କଟକ: ବିନା ତାଲିମରେ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି କଟକର ଠାକୁର ସଂଗ୍ରାମ ସିଂହ। ପେସାରେ ଜଣେ ଆଇନଜୀବୀ ହେଲେ ବି ତାଙ୍କର ନିଶା ପାଲଟିଛି ଚିତ୍ର ଆଙ୍କିବା। ବିନା ତାଲିମରେ ଚିତ୍ର ଆଙ୍କୁଥିବାବେଳେ ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ଚିତ୍ର ପାଇଁ ତାଲିମ। ଜାତୀୟସ୍ତରରେ ୧୫୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ୍ୟ ତାଙ୍କ ଚିତ୍ର ଏବେ ବେଶ ଚର୍ଚ୍ଚାରେ ରହିଛି। କଟକ ଚାନ୍ଦିନୀଚୌକ ଠାରେ ବାସ କରୁଥିବା ବିନୋଦ ବିହାରୀ ସିଂହ ଓ ବାସନ୍ତୀ ସିଂହଙ୍କ ସାନ ପୁଅ ଠାକୁର ସଂଗ୍ରାମ ସିଂହ। ବୟସ ୨୮ବର୍ଷ। ପେସାରେ ଜଣେ ଆଇନଜୀବୀ। ବିନା କୌଣସି ତାଲିମରେ ସେ ଅଏଲ ପୋଟ୍ରେଟ୍‌ ପେଣ୍ଟିଙ୍ଗ(ତୈଳଚିତ୍ର), ଆକ୍ରିଲିକ୍‌ ପେଣ୍ଟିଙ୍ଗ, ଥିମ୍‌ ବେସ୍‌ ପେଣ୍ଟିଙ୍ଗ, କଣ୍ଟେମ୍ପୋରାରି ପେଣ୍ଟିଙ୍ଗ, ଇଣ୍ତିଆନ୍‌ ଷ୍ଟାଇଲ ପେଣ୍ଟିଙ୍ଗ, ୱାର୍ଲି ପେଣ୍ଟିଙ୍ଗ ଭଳି ଭିନ୍ନ ପ୍ରକାରର ଚିତ୍ର ଆଙ୍କୁଛନ୍ତି। ଆଜିକୁ ୧୦ବର୍ଷ ହେବ ଚିତ୍ର ଆଙ୍କି ଆସୁଥିବାବେଳେ ଜାତୀୟ ଓ ରାଜ୍ୟସ୍ତରରେ ୧୫୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି। ପ୍ରଥମ ଚିତ୍ର ଆଙ୍କିବା ପରେ ସୋସିଆଲ ମିଡ଼ିଆ ଫେସବୁକ ଓ ଇନଷ୍ଟାଗ୍ରାମରେ ନିଜର ଏକ ପେଜ (ଦି କାନଭାସ୍‌)ରେ ଅପଲୋଡ଼ କରିବା ପରେ ସେହି ଚିତ୍ରକୁ ବିଭିନ୍ନ ବର୍ଗର ଲୋକେ ପସନ୍ଦ କରିଥିଲେ। ସେହି ଚିତ୍ର ପାଇଁ ଅର୍ଡର ମଧ୍ୟ କରିଥିଲେ।

Advertisment

publive-image Sambad

ଏପରିକି ଓଡ଼ିଶା ତଥା ବାହାରୁ ଯଥା ଦିଲ୍ଲୀ, ରାଜସ୍ଥାନ, ମୁମ୍ବାଇ, ହାଇଦ୍ରାବାଦ ଭଳି ବିଭିନ୍ନ ସ୍ଥାନ ମାନଙ୍କରୁ ଚିତ୍ର ପାଇଁ ତାଙ୍କୁ ଅର୍ଡର ଆସୁଛି। ଏବେ ଗ୍ରାହକଙ୍କ ପସନ୍ଦ ମୁତାବକ ଅର୍ଡର ରଖି ଚିତ୍ର ଆଙ୍କିଥାନ୍ତି ସଂଗ୍ରାମ। ପ୍ରତ୍ୟେକ ଦିନ ନିଜ କାମ ସାରିବା ପରେ ୫ ରୁ ୬ ଘଣ୍ଟା ଚିତ୍ର ଆଙ୍କିବା ପାଇଁ ସମୟ ଦେଇଥାନ୍ତି। ସେ ଗେଟିଲ୍ୟାଣ୍ତ, ଗର୍ଦ୍ଦିଶ ଭଳି ୱାର୍କସପ୍‌ ମାଧ୍ୟମରେ ନିଜ ପେଣ୍ଟିଙ୍ଗ ଗୁଡ଼ିକୁ ପ୍ରଦର୍ଶନ କରିଥାନ୍ତି। ସଂଗ୍ରାମ କୁହନ୍ତି ଯେ ପିଲାବେଳେ ବଡ଼ ଭାଇ ଚିତ୍ର ଆଙ୍କିବାର ଦେଖୁଥିଲେ। ତାହାକୁ ଦେଖି ତାଙ୍କ ମନରେ ମଧ୍ୟ ଚିତ୍ର କରିବାର ଇଚ୍ଛା ହେଲା। ୨୦୦୨ ମସିହାରୁ ସେ ନିଜେ ଚିତ୍ର କରିବା ଆରମ୍ଭ କରିଥିଲେ। ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟରେ ସ୍କୁଲ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମଥର କରି ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିବାସହ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତା’ ପର ଠାରୁ ଚିତ୍ର କରିବା ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ତାଙ୍କ ପେଣ୍ଟିଙ୍ଗ ଗୁଡିକ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ ପ୍ରଶଂସା କରିଥିଲେ। ସେହି ଦିନ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି ବୋଲି ସଂଗ୍ରାମ କୁହନ୍ତି। ଆଗାମୀ ଦିନରେ ପେଣ୍ଟିଙ୍ଗର ଷ୍ଟୁଡ଼ିଓ କରିବା ସହ ନିଜେ ପଢ଼ୁଥିବା ସ୍କୁଲରେ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଚିତ୍ର ଶିଖାଇବାର ଲକ୍ଷ୍ୟ ରଖିଛନ୍ତି ସଂଗ୍ରାମ।