ଡିଏଭି ଏସ୍‌ସିବି ମେଡିକାଲ ସ୍କୁଲ ଦୁଇଭାଗ କରାଯିବାକୁ ଅଭିଭାବକଙ୍କ ପ୍ରତିବାଦ

କଟକ: ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ସ୍ଥାନାନ୍ତର ଓ ବର୍ତ୍ତମାନ ଭାଗଭାଗ କରାଯିବା ପ୍ରସଙ୍ଗକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋ‌ଷ ଦେଖାଦେଇଛି। ଶିକ୍ଷାବର୍ଷ ମଝିରେ ଏଭଳି ଅବାନ୍ତର ନିଷ୍ପତ୍ତିକୁ ଅନେକ ଅଭିଭାବକମାନେ ଦୃଢ଼ ବିରୋଧ କରିଛନ୍ତି। ସରକାରୀ ଜମିରେ ବେଆଇନ ଭାବେ ଘର କରିଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ପରେ ଘର ଉଚ୍ଛେଦ ହେଉଥିବା ବ‌େଳେ ୫୦ ବ‌ର୍ଷର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ପାଇଁ ଏହା ଲାଗୁ କରାଯାଉନି କାହିଁକି? ସ୍କୁଲ କର୍ତ୍ତୃପକ୍ଷ ଓ ସରକାରଙ୍କର ଯେଉଁ ବୈଠକ ବସିଲା, ସେଥିରେ ଅଭିଭାବକଙ୍କ ପ୍ରତିନିଧିକୁ ସାମିଲ କରାଗଲାନି କ’ଣ ପାଇଁ? ଗୋଟିଏ ଛାତ ତଳେ ପଢ଼ୁଥିବା କୋମଳମତି ପିଲାଙ୍କୁ ଦୁଇଭାଗ କରି ଦୁଇଟି ସ୍କୁଲକୁ ପଠାଇବା ପୂର୍ବରୁ ପିଲାଙ୍କ ଭାବାବେଗ କଥା ବିଚାର କରାଯାଇଛି କି? ଯେଉଁ ଅଭିଭାବକଙ୍କର ଦୁଇ/ତିନି ଜଣ ପିଲା ପଢ଼ୁଛନ୍ତି ସେମାନେ ଏବେ କ’ଣ କରିବେ? ଯେଉଁ ଦୁଇ ଡିଏଭି ସ୍କୁଲକୁ ମେଡିକାଲ ସ୍କୁଲ ପିଲା ଯିବେ, ସେଠାରେ ଯଥେଷ୍ଟ ଭିତ୍ତିଭୂମି ରହିଛି ତ?

ସରକାର କହୁଥିବା ନୂଆ ବିଲିଡିଂ ଗୋଟିଏ ବର୍ଷରେ ସଂପୂର୍ଣ୍ଣ ହୋଇଯିବ, ଏହାର ଗ୍ୟାରେଣ୍ଟି କିଏ ଦେବେ?…. ଏହିଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ଏପରିକି ପିଲାଙ୍କ ଭବିଷ୍ୟତକୁ ନେଇ ଅଧିକାଂଶ ଅଭିଭାବକଙ୍କ ଚିନ୍ତା ବଢ଼ିଯାଇଛି। ନିଜ ସୁବିଧା ଦୃଷ୍ଟିରୁ ମେଡିକାଲ ସ୍କୁଲକୁ ଚୟନ କରିଥିବା ଅଭିଭାବକ ଏବେ ଦ୍ବନ୍ଦ୍ବରେ। ଏପରିକି କିଛି ଛାତ୍ରଛାତ୍ରୀ ସେମାନଙ୍କ ବାପାମା’ଙ୍କୁ ଏ ବିଷୟରେ ପ୍ରଶ୍ନ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ଆଇସିଏସ୍‌ଇ ବୋର୍ଡ ପରୀକ୍ଷା ନଭେମ୍ବର ୨୯ରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଚାଲୁଥିବାରୁ ଦଶମ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ସବୁଠୁ ଚିନ୍ତାରେ ଅଛନ୍ତି। ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

ଘର ପାଖ ଛାଡ଼ି ପିଲା ଏତେବାଟ ଯିବ‌େ କାହିଁକି ?
ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରଶାସନ ନିଷ୍ପତ୍ତି ନେବା ପୂର୍ବରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ କଥା ଚିନ୍ତା କରିବା ଉଚିତ। ଆମେ ଆଇସିଏସ୍‌ଇ ବୋର୍ଡରେ ପଢ଼ାଇବାକୁ ଚାହିଁଥିଲୁ। ତେଣୁ ଘର ପାଖ ଦେଖି ପିଲାଙ୍କୁ ମେଡିକାଲ ପବ୍ଲିକ୍ ସ୍କୁଲରେ ଆଡ୍‌ମିସନ କରିଥିଲୁ। ବୋର୍ଡ ବଦଳାଇ ‌ଦେଲେ। ଏବେ ସ୍କୁଲକୁ ବଦଳାଇ ‌ଦେଲେ। ଆମ ପିଲା ଘର ପାଖ ଛାଡି ୧୦ କିମି ଦୂର ସିଡିଏ ଡିଏଭିକୁ ଯିବ କାହିଁକି?
ସ୍ବର୍ଣ୍ଣଲତା ମହାନ୍ତି, ଅଭିଭାବିକା, ମଙ୍ଗଳାବାଗ

ପିଲାଙ୍କ କ୍ୟାରିୟର୍‌ ସହ ‌ଖେଳ
୧୫ଶହରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ମେଡିକାଲ ପବ୍ଲିକ୍ ସ୍କୁଲ କଟକ ସହର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ। ଏଥିରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସୃ୍ଷ୍ଟି ହୋଇଛନ୍ତି, ଭବିଷ୍ୟତରେ ସୃଷ୍ଟି ହେବେ, ଏଥିରେ ସନ୍ଦେହ ନାହିଁ। ଆର୍‌ଡିସି ଓ ଜିଲ୍ଲାପାଳ ବୈଠକ କରି ୧୫ଦିନରେ ସ୍କୁଲ ବନ୍ଦ ପାଇଁ ଚିଠି କରିଥିଲେ। କିନ୍ତୁ ୧୫୬୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖିଲେ ନାହିଁ। ଯଦି ‌ପିଲାଙ୍କ କଥା ଚିନ୍ତା କରିଥାନ୍ତେ, ତେବେ ପ୍ରଥମେ ଥଇଥାନ ଓ ପରେ ଖାଲି କରିବା କଥା କହିଥା‌ନ୍ତେ। ସରକାରଙ୍କ ଏଭଳି ନିଷ୍ପତ୍ତିରେ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ ଓ ଶିକ୍ଷକ ନିରବ କାହିଁକି, ତାହା ଚିନ୍ତାର ବିଷୟ। ସରକାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।
ବିଶ୍ବଜୀବନ ମିଶ୍ର, ଅଭିଭାବକ

ସ୍କୁଲ ଦୁଇଟି ସ୍ଥାନରେ ଚାଲିଲେ ଆମେ ହଇରାଣ ହେବୁ
ମୋର ୩ଟି ପିଲା ପଢ଼ୁଛନ୍ତି। ମୁଁ ଏକୁଟିଆ। ମୋର ଦୁଇଟି ପିଲା ସିଡିଏ ଡିଏଭି ଓ ଗୋଟିଏ ଏଲ୍‌ଆର୍‌ ଡିଏଭିକୁ ଗଲେ ଆମେ ହଇରାଣା ହୋଇଯିବୁ। ସରକାର ବିଦ୍ୟାଳୟ ଉଚ୍ଛେଦ ପୂର୍ବରୁ ସବୁ ପିଲାଙ୍କୁ ଗୋଟିଏ ସ୍ଥାନରେ ପଢ଼ାଇବାରୁ ବ୍ୟବସ୍ଥା କରନ୍ତୁ।
ସତ୍ୟସୁନ୍ଦର ମହାନ୍ତି, ଅଭିଭାବକ

ପିଲାଙ୍କ ଭବିଷ୍ୟତ ପାଇଁ ଦାୟୀ କିଏ ହେବେ?
୧୫ଶହ ପିଲା ଓ ସେମାନଙ୍କ ଅଭିଭାବକଙ୍କ ସୁବିଧା ଅସୁବିଧା ବିଷୟରେ ଚିନ୍ତା କରାଯାଇ ନାହିଁ। ଏପରିକି ଏ ସଂକ୍ରାନ୍ତରେ କୌଣସି ବୈଠକରେ ଅଭିଭାବକଙ୍କ ମତାମତ ଗ୍ରହଣ କରାଯାଇ ନାହିଁ। ୧୦୦/୧୫୦ଲୋକ ରହୁଥିବା ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ କରାଯାଉଛି। କିନ୍ତୁ ପିଲାଙ୍କ ବେଳକୁ ଏଭଳି ଅନ୍ୟାୟ କ’ଣ ପାଇଁ? ପିଲାଙ୍କ ଭବିଷ୍ୟତ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ତ? କୋଭିଡ୍‌ ସମୟରେ ସମସ୍ତେ ନିରବ ଥିବା ବ‌େଳେ ଏଭଳି ଚକ୍ରାନ୍ତ କରାଯାଇଛି।
ପ୍ରକାଶ କୁମାର ପରିଡ଼ା, ଅଭିଭାବକ

ସିଡିଏ ଡିଏଭି ଓ ଏଲ୍ଆର୍‌ ଡିଏଭିରେ ଯଥେଷ୍ଟ ସୁବିଧା ଅଛି ତ?
ମୋର ଦୁଇଟି ପିଲା। ଜଣେ ୫ମରେ ଓ ଜଣେ ୯ମରେ। ମୁଁ ଶଙ୍କରପୁରରେ ରୁହେ। ଦୁଇଟି ପିଲାଙ୍କୁ ଦୁଇଟି ସ୍କୁଲକୁ ପଠାଇବାରେ ସମସ୍ୟା ହେବ। ପୁଣି ମେଡିକାଲ ସ୍କୁଲର ୧୫୦୦ ପିଲାଙ୍କ ପାଇଁ ସିଡିଏ ଡିଏଭି ଓ ଏଲ୍ଆର୍‌ ଡିଏଭିରେ ଆବଶ୍ୟକ ଭିତ୍ତିଭୂମି ଅଛି ତ?
ବ୍ରଜେଶ କୁମାର ବିଶ୍ବାଳ, ଅଭିଭାବକ

ସଂପାଦକଙ୍କ ପ୍ରତିଶ୍ରୁତି କୁଆଡେ କଲା?
ମେଡିକାଲ ସ୍କୁଲ, ଡିଏଭି ହାତକୁ ଗଲା ବେଳେ ସଂପାଦକ କହିଥିଲେ, ବିଦ୍ୟାଳୟ କୁଆଡେ ଉଠିବ ନାହିଁ କି’ ପିଲାଙ୍କର କିଛି ଅସୁବିଧା ହେବ ନାହିଁ। ଏବେ ସଂପାଦକଙ୍କ ପ୍ରତିଶ୍ରୁତି କୁଆଡେ ଗଲା? ଦ୍ବିତୀୟ, ଯଦି ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ରହିପାରୁଛି, ତେବେ ମେଡିକାଲ ସ୍କୁଲ ରହିବାରେ ଅସୁବିଧା କେଉଁଠି? ଏସ୍‌ସିବି ଏମ୍‌ସ ପ୍ଲସ ହେବ। ମେଡିକାଲ ପରିସରରେ କର୍ମଚାରୀଙ୍କ ପାଇଁ ଅଧିକ କ୍ବାର୍ଟର ତିଆରି ଚାଲିଛି। ସେମାନଙ୍କ ପିଲା କେଉଁଠି ପଢ଼ି‌ବେ? ଆର୍‌ଡିସି ଓ କଲେକ୍ଟର କ’ଣ ଏହା ଦେଖିପାରୁ ନାହାନ୍ତି?
ଲଳିତ କୁମାର ପରିଡ଼ା, ଅଭିଭାବକ, ଜଗତପୁର

ନୂଆ ବିଲିଡିଂ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସ୍କୁଲ ସେଇଠି ଚାଲିଲେ ଅସୁବିଧା କ’ଣ?
ସ୍କୁଲ ପାଇଁ ଜମି ଚିହ୍ନଟ ହୋଇଛି। ସେଠାରେ ନୂଆ ବିଲିଡିଂ ଯୁଦ୍ଧକାଳୀନ ଭିତ୍ତିରେ ସରକାର ତିଆରି କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ। ସ୍କୁଲ ବିଲିଡିଂ କାମ ସଂପୂର୍ଣ୍ଣ ହୋଇଗଲେ, ସ୍କୁଲ ଉଠିଯିବ। ପିଲାଙ୍କ ଅଭିଷ୍ୟତ ଓ ଅଭିଭାବକଙ୍କ ସୁବିଧା ପାଇଁ ଏବେ ସ୍କୁଲ ସେଇଠି ଚାଲିଲେ, ଅସୁବିଧା କ’ଣ?
ପ୍ରେମ୍‌ଜିତ ମହାନ୍ତି, ଅଭିଭାବକ

ସମ୍ବନ୍ଧିତ ଖବର