଇ କର୍ତୃପକ୍ଷ ବିଚାରକୁ ନେଇ ବ୍ୟବସ୍ଥିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥି ସହିତ ‌‌‌ଷ୍ଟେସନ ଡିପୋରୁ ମାଲ ପରିବହନ ପାଇଁ ଯାଉଥିବା ମାଲବାହୀ ଗାଡି ପାଇଁ ବିଳଳ୍ପ ବ୍ୟବସ୍ଥା କରାଗଲେ ପୂର୍ବାଞ୍ଚଳ ଫାଟକ ଦେଇ ଅଧିକ ଯାତ୍ରୀ ଯା’ ଆସ କରିବେ।