କଟକ: ଅଳିଆ(ବର୍ଜ୍ୟବସ୍ତୁ) ଦହନ ପାଇଁ ଯିବ ୨ଶହ କିଲୋମିଟର। ତା’ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ମୂଳଦୁଆ ଭୁଶୁଡି ଗଲାଣି। ତାକୁ ସଜାଡୁ ନାହାନ୍ତି କି’ ନୂଆ ବ୍ୟବସ୍ଥା କରୁ ନାହାନ୍ତି। କିନ୍ତୁ ତାଲିମ୍ ନାଁରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନାରେ। ଦୀର୍ଘ ୬ମାସରୁ ଅଧିକ ସମୟ ହେବ ସଜଡା ହୋଇପାରୁନି ‘ଇନ୍ସିନେରେଟର୍’। ଫଳରେ ଏସ୍ସିବି ବର୍ଜ୍ୟବସ୍ତୁ ଯାଉଛି ବ୍ରହ୍ମପୁର। ୨୦ଲକ୍ଷ ଟଙ୍କା ମରାମତି ପାଇଁ ଆସିଛି, ତାକୁ ବ୍ୟବହାର କରୁ ନାହାନ୍ତି, କି ନୂଆ ମେସିନ୍ ବସାଉ ନାହାନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ଏସ୍ସିବି ବର୍ଜ୍ୟବସ୍ତୁ ପରିଚାଳନା। ଦିନ ଦିନ ଧରି ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପାଖରେ ପଡ଼ି ରହୁଛି, ଏକାଠି ୩/୪ ଟ୍ରିପ୍ ହେଲେ ତାକୁ ଉଠାଯାଉଛି। ଯା’ ଫଳରେ ପରିବେଶ ପ୍ରଦୂଷିତ ପାଇଁ ବାଟ ଖୋଲି ଦେଉଛନ୍ତି ନିଜେ କର୍ତ୍ତୃପକ୍ଷ।
ଏସ୍ସିବିରୁ ପ୍ରତିଦିନ ୭୦୦କେଜି ବର୍ଯ୍ୟବସ୍ତୁ ବାହାରୁଛି। ଏସ୍ସିବିରୁ ପାଖାପାଖି ୭ରୁ ୮ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ବାହାରୁଥିବା ସରକାରୀ ତଥ୍ୟ କହୁଛି। ବର୍ଜ୍ୟବସ୍ତୁ ଦହନ ପାଇଁ ବସାଯାଇଥିବା ‘ଇନ୍ସିନେରେଟର୍’ ପୁରୁଣା ହୋଇଯାଇଥିବାରୁ ତା’ ବର୍ତ୍ତମାନ କାମରେ ଆସିପାରୁନି। ଏହାର କ୍ଷମତା ମଧ୍ୟ କୁଳଉନି। ଏପଟେ କୋଭିଡ୍ ପରଠାରୁ ଏସ୍ସିବିର ବର୍ଜ୍ୟବସ୍ତୁ ବୃଦ୍ଧି ପାଇଥିଲା। ଯେଉଁଥିରେ ‘ଇନ୍ସିନେରେଟର୍’ ଠିକ୍ଭାବରେ କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଏହା ଅଚଳ ହୋଇପଡ଼ିଥିଲା। ଅଚଳ ମେସିନ୍ ସଜାଡିବାକୁ ୨୦ଲକ୍ଷ ଟଙ୍କା ଏସ୍ସିବିକୁ ଆସିଥିଲେ ସୁଦ୍ଧା ତାହା ସଜଡା ହୋଇପାରୁନି। କାଳେ ମରାମତି ପରେ ବି ଏହା ଠିକ୍ ଢଙ୍ଗରେ କାର୍ଯ୍ୟକ୍ଷମ ହେବ ନାହିଁ, ସେଥିପାଇଁ ନୂଆ ‘ଇନ୍ସିନେରେଟର୍’ ବସାଇବା ପାଇଁ କର୍ତ୍ତୃପକ୍ଷ ଡିଏମ୍ଇଟି୍ଙ୍କୁ ଚିଠି ଲେଖିଛନ୍ତି।
ବାୟୋମେଡିକାଲ ତାଲିମ୍ ପାଇଁ ଖର୍ଚ୍ଚ ହେବ ୧୦ଲକ୍ଷ ଟଙ୍କା, କିନ୍ତୁ ବର୍ଜ୍ୟବସ୍ତୁ ଦହନ ପାଇଁ ବସାଯାଇଥିବା ‘ଇନ୍ସିନେରେଟର୍’ ମରାମତି କରାଯିବନି। ଆଜିଠାରୁ ଏସ୍ସିବିର ଡାକ୍ତର, କର୍ମଚାରୀ ସମସ୍ତଙ୍କୁ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ଆର୍ଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ହସ୍ତକ୍ଷେପ ଦାବି କରାଯାଇଛି। ସଂଗଠନ ଅଭିଯୋଗ କରିଛି, ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏସ୍ସିବିରେ ଇନ୍ସିନେରେଟର୍ ବସାଯାଇଥିଲା। ହେଲେ ଅକାମୀ ହୋଇଥିବା ଏହି ଯନ୍ତ୍ର ମରାମତି କରା ନଯିବା ଫଳରେ କୁଢ଼ କୁଢ଼ ଅଳିଆ ମେଡିକାଲ୍ ପରିସରରେ ପଡ଼ି ରହିଥିଲା। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ବର୍ଜ୍ୟବସ୍ତୁକୁ ଏକ ଘରୋଇ ସଂସ୍ଥା ଦ୍ବାରା ବ୍ରହ୍ମପୁରକୁ ପଠାଇ ଦିଆଗଲା। ଇନ୍ସିନେରେଟର୍ ମରାମତି ପାଇଁ ଏସ୍ସିବି କର୍ତ୍ତୃପକ୍ଷ ବହୁବାର ଲେଖିଥିଲେ ବି ଡିଏମ୍ଇଟି କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ଏଯାବତ୍ ଅନୁମତି ମିଳିପାରି ନାହିଁ। ଏହାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୈତ୍ରୀ ସଂସଦ ପକ୍ଷରୁ ସଭାପତି ଅଜୟ ମହାନ୍ତିଙ୍କ ଦସ୍ତଖତରେ ଏକ ସ୍ମାରକପତ୍ର ରାଜସ୍ବ ଆୟୁକ୍ତଙ୍କୁ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/scb.jpg)