ପୁଲିସ-ପ୍ରଶାସନ ଜାଣତରେ ବାଲିଚୋରି! କହ୍ନେଇପୁର ମହାନଦୀ ବାଲିଘାଟରୁ ଦିନ ଦ୍ବିପ୍ରହରରେ ବେଆଇନ ବାଲିଚାଲାଣ

ବିଦ୍ୟାଧରପୁର: କହ୍ନେଇପୁର ମହାନଦୀ ବାଲିଘାଟରୁ ଦିନ ଦ୍ବିପ୍ରହରରେ ବାଲି ଚୋରି ହେଉଛି। ପୂର୍ବରୁ ଲଗାତାର ଭାବେ ନମ୍ବର ବିହୀନ ଟ୍ରାକ୍ଟରରରେ ରାତିରେ ବାଲି ଉଠୁଥିଲା ବେଳେ ଏବେ ସ୍ପଷ୍ଟ ଦିବାଲୋକରେ ବାଲି ମାଫିଆଙ୍କ ଉପସ୍ଥିତିରେ ବାଲି ଉଠୁଛି। ପୁଲିସ ଓ ପ୍ରଶାସନର ଜାଣତରେ ଏଭଳି ବାଲି ଚୋରି ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ କହ୍ନେଇପୁର ବାସିନ୍ଦା। ପ୍ରଶାସନିକ ସ୍ତରରେ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ତହସିଲଦାର ଓ ଅନ୍ୟ ପଦାଧିକାରୀ ମାନଙ୍କ ଉପସ୍ଥିତିରେ ବାଲି ଚୋରି ରୋକିବା ପାଇଁ ଘନଘନ ବୈଠକ ବସୁଛି। ଏପଟେ କିନ୍ତୁ ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ବତନ୍ତ୍ର ସ୍କାଡ୍ ଗଠନ ହୋଇ ସେମାନଙ୍କୁ ଧରିବା ବଦଳରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଆଜି ସକାଳ ୬ଟା ସମୟରେ ନିଜେ ବାଲି ମାଫିଆ ଉପସ୍ଥିତ ରହି ନମ୍ବର ବିହୀନ ଟ୍ରାକ୍ଟରରରେ ବାଲି ଉଠାଉଥିବା ଦେଖିବାକୁ ମିଳିଲା। ବାଲି ଘାଟକୁ କିଛି ଯୁବକ ଆସି ବାଲି ନ ଉଠାଇବାକୁ ବାରଣ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। କହ୍ନେଇପୁର ଉତ୍ତର ଭାଗରେ ଅବସ୍ଥିତ ନଦୀବନ୍ଧ ଠାରୁ ନଈକୂଳ ପର୍ଯ୍ୟନ୍ତ ଘର ତିଆରି ହୋଇଛି। ଦୁଇ ପଟେ ପାଚେରୀ ନିର୍ମାଣ ହୋଇଛି। ସମ୍ମୁଖରେ ବଡ ଗେଟ୍ ଲାଗିଛି। ପଛପଟେ ନଈ ଭିତରକୁ ଯିବାକୁ ଫାଙ୍କା ରାସ୍ତା ନିର୍ମାଣ ହୋଇଛି। ପଛପଟ ରାସ୍ତାରେ ନଈରୁ ବାଲି ଉଠାଯାଇ ଅପରପାର୍ଶ୍ବ ନଦୀବନ୍ଧ କଡ଼ ଗାନ୍ଧୀ କଲୋନି ଠାରୁ ନେହେରୁ କଲୋନି, କହ୍ନେଇପୁର, ଜାଭିୟର୍ସ ହାଇସ୍କୁଲର ପଛପଟ, ଖେଳ ପଡିଆରେ ଜମା ହେଉଛି। ପରେ ତାହାକୁ ବିକ୍ରି କରାଯାଉଛି। ପ୍ରତିଦିନ ୧୫ରୁ ୨୦ ଟ୍ରିପ୍ ବାଲି ନଦୀରୁ ଉଠାଯାଇ ଟ୍ରାକ୍ଟର ଟ୍ରିପ୍ ଏକ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି।

ନଈରେ ପାଣି ଥିବା ସମୟରେ ଜାଭିୟର୍ସ ହାଇସ୍କୁଲର ପାଖାପାଖି ଦୁଇ ଶହ ଟ୍ରିପ୍ ଜମା କରିଥିବା ବାଲିକୁ ଦୁଇଗୁଣ ଦରରେ ବାଲି ମାଫିଆ ବିକ୍ରି କରିଥିବା ‌‌‌‌‌‌‌‌‌‌ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହି ସମୟରେ ହାଇୱା ପିଛା ୪ ହଜାର ୫୦୦, ଆନ୍ଧ୍ର ଗାଡି ଟ୍ରିପ୍ ବାଲି ୨୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ୱାର୍ଡ ନଂ ୫୪ର ପୂର୍ବତନ କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ କହିଛନ୍ତି ଯେ ପୁଲିସ ଓ ପ୍ରଶାସନ ଜାଣତରେ ଏଭଳି ବାଲି ଚୋରି ଚାଲିଛି। ଏଥିରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି। କହ୍ନେଇପୁରର ଅବକାଶ ପାଣି, ଦେବା ପଣ୍ଡା, ଶିଶିର ପାଣି, ସତ୍ୟଜିତ ପଣ୍ଡା, ଶିବସୁନ୍ଦର ପାଣି, ଆର୍ଶୀବାଦ ପାଣି ପ୍ରମୁଖ କହିଛନ୍ତି ଯେ ସେମାନେ ବାଲି ମାଫିଆକୁ ଧରି ଆଉ ବାଲି ନ ଉଠାଇବାକୁ ବାରଣ କରିଥିଲେ ବି କିଛି ଲାଭ ହେଉନି। ପୁଲିସ, ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ସେ ଏଭଳି କରି ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର