କଟକ-ମହାନଦୀବିହାର: ମଧୁପଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଘାଟକୂଳ ନିକଟ ବାଲିଘାଟରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ କଟକ ସଦର ତହସିଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ଚିନ୍ତାର କାରଣ ହୋଇଛି।
କଟକ ସଦର ତହସିଲ ପକ୍ଷରୁ ନୂଆପଡ଼ାର ନିର୍ଦ୍ଦିଷ୍ଟ ୨ଟି ପ୍ଲଟ୍ରୁ ବାଲି ନେବା ପାଇଁ ମଞ୍ଜୁରୀ ରହିଛି। ହେଲେ, ବାଲି ମାଫିଆମାନେ ଏବେ ଉକ୍ତ ଜାଗାକୁ ଛାଡ଼ି ୪୨ମୌଜା ଓ ଝିଙ୍କିରିଆରୁ ଦିନ ଦ୍ୱିପ୍ରହରରେ ନଦୀରୁ ବାଲି ଉଠାଉଛନ୍ତି। କୌଣସି ବାଲିଘାଟରେ ଜେସିବି ମେସିନ୍ ପଡ଼ି ପାରିବ ନାହିଁ ଗ୍ରିନ୍ ଟ୍ରିବୁନାଲ୍ଙ୍କ ନିର୍ଦେଶ ଥିଲେ ବି ଏହି ବାଲିଘାଟରେ ଦିନ ରାତି ୩ଟି ଜେସିବି ମେସିନ୍ ପଡ଼ିରହି ୨୦୦ରୁ ଅଧିକ ହାଇୱା ଟ୍ରକ୍ଙ୍କୁ ବାଲି ଦେଉଛି। ନୂଆପଡ଼ା ବାଲିଘାଟ ପାଇଁ କଟକ ସଦର ତହସିଲ ପକ୍ଷରୁ ଟେଣ୍ଡର୍ ସମୟରେ ବାଲି ନେବା ପାଇଁ ଯେଉଁ ପଟେ ରୋଡ୍ ଦିଆଯାଇଥିଲା ତାହାକୁ ନ ମାନି ବାଲିମାଫିଆମାନେ ଘାଟକୂଳ ଛକରୁ ସନ୍ତୋଷୀନଗର ଦେଇ ବାଲି ନେଉଛନ୍ତି। ଫଳରେ, ଏଠାରେ ବସବାସ କରୁଥିବା ୩ଶହରୁ ଅଧିକ ପରିବାର ହଇରାଣ ହେଉଛନ୍ତି।
ଆଖପାଖ ଅଞ୍ଚଳର ପ୍ରାୟ ୩ ଏକର ଘରୋଇ ଜମିକୁ ମଧ୍ୟ ବାଲି ମାଫିଆମାନେ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ସେପଟେ, କାଠଯୋଡ଼ି ନଦୀ ଭିତରେ ଥିବା ୩୩ କେ.ଭି ବିଦ୍ୟୁତ୍ ଖୁଣ୍ଟ ପାଖରୁ ଜେସିବି ଲଗାଇ ବାଲି କାଢ଼ି ନିଆଯିବା କାରଣରୁ ଖୁଣ୍ଟଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି। ଏହି ୩୩ କେ.ଭି ଲାଇନ୍ ଉପରେ ୪୨ମୌଜା, କନ୍ଦରପୁର, ବିରିବାଟୀ, ସାର୍ତ୍ତୋଲ, ପୋପରଡ, କଇଜଙ୍ଗା ଅଂଚଳର ବାସିନ୍ଦା ନିର୍ଭର କରିଥାଆନ୍ତି। ବାଲିମାଫିଆଙ୍କ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ସ୍ଥାନୀୟ ଲୋକ ବହୁବାର ଜିଲ୍ଲାପାଳ ଓ କଟକ ସଦର ତହସିଲଦାରଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତହସିଲର କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ ବେଆଇନ ଭାବେ ବାଲି ଉଠୁଥିବା ବେଳେ ଏହାଦ୍ବାରା କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ମଧ୍ୟ ହେଉଛି। ନୂଆପଡା ବାଲିଘାଟର ବାଲି ଉଠାଣ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।