ବିରୂପା, ଲୁଣା, ଚିତ୍ରୋତ୍ପଳା ଓ ବଡ଼ଗେଙ୍ଗୁଟି ନଈରେ ନାହିଁ ବାଲି: କଟକର ୧୩ ବାଲିଘାଟରେ ଲାଗିଲା କ୍ଲୋଜର୍‌ ନୋଟିସ୍‌

ଏପଟେ ବନ୍ଦ୍‌, ସେପଟେ ଚାଲିଛି ଚୋରା ବାଲି ଉଠାଣ, ମାହାଙ୍ଗା ବ୍ଲକ୍‌ ହେଲା ସୈରାତ୍‌ ଉତ୍ସ ଶୂନ୍ୟ

କଟକ: ବିରୂପା, ଲୁଣା, ଚିତ୍ରୋତ୍ପଳା ଓ ବଡ଼ଗେଙ୍ଗୁଟି ନଈରେ ଆଉ ବ୍ୟବହାର ଉପଯୋଗୀ ବାଲି ନାହିଁ। ଏଭଳି ସରକାରୀ ରିପୋର୍ଟ ଆଧାରରେ କଟକ ଜିଲ୍ଳାର ତିନୋଟି ତହସିଲ ଅଧୀନରେ ଥିବ‌ା ୧୩ଟି ବାଲିଘାଟକୁ ବନ୍ଦ୍‌ କରିଦେଇଛି ପ୍ରଶାସନ। ଏପଟେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଅର୍ଥାତ୍‌ ଯେଉଁ ବାଲିଘାଟ ସବୁ ବାଲି ନଥିବା ଦର୍ଶାଇ ବନ୍ଦ କରାଯାଇଛି, ସେହି ଘାଟ ଅର୍ଥାତ୍‌.. ମାହାଙ୍ଗା ତହସିଲ ଅଧୀନ ଯଶରାଜପୁର, ସମ୍‌ସରପୁର-ନାପଟୁଆଁ, ବରାହୀପୁର-ଚଷାଖଣ୍ଡ ଆଦି ଘାଟରୁ ଦିନରାତି ମେସିନ୍‌ ଲଗାଇ ଉଠାଯାଉଛି ବାଲି। ଏହି ସବୁ ଘାଟରେ ବାଲି ନଥିବା ଓ କେତେକ ସ୍ଥାନରେ ଉକ୍ତ ଘାଟକୁ ଯିବାକୁ ରାସ୍ତା ନଥିବା ସଂପର୍କରେ ଯୁଗ୍ମ ତଦନ୍ତକାରୀ କମିଟି, ଜିଓଲୋଜିକାଲ ସର୍ଭେ ଓ ରାଜସ୍ବ ବିଭାଗର ଯୁଗ୍ମ ଟିମ୍ ରିପୋର୍ଟ ଦେବା ପରେ କଟକ ଜିଲ୍ଲାପ୍ରଶାସନ ମାହାଙ୍ଗା ତହସିଲର ୮ଟି , ସାଲେପୁର ତହସିଲର ୩ଟି ଓ ନିଶ୍ଚିନ୍ତକୋଇଲି ତହସିଲର ୨ଟି ବାଲିଘାଟକୁ ବନ୍ଦ କରିଦେଇଛନ୍ତି। ଫଳରେ ମାହାଙ୍ଗା ବ୍ଲକ୍‌ରେ ଆଉ ବାଲିଘାଟ ବା ସୈରାତ୍‌ ନିଲାମ୍‌ ଉତ୍ସ ନାହିଁ। ଅର୍ଥାତ୍‌ ସେହି ବ୍ଲକ୍‌ବାସୀ ବାଲି ପାଇଁ ସାଲେପୁର ଓ ନିଶ୍ଚିନ୍ତକୋଇଲି ନଚେତ୍‌ ପଡୋଶୀ ଜିଲ୍ଲାର ବାଲି ଉତ୍ସ ଉପରେ ନିର୍ଭର କରିବେ। ଯା’ଫଳରେ ସରକାର ରାଜସ୍ବ ହରାଇବା ସହ ପରୋକ୍ଷରେ ବାଲି ଚୋରାଚାଲାଣ ପାଇଁ ବାଟ ଖୋଲିଦେଇଥିବା ଚର୍ଚ୍ଚା ହେଉଛି।

ମାହାଙ୍ଗା ତହସିଲ ଅଧୀନରେ ବିରୂପା ନଈରେ ୬ଟି ବାଲି ଘାଟ ରହିଥିବା ବେଳେ ବଡ଼ଗେଙ୍ଗୁଟିରେ ରହିଛି ୨ଟି ବାଲିଘାଟ ରହିଥିଲା। ବିରୂପା ନଈରେ ଯଶରାଜପୁର, ସମସରପୁର-ନାପତୁଆଁ, ବରାହୀପୁର-ଚଷାଖଣ୍ଡ, ଖଟାଙ୍ଗୋ-ଅରିଲୋ, କୁହୁଣ୍ଡା, ଗୁଣପୁର, ବଡ଼ଗେଙ୍ଗୁଟି ନଈରେ ଥିବା ବାଣପୁର, ମଧୁପୁର-ଦୋବନ୍ଧିଆ ବାଲିଘାଟରେ ଆଉ ବାଲି ନାହିଁ। ଏହି ସବୁ ବାଲିଘାଟକୁ ଗଲା ଦେଢମାସ ହେଲା ସରକାରୀ ଭାବେ ବନ୍ଦ୍‌ କରି ଦିଆଯାଇଛି। ଯା’ ଫଳରେ ଉକ୍ତ ତହସିଲ ଅଧୀନରେ ଏବେ ଆଦୌ ବାଲିଘାଟ ନାହିଁ। କିନ୍ତୁ ନଈ ଭିତରୁ ବିଭିନ୍ନ ସ୍ଥାନରୁ ଏହାର ସୁଯୋଗରେ ଦିନରାତି ଉଠାଚାଲିଛି ଚୋରାରେ ବାଲି। ସାଲେପୁର ତହସିଲ ଅଧୀନରେ ୪ଟି ବାଲିଘାଟ ରହିଛି। ସେଥିରୁ ୩ଟି ଅର୍ଥାତ୍‌, ବିରୂପା ନଈର ଗଣିପୁର ଓ ଚାହାପଡା ଏବଂ ମହାନଦୀର ବାରଗୋଡ଼ିଆ ଘାଟକୁ ବନ୍ଦ କରିଛି ପ୍ରଶାସନ, ସେଠାରେ କ୍ଲୋଜର୍‌ ନୋଟିସ୍‌ ଲଗାଯାଇଛି। କିନ୍ତୁ ସେହି ସବୁ ଘାଟରୁ ବାଲି ଉଠୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ନିଶ୍ଚିନ୍ତକୋଇଲି ତହସିଲରେ ୧୩ଟି ବାଲିଘାଟ ରହିଛି। ସେଥିରୁ ୧୧ଟି କାର୍ଯ୍ୟକ୍ଷମ ଥିବାବେଳେ ବାଲି ନଥିବା ଓ ଘାଟକୁ ଯିବାକୁ ରାସ୍ତା ନଥିବାରୁ ଚିତ୍ରୋତ୍ପଳା ନଈର ସାଧକନଗର, ଲୁଣା ନଈର ଜଳଡ଼ିଆ ଘାଟକୁ ସରକାରୀ ଭାବେ ବନ୍ଦ କରାଯାଇଛି। ନଈରେ ବାଲି ନାହିଁ ବୋଲି ଘାଟ ବନ୍ଦ କରାଯାଇଥିବା ବେଳେ ଚୋରା ବାଲି ଉଠୁଛି କେମିତି? ଯଦି ଘାଟରେ କ୍ଲୋଜର୍‌ ନୋଟିସ୍‌ ଲଗାଯାଇଛି, ତେବେ ସେସବୁ ଘାଟକୁ ଜଗିବ କିଏ? ନା’ ବନ୍ଦ ନାଁରେ ଏମିତି ଚାଲିଥିବ ଚୋରାଚାଲାଣ ଓ ସରକାର ହରାଉଥିବେ ରାଜସ୍ବ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ଆଗକୁ ଜିଲ୍ଲାରେ ବ‌ାଲି ନଥିବା ଦର୍ଶାଇ ୫ରୁ ଅଧିକ ବାଲିଘାଟ ବନ୍ଦ ପାଇଁ ଯୋଜନା ଚାଲିଥିବା ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର