କଟକ: ସଂଗୀତକାର ସୌରିନ୍ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନର ଆଜି ହାଇକୋର୍ଟ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ସୌରିନଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତାଙ୍କୁ ଅଗଷ୍ଟ ୧୪ରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ହାଇକୋର୍ଟ କହିଥିଲେ।

ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ସୌରିନ୍ ଗଲା ୭ ଦିନ ହେବ ଅନୁପସ୍ଥିତ ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା। ଅନ୍ୟପକ୍ଷରେ ଏହାପରେ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ‌ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ଓ ପୀଡିତାଙ୍କ ପକ୍ଷରୁ ଆଇନଜୀବୀ ଚିତ୍ତରଂଜନ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।