କଟକ: ଡିଏଭି ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲର ସ୍ଥାନାନ୍ତରଣ ଓ ପିଲାଙ୍କୁ ଭାଗଭାଗ କରି ଅନ୍ୟ ଦୁଇ ଡିଏଭିରେ ଶିକ୍ଷାଦାନର ବ୍ୟବସ୍ଥା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଭିଭାବକ, ଶିକ୍ଷକ, ପୁରାତନ ପରିଚାଳନା କମିଟି, ସହରର ବୁଦ୍ଧିଜୀବୀ ପ୍ରମୁଖ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଛନ୍ତି। କୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ସେଠାରେ ଥିବା ଅନୁଷ୍ଠାନ ବା ବସବାସ କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ଥାଇଥାନ ବ୍ୟବସ୍ଥା କରିବା ରାଜ୍ୟରେ ବା ଦେଶରେ କିଛି ନୂଆ ଘଟଣା ନୁହେଁ। ଏଭଳି ଘଟଣା ପୂର୍ବରୁ ହୋଇଛି ଓ ମେଡିକାଲ ପରିସର ତଥା ରିଂବନ୍ଧ ପାର୍ଶ୍ବରେ ରହୁଥିବା ଲୋକଙ୍କ ପାଇଁ ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କିନ୍ତୁ ୧୫ଶହରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଡିଏଭି ଏସ୍ସିବି ମେଡିକାଲ ସ୍କୁଲ ପ୍ରତି ଏଭଳି ବୈମାତୃକ ମନୋଭାବ କ’ଣ ପାଇଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୁଣି ନଭେମ୍ବର/ଡିସେମ୍ବରରେ ହେବାକୁ ଥିବା ଆଇସିଏସ୍ଇ ବୋର୍ଡର ଦଶମ ପରୀକ୍ଷା ଅଫ୍ଲାଇନ୍ରେ ଓ ନିଜ ସ୍କୁଲରେ ହେବାକୁ ଥିବାରୁ ଏବେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଡୁଆରେ ପଡ଼ିଛନ୍ତି।
ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ ଡିଏଭି ମ୍ୟାନେଜ୍ମେଣ୍ଟ ପକ୍ଷରୁ ଆର୍ଡିସି ଓ ଜିଲ୍ଲାପାଳଙ୍କୁ ଭେଟି ପରୀକ୍ଷା ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାନାନ୍ତରଣ ବନ୍ଦ ରଖିବାକୁ ଚୂଡାନ୍ତ ହୋଇଛି। ମହତ ଉଦ୍ଦେଶ୍ୟ ନେଇ ଗଢ଼ିଉଠିଥିବା ମେଡିକାଲ ପବ୍ଲିକ୍ ସ୍କୁଲ ୪୯ବର୍ଷ ଧରି ଅସଂଖ୍ୟ ମେଧାବୀ ଛାତ୍ରଛାତ୍ରୀ ଗଢ଼ି ତୋଳିଛି। ତଥାପି ଏହି ଅନୁଷ୍ଠାନ ଅନେକଥର ପ୍ରାଶାସନିକ ଅସହଯୋଗର ଶିକାର ହୋଇଛି। ୧୯୭୨ ଅଗଷ୍ଟ ୧୫ତାରିଖରେ ମା’ ରମାଦେବୀ ଏହି ଅନୁଷ୍ଠାନର ଉଦ୍ଘାଟନ କରିଥିଲେ। ପ୍ରଥମେ କମିସନର ବିଲିଡିଂ(ବର୍ତ୍ତମାନର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର)ରେ ନର୍ସରି ସ୍କୁଲ ଭାବେ ଆରମ୍ଭ ହୋଇଥିଲା। ୧୯୭୬ରେ ତତ୍କାଳୀନ ଗଭର୍ଣ୍ଣର ବି.ଡି.ଯତି ମେଡିକାଲ ପରିସରସ୍ଥ ସୁପରିଟେନ୍ଡେଣ୍ଟଙ୍କ ବିଲିଡିଂକୁ ଆସିବାକୁ ଅନୁମତି ଦେଇଥିଲେ। ଭଙ୍ଗାରୁଜା ହୋଇ ପଡ଼ିଥିବା ସୁପରିଟେନ୍ଡେଣ୍ଟ୍ ବିଲିଡିଂକୁ ସ୍କୁଲ ନିଜ ଅର୍ଥରେ ମରାମତି କରି ଶିକ୍ଷାଦାନ ଆରମ୍ଭ କରିଥିଲା। ୧୯୯୧ରେ ସ୍କୁଲ ପୂର୍ଣ୍ଣରୂପେ ଚାଲିବା ସହିତ ଏହାର ପ୍ରଥମ ବ୍ୟାଚ୍ ଆଇସିଏସ୍ଇ ବୋର୍ଡ ପରୀକ୍ଷା ଦେଲେ। ସେହି ସମୟରେ ୧୫ଶହରୁ ଅଧିକ ପିଲା ପଢ଼ୁଥିବାରୁ ମେଡିକାଲ ପରିସର ଜନଗହଳି ହେବାରୁ ସରକାର ପୁଣି ଏହାକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ। ଏହି ସମୟରେ ସ୍କୁଲ ଚାଲିଥିବା ପୁରୁଣା ବିଲିଡିଂର ମୂଲ୍ୟ ସରକାର ଦେଢ଼କୋଟି ବୋଲି ଆକଳନ କଲେ। ଏହା ବଦଳରେ ବର୍ତ୍ତମାନ ସ୍କୁଲ ଚାଲିଥିବା ସ୍ଥାନରେ ଥିବା ଜମିକୁ ଦେଲେ ଓ ଏଠାରେ ନୂଆ କୋଠା ନିର୍ମାଣ ହୋଇ ୨୦୧୦ରେ ବିଦ୍ୟାଳୟ ଏହି ନୂଆ ବିଲିଡିଂକୁ ଆସିଲା। ବର୍ତ୍ତମାନର ବିଲିଡିଂରେ ସ୍କୁଲ ନିଜସ୍ବ ପାଣ୍ଠିରୁ ୬କୋଟି ଟଙ୍କା ଖର୍ଚ କରିଛି। ପୁଣି ୨୦୨୦ରେ ମେଡିକାଲ କ୍ୟାମ୍ପସ ଛାଡିବାକୁ ନୋଟିସ୍ ଆସିଲା।
ଏବେ ୧୫ଦିନ ମଧ୍ୟରେ ସ୍କୁଲ ଖାଲି କରିବାକୁ ନିର୍ଦ୍ଦେଶ ଆସିଛି। ବିନା ସରକାରୀ ଅନୁଦାନରେ ଚାଲିଥିବା ଏଭଳି ସମ୍ମାନଜନକ ଶିକ୍ଷାୟତନ ପ୍ରତି ସରକାରଙ୍କ ଏଭଳି ମାନସିକତାକୁ ସମାଲୋଚନା କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି। ସ୍କୁଲର ପ୍ରାକ୍ତନ ପରିଚାଳନା କମିଟି ସଦସ୍ୟ ତଥା ପ୍ରତିଷ୍ଠାତା-ସଭ୍ୟ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କହିଛନ୍ତି ଯେ, ସରକାର ସ୍କୁଲକୁ ଉଠାଇବେ କି ରଖିବେ, ଆମେମାନେ ଦ୍ବନ୍ଦ୍ବରେ ରହିଲୁ। ବୟସାଧିକ କାରଣରୁ ଆମେ ଆଉ ଏସବୁ ବୁଝିବା ସମ୍ଭବ ହେଲା ନାହିଁ। ଏଥିପାଇଁ ବାଧ୍ୟ ହୋଇ ଆମେ ଡିଏଭି ମ୍ୟାନେଜ୍ମେଣ୍ଟ ସଂସ୍ଥାକୁ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲକୁ ହସ୍ତାନ୍ତର କରିଥିଲୁ। ହସ୍ତାନ୍ତର ସମୟରେ ସ୍କୁଲରେ ଗଚ୍ଛିତ ଥିବା ଅର୍ଥ ମଧ୍ୟ ଡିଏଭି ମ୍ୟାନେଜ୍ମେଣ୍ଟ ପାଖରେ ରହିଛି। ଏବେ ଡିଏଭି ମ୍ୟାନେଜମେଣ୍ଟ ଏହାର ଦାୟିତ୍ବରେ ଅଛନ୍ତି। ଏବେ ସରକାର ସ୍କୁଲ ଉଠାଇବାକୁ ପୁଣି ବିଜ୍ଞପ୍ତି ଜାରି କରିଛନ୍ତି। କମ୍ ସମୟରେ ଏତେ ପିଲାଙ୍କୁ ଗୋଟିଏ ସ୍ଥାନରେ ରଖି ଶିକ୍ଷାଦାନ ବ୍ୟବସ୍ଥା କରିବା ସମ୍ଭବ ନହେବାରୁ ସେମାନେ ବାଧ୍ୟ ହୋଇ ଦୁଇଟି ଡିଏଭିରେ ଏହି ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଦ୍ୟାଳୟ ସ୍ଥାନାନ୍ତରଣ କରିବା ପୂର୍ବରୁ ପ୍ରଥମେ ନୂଆକୋଠ ନିର୍ମାଣ କରି ସେଠାକୁ ନେବା ଉଚିତ ବୋଲି ପ୍ରଫେସର ଡାକ୍ତର ପଣ୍ଡା ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/S-C-B-MADICAL-P-SCHOOL100941-1.jpg)