ଏସ୍‌ସିବିରେ ଡାକ୍ତରଙ୍କୁ ଡେଙ୍ଗୁ; ମାଲଗୋଦାମରୁ ୨ ଆକ୍ରାନ୍ତ

କଟକ: କରୋନାର ଆତଙ୍କ ଭିତରେ ଏବେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ସପ୍ତାହରେ ଗଲା କିଛି ଦିନ ହେବ ହାରାହାରି ଭାବେ ୩/୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଆସୁଥିବା ଜଣେ ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୁଇ ବର୍ଷ ହେଲା ଏସସିବିରେ କୋଭିଡ ପରିସ୍ଥିତି ଯୋଗୁଁ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଆଉ ଖୋଲାଯାଉ ନାହିଁ। ତେଣୁ ଏ ଦିଗରେ ଏବେ ଚିନ୍ତା କରିବାକୁ ମତ ପ୍ରକାଶ ପାଇଛି।

ଅନ୍ୟପଟେ ମାଲଗୋଦାମ ଅଞ୍ଚଳରୁ ଦୁଇ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଆଜି ସିଏମ୍‌ସି ପକ୍ଷରୁ ସହରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସହରରେ ୨୦୧୬ରୁ ଡେଙ୍ଗୁ ଜ୍ବର ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହୋଇଛି। ସିଏମ୍‌ସି ଅଞ୍ଚଳରେ ହୋଇଥିବା ଡେଙ୍ଗୁ କେସ୍‌କୁ ଷ୍ଟଡିକରି ଷ୍ଟେଟ୍‌ ଏଣ୍ଟୋମୋଲୋଜି ଡିପାର୍ଟମେଣ୍ଟ ସହରର ୭ଟି ଅଞ୍ଚଳକୁ ଡେଙ୍ଗୁ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିଛି।

ସେଗୁଡ଼ିକ ମଧ୍ୟରେ ଜଗତପୁର ଶିଳ୍ପାଞ୍ଚଳ, ଯୋବ୍ରା ଟିଣପିଟାସାହି, ରାଉସାପାଟଣା, ଏସ୍‌ସିବି କ୍ୟାମ୍ପସ, ମଙ୍ଗଳାବାଗ ବେହେରା କଲୋନି, ଖପୁରିଆ ଶିଳ୍ପାଞ୍ଚଳ, ଶିଳ୍ପୀ କୁମ୍ଭାରସାହି ରହିଛି। ଉକ୍ତ ହଟ୍‌ସ୍ପଟ୍‌ ଅଞ୍ଚଳରେ ନିଗମ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପୀ କୁମ୍ଭାର ସାହିରେ ଘରକୁ ଘର ବୁଲି ସିଏମ୍‌ସି ପକ୍ଷରୁ ଲିଫଲେଟ୍‌ ବଣ୍ଟନ ସହିତ ବୁସ୍‌ କଟିଂ, ଖାଲି ସ୍ଥାନରୁ ପାଣି ବାହାର କରିବା ପରି କାମ କରାଯାଉଛି। ଅନ୍ୟପଟେ ସହରରେ ‌ଡେଙ୍ଗୁ ରୋଗୀ ବାହାରିବା ତଥ୍ୟ ସିଏମ୍‌ସି ପାଖରେ ନାହିଁ। କେବଳ ଏସ୍‌ସିବିରେ ଡେଙ୍ଗୁ ପରୀକ୍ଷା କରାଯାଉ ଥିବା ବେଳେ ଏହାର ରିପୋର୍ଟ ଆମକୁ ଦିଆଯାଇ ନାହିଁ ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର