କଟକ: ୪ଟି ଅଲଟ୍ରାସାଉଣ୍ଡ ମେସିନ୍‌। ଦିନକୁ ୮୦ ରୁ ଟପୁନି ପରୀକ୍ଷା ସଂଖ୍ୟା। ଅଲଟ୍ରାସାଉଣ୍ଡ ପାଇଁ ରୋଗୀଙ୍କ ଲମ୍ବା ଲାଇନ୍‌ ଥିଲେ ବି ସେଭଳି ଭିତ୍ତିଭୂମି ନଥିବାରୁ କାହାକୁ ମାସେ ତ’ କାହାକୁ ଦେଢ଼ମାସ ଅପେକ୍ଷା କରିବାକୁ ପଡୁଛି। ଏପଟେ କୋଟି କୋଟି ଟଙ୍କା ବ୍ୟୟରେ ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ କରାଯାଉଥିବା ବେଳେ ଅଧିକସଂଖ୍ୟକ ଅଲଟ୍ରାସାଉଣ୍ଡ ମେସିନ୍‌ ଓ ମାନବସମ୍ବଳ ବୃଦ୍ଧି କରାଯାଉନି। ଯା’ଫଳରେ ରୋଗୀ ମାଗଣା ଚିକିତ୍ସା ନାଁରେ ଯାତନା ପାଉଛନ୍ତି। ବର୍ଷ ବର୍ଷ‌ ହେଲା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟ ଏଭଳି କଷ୍ଟ ଭୋଗୁଛନ୍ତି। ସମସ୍ତେ ଜାଣୁଛନ୍ତି, ହେଲେ ସମାଧାନର ପନ୍ଥା ବାହାରିପାରୁନି। ଫଳସ୍ବରୂପ, ରୋଗୀମାନେ ଅନେକ କ୍ଷେତ୍ରରେ ଘରୋଇ ଡାଗ୍ନୋଷ୍ଟିକ୍‌ ସେଣ୍ଟର୍‌କୁ ଯିବାକୁ ବାଧ୍ୟ ହେଉଛନ୍ତି। ବଡ଼ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଭିତରୁ ଅନେକ ରୋଗୀ ଅଲଟ୍ରାସାଉଣ୍ଡ କରି ରିପୋର୍ଟ ଦେଖାଇବା ପାଇଁ ପ୍ରତିଦିନ ଡାକ୍ତର ଚିଠା ଲେଖୁଛନ୍ତି।

Advertisment

ହେଲେ ଅଲଟ୍ରାସାଉଣ୍ଡ ପାଇଁ ଗଲାବେଳକୁ ଚିଠା ଉପରେ ଲେଖି ଦିଆଯାଉଛି ଲମ୍ବା ଅନ୍ତରାଳର ତାରିଖ। କାହାର ମାସେ ପରେ ତ’ ଆଉ କାହାର ଦେଢ଼ମାସ ପରେ ପଡୁଛି ତାରିଖ। ଏପଟେ ରିପୋର୍ଟ ନଦେଖିଲେ ଡାକ୍ତର ଔଷଧ ଦେଉ ନାହାନ୍ତି। ଯନ୍ତ୍ରଣା କେଉଁ କାରଣରୁ ହେଉଛି ତାହା ନଜାଣିଲେ ଡାକ୍ତର ଔଷଧ ଲେଖନ୍ତେ ବା କେମିତି? କେବଳ ସେତିକି ନୁହେଁ, ଚିଠାରେ ଦିଆଯାଇଥିବା ତାରିଖ (ମାସେ, ଦେଢ଼ମାସ ପର)ରେ ଅଲଟ୍ରାସାଉଣ୍ଡ ପାଇଁ ରୋଗୀ ଯଦି ଆସିବେ ସେତେବେଳେ ତାଙ୍କ ଅବସ୍ଥା କେମିତି ଥିବ ତାହା ସହଜେ ଅନୁମେୟ। ପ୍ରତିଦିନ ୭ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ରାଜ୍ୟର ସବୁଠାରୁ ବଡ ରେଫରାଲ୍‌ ହସ୍ପିଟାଲ ଏସ୍‌ସିବିକୁ ଯଦି ସରକାର ବ୍ୟବସ୍ଥିତ ନକରିବେ ତାହେଲେ ରୋଗୀ କେବଳ ‌ହନ୍ତସନ୍ତ ହେବା ସାର ହେବ। ତୁରନ୍ତ ସ୍ବାସ୍ଥ୍ୟବିଭାଗ ଏସ୍‌ସିବିରେ ଅଲଟ୍ରାସାଉଣ୍ଡକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ମେସିନ୍‌ ଓ ମାନବସମ୍ବଳ ଦେବାକୁ ରୋଗୀ ଓ ସଂପର୍କୀୟମାନେ ଦାବି କରିଛନ୍ତି।