ଏମ୍‌ସ୍‌ ପ୍ଲସ୍‌ ଏସ୍‌ସିବି ନିର୍ମାଣ କାର୍ଯ୍ୟ ସମୀକ୍ଷା; ୨୦୨୩ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

୪ଟି କାର୍ଯ୍ୟାଳୟ ପ୍ରତାପନଗରୀକୁ ଉଠିବ, ଏସ୍‌ସିବି ଆବାସିକ କୋଠା ନିର୍ମାଣ କାର୍ଯ୍ୟ କରିବ ନାଗାର୍ଜୁନ କନ୍‌ଷ୍ଟ୍ରକ୍‌ସନ୍‌

କଟକ: କଟକ ବଡ଼ ଡାକ୍ତରଖାନାକୁ ଏମ୍‌ସ ପ୍ଲସ୍‌ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହାର ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସକ ତଥା ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଯୁକ୍ତ ଗୋପବନ୍ଧୁ ଶତପଥୀ, ପୂର୍ତ୍ତ ବିଭାଗର ସ୍ଵତନ୍ତ୍ର ସଚିବ ହେମନ୍ତ ପାଢୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ପ୍ରକଳ୍ପର ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ବୈଠକରେ ଉପସ୍ଥିତ ବିଭାଗୀୟ ବରିଷ୍ଠ ଯନ୍ତ୍ରୀମାନଙ୍କୁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଏସିସିବି ପୁନଃବିକାଶ ନିମନ୍ତେ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ଓବିସିସି ଦ୍ଵାରା ଟେଣ୍ଡର କାର୍ଯ୍ୟ ଶେଷ ହୋଇଛି। ଏହି ଟେଣ୍ଡର ପ୍ରକ୍ରିୟାରେ ଏଲ ଆଣ୍ଡଟି କୁ କ୍ଲିନିକାଲ ବ୍ଲକ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଯେଉଁଥିରେ ୪ଟି କ୍ଲିନିକାଲ ଟାୱାର ନିର୍ମାଣ କରାଯାଇ ୨୦୫୮ ଅଧିକ ଶଯ୍ୟା ବିଶିଷ୍ଟ ସାଧାରଣ ମେଡିସିନ, ସ୍ଵତନ୍ତ୍ର ମେଡିସିନ, ସ୍ପେସିଲାଇଜଡ ସର୍ଜରୀ ଓ ଜରୁରୀ ଟ୍ରମା ସେବା ବ୍ୟବସ୍ଥା ରହିବ। ସେହିପରି ନାଗାର୍ଜୁନ କନ୍‌ଷ୍ଟ୍ରକସନ୍‌ କମ୍ପାନି (ଏନ୍‌ସିସି) ଦ୍ଵାରା ୬୭୨ ଆବାସିକ ବାସଗୃହ ୮ଟି ଆବାସିକ ଟାୱାର ନିର୍ମାଣ କରାଯିବା ପାଇଁ ମଧ୍ୟ କାର୍ଯ୍ୟାଦେଶ ଦିଆଯାଇଛି।

ଏଥିସହିତ ଏସ୍‌ସିବି ଡିଏଭି ପବ୍ଲିକ୍‌ ସ୍କୁଲର ନୂତନ କୋଠା ନର୍ମାଣ ସହ ରେଡକ୍ରସ ଭବନରୁ ସ୍ଥାନାନ୍ତରଣ ପ୍ରକ୍ରିୟା, ସ୍ଥାନାନ୍ତର ହୋଇ ନଥିବା ୪ଟି କାର୍ଯ୍ୟାଳୟକୁ ପ୍ରତାପନଗରୀକୁ ଏକ ମାସ ଭିତରେ ସ୍ଥା‌ନାନ୍ତର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଲଆଣ୍ଡ ଟି ଓ ନାଗାର୍ଜୁନ କନ୍‌ଷ୍ଟ୍ରକସନ୍‌ କମ୍ପାନି ଉକ୍ତ ପ୍ରକଳ୍ପର ବିସ୍ତୃତ ବିବରଣୀ ପାୱାର ପଏଣ୍ଟ ଜରିଆରେ ଦର୍ଶାଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓବିସିସିର ଏମ୍‌ଡି ଜେ କେ ଦାସ, ଏସସିବି ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ଵର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣଚନ୍ଦ୍ର ମିଶ୍ର, କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ ଓ ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର