ଓଡ଼ିଶା ହାଇକୋର୍ଟରେ ୨ ବିଚାରପତିଙ୍କ ନିଯୁକ୍ତି ପାଇଁ ନାଁ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

କଟକ/ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ୨ ଜଣଙ୍କ ନାଁ ସୁପାରିସ କରିଛନ୍ତି। ଏମାନେ ହେଲେ ବରିଷ୍ଠ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜୁଡିସିଆଲ ଅଫିସର ବିଭୁ ପ୍ରସାଦ ରାଉତରାୟ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.ଏ. ବୋବଦେ ଓ ଜଷ୍ଟିସ ଏନ୍‌.ଭି ରମଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏହି ମାନଙ୍କ ନାଁ ନୂତନ ବିଚାରପତି ନିଯୁକ୍ତି ପାଇଁ ଆଇନ୍‌ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି।

ସୁଚନାଯୋଗ୍ୟ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ୨୦୧୯ ମେ’ ମାସ ୭ ତାରିଖରେ ୮ ଜଣ ବରିଷ୍ଠ ଆନଇଜୀବୀଙ୍କ ନାମ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ପଠାଇଥିଲେ। ଏହି ଆଧାରରେ ସୁପ୍ରିମକୋର୍ଟ କଲେଜିୟମ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ନାମ ସୁପାରିସ କରିଛନ୍ତି। କଲେଜିୟମ ଆଇନଜୀବୀ ସାବିତ୍ରୀ ରଥଙ୍କ ପ୍ରସ୍ତାବକୁ ପରବର୍ତ୍ତୀ ସମୟରେ ବିଚାରକୁ ନେବେ। ବାକି ୬ ଜଣଙ୍କ ନାମ ଫେରାଇ ଦେଇଛନ୍ତି।

ସେହିପରି ହାଇକୋର୍ଟ ୪ ଜଣ ଜୁଡିସିଆଲ ଅଫିସରଙ୍କ ନାମ ସୁପ୍ରିମକୋର୍ଟଙ୍କୁ ପଠାଇଥିଲେ। ସୁପ୍ରିମକୋର୍ଟ କଲେଜିୟମ ବିଭୁ ପ୍ରସାଦ ରାଉତରାୟଙ୍କ ନାଁ ସୁପାରିସ କରିଥିବା ବେଳେ ଅନ୍ୟ ୩ ଜଣଙ୍କ ନାଁକୁ ଫେରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର