ଏସ୍‌ସିବିର ମାଗଣା ଚିକିତ୍ସା ବ୍ୟବସ୍ଥା: ଅଲଟ୍ରାସାଉଣ୍ଡ ପାଇଁ ବି ମାସେ

କଟକ: ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଏଭଳି ଅଭିଯୋଗ ପୂର୍ବରୁ ହୋଇ ଆସୁଥିବା ବେଳେ ସୂଚନା ଅଧିକାର ତଥ୍ୟରୁ ବି ଏହା ସ୍ପଷ୍ଟ ହୋଇଛି। ଏମଆରଆଇ, ସିଟି ସ୍କାନ ଓ ଅଲଟ୍ରାସାଉଣ୍ଡ ପାଇଁ ଟିକେଟ କରିବାର ମାସକ ପରେ ସମୟ ମିଳୁଛି। ଯାଜପୁର ଛତିଆ ଅଞ୍ଚଳର ଅଚ୍ୟୁତ କୁମାର ସାହୁ ସୂଚନା ଅଧିକାର ଆଇନରେ କଟକ ବଡମେଡିକାଲ କର୍ତୃପକ୍ଷଙ୍କୁ କେତେକ ତଥ୍ୟ ମାଗିଥିଲେ। ଜଣେ ରୋଗୀଙ୍କ ଅଲଟ୍ରାସାଉଣ୍ଡ ପାଇଁ କେତେ ଦିନ ସମୟ ଲାଗେ ବୋଲି ଶ୍ରୀ ସାହୁ ସୂଚନା ମାଗି ଥିବା ବେଳେ ଏସସିବି ରଂଜନ ରଶ୍ମି ବିଭାଗର ମୁଖ୍ୟ ଗତ ୩ ତାରିଖରେ ତାଙ୍କୁ ଉତ୍ତର ଦେଇଥିଲେ। ଉତ୍ତର‌ରେ ବିଭାଗୀୟ ମୁଖ୍ୟ ଲେଖିଛନ୍ତି କି, କଟକ ବଡଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ରୋଗୀ ଆସିଥା’ନ୍ତି। ରଂଜନ ରଶ୍ମି ଏକ ସ୍ନାତକୋତ୍ତର ବିଭାଗ। ଏଠାରେ ୨୪ ଘଣ୍ଟିଆ ‌ସେବା ମିଳିଥିାଏ। ମାତ୍ର ରୋଗୀ ସବୁ ବେଳେ ଘରକୁ ଫେରିବାକୁ ତରବର ହୁଅନ୍ତି।

ଏତେ ରୋଗୀଙ୍କର ଅଲଟ୍ରାସାଉଣ୍ଡ ସୀମିତ ସମୟରେ କରିବା ସମ୍ଭବ ହୋଇନଥାଏ। ତେଣୁ ‌ରୋଗୀ ବାଧ୍ୟ କରି ଅନ୍ୟ ଦିନରେ ଆସିବାକୁ ଅନୁରୋଧ କରିଥା’ନ୍ତି। ଲୋକମାନେ ତାଙ୍କ ସୁବିଧା ଅନୁସାରେ ସମୟ ନେଇଥା’ନ୍ତି ବୋଲି ସେ ତଥ୍ୟରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଶ୍ରୀ ସାହୁ କହିଛନ୍ତି କି, କୁନିଲତା ପ୍ରଧାନ ନାମରେ ଜଣେ ରୋଗୀ ୨୦୨୦ ଡିସେମ୍ବର ୫ ତାରିଖରେ କଟକ ବଡଡାକ୍ତରଖାନାର ଜେନେରାଲ ସର୍ଜରୀ ଆଉଟଡୋରକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ‌ରୋଗ ଦେଖିବା ପରେ ତାଙ୍କୁ ବିଭିନ୍ନ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେଥିରେ ବିଭିନ୍ନ ରକ୍ତ ପରୀକ୍ଷା କରିବା ସହିତ ଅଲଟ୍ରାସାଉଣ୍ଡ୍ କରିବାକୁ କହିଥିଲେ। ରୋଗୀ ଜଣକ ସରକାର ଯୋଗାଉଥିବା ମାଗଣା ଅଲଟ୍ରାସାଉଣ୍ଡ ଚିକିତ୍ସା ପାଇଁ ରଂଜନ ରଶ୍ମି ବିଭାଗକୁ ଯାଇଥ‌ିଲେ। ମାତ୍ର ରଂଜନ ରଶ୍ମି ବିଭାଗ ତାଙ୍କର ଅଲଟ୍ରାସାଉଣ୍ଡ କରି ନଥିଲେ। ବିଭିନ୍ନ କାରଣ ଦର୍ଶାଇ ତାଙ୍କୁ ମାସକ ପରେ ଅର୍ଥାତ ୮.୧.୨୦୨୧ରେ ଆସିବାକୁ କହିଥିଲେ। ଆଉଟ ଡୋର ଟିକେଟ ଉପରେ ପରବର୍ତ୍ତି ତାରିଖ ଉଲ୍ଲେଖ କରିଥିଲେ। ଏଭଳି ଶହ ଶହ ରୋଗୀ ପ୍ରତିଦିନ କଟକ ବଡଡାକ୍ତରଖାନାରୁ ନିରାଶ ହୋଇ ଫେରୁଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର