ଆସିଷ୍ଟାଣ୍ଟ୍‌ ପ୍ରଫେସର ସୁଧା ସେଠୀ ଗିରଫ

ଔଷଧ କଂପାନିଙ୍କୁ ଅହେତୁକ ଅନୁକଂପା

ପ୍ରଫେସର ରବୀନ୍ଦ୍ର ଜେନାଙ୍କୁ ଖୋଜୁଛି ଭିଜିଲାନ୍ସ

କଟକ : ଏସ୍‌ସିବି ମେଡିକାଲ୍‌ କଲେଜ୍‌ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କୁ ଆଜି କଟକର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଡାକ୍ତର ସୁଧା ସେଠୀ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌)ର ନୋଡାଲ ଅଫିସର ଦାୟିତ୍ୱରେ ରହିଥିଲେ। ତାଙ୍କ ବିରୋଧରେ ସରକାରୀ ପଦବିର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କଂପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ, ଆର୍ଥିକ ଅନୁଗ୍ରହ, ରାଜକୋଷକୁ କ୍ଷତି ପହଞ୍ଚାଇବା, ଠକେଇ, ଅର୍ଥ ତୋଷରପାତ, ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ବିଭିନ୍ନ ଦଫା (ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩ (୧)(ସି)(ଡି), ଆଇପିସି ୪୦୯, ୪୨୦, ୩୪, ୧୨୦ (ବି))ରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଜେନା ଫେରାର ଅଛନ୍ତି ଏବଂ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ଓଏସ୍‌ଟିଏଫ୍‌ ଜରିଆରେ ବିପିଏଲ୍‌ ତାଲିକାଭୁକ୍ତ ରୋଗୀଙ୍କୁ ଚିକିତ୍ସା ସହାୟତା ୨୦୧୧ରୁ ଯୋଗାଇ ଦିଆଯାଇ ଆସୁଛି। କୌଣସି ଗୁରୁତର ରୋଗୀ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିବା ପରେ ନୋଡାଲ ଅଫିସର ବିଭାଗୀୟ ମୁଖ୍ୟଙ୍କ ଅନୁମୋଦନର ଚିକିତ୍ସା ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରନ୍ତି। ତାହାକୁ ଆରଡିସିଙ୍କ ସ୍ୱୀକୃତି ପାଇଁ ପଠାଯାଏ। ଆରଡିସିଙ୍କ ସ୍ୱୀକୃତି ମିଳିବା ପରେ ଚିକିତ୍ସା ସହାୟତା ରାଶି ଆସିଥାଏ। କିନ୍ତୁ ଭିଜିଲାନ୍ସ ଏ ସଂପର୍କରେ ତଦନ୍ତ କରିବା ପରେ ଜଣା ପଡ଼ିଥିଲା ଯେ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧର ଜେନେରିକ୍‌ ନାମ ନଲେଖି ନିର୍ଦ୍ଦିଷ୍ଟ ଏକ କଂପାନିର ଔଷଧ ଡାକ୍ତର ରବୀନ୍ଦ୍ର ଜେନା ଲେଖୁଥିଲେ ଏବଂ ଡାକ୍ତର ସୁଧା ସେଠୀ ଏଥିରେ ସହଯୋଗ କରୁଥିଲେ।

ଯେଉଁ ସମାନ ଔଷଧ ଏସସିବି ମେଡିକାଲ ସେଣ୍ଟ୍ରାଲ ଷ୍ଟୋରରେ ମାତ୍ର ୮ହଜାର ୬୮୨ ଟଙ୍କାରେ ମିଳୁଥିଲା, ସେହି ସମାନ ଔଷଧ ଏକ ନିର୍ଦ୍ଦିଷ୍ଟ କଂପାନିର ଲେଖିବା ଦ୍ୱାରା ସେଥିପାଇଁ ଖର୍ଚ୍ଚ ହେଉଥିଲା ୧୮ ହଜାର ୧୮ ଟଙ୍କା। ଏଭଳି ପ୍ରକ୍ରିୟାରେ ରୋଗୀର ଚିକିତ୍ସା ପାଇଁ ଆବଶ୍ୟକ ଖର୍ଚ୍ଚର ୨ ଗୁଣରୁ ଅଧିକ ମଂଜୁର ହେଉଥିଲା। ଗୋଟିଏ ପଟେ ଏଥିରେ ନିର୍ଦ୍ଦିଷ୍ଟ ଔଷଧ କଂପାନିର ଲାଭ ହେଉଥିବା ବେଳେ ଅନ୍ୟପଟେ ରାଜକୋଷରୁ ଅଧିକ ଅର୍ଥ ବ୍ୟୟ ହେଉଥିଲା। ଏପ୍ରକାର ତଥ୍ୟ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କ ସଂପତ୍ତି ଆକଳନ ପାଇଁ ଚଢଉ କରାଯାଇଥିଲା।

ଡାକ୍ତର ଜେନାଙ୍କର ୪ କୋଟିରୁ ଅଧିକ ଟଙ୍କାର ଆୟବର୍ହିଭୂତ ସଂପତ୍ତି ଆକଳନ କରି ଭିଜିଲାନ୍ସ ସେ ସଂପର୍କରେ ବି ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଡାକ୍ତର ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସେହି ମାମଲା ଏବେ ବିଚାରାଧୀନ ରହିଛି। ଅନ୍ୟପଟେ ଭିଜିଲାନ୍ସ ସୂଚନା ଅନୁଯାୟୀ ଡାକ୍ତର ଜେନା ଫେରାର ଅଛନ୍ତି। ଏଭଳି ସ୍ଥିତିରେ ଡାକ୍ତର ସୁଧା ସେଠୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି।

ସମ୍ବନ୍ଧିତ ଖବର