ଆଶଙ୍କାରେ ୧୫୬୦ ଛାତ୍ରଛାତ୍ରୀ, ୪୩ ଶିକ୍ଷକ/ଶିକ୍ଷୟିତ୍ରୀ: ଡିଏଭି ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଦୁଇ ଭାଗକୁ ନେଇ ବଢ଼ୁଛି ଦ୍ବନ୍ଦ୍ବ
କଟକ: ଆଶଙ୍କାରେ ୧୫୬୦ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଚିନ୍ତାରେ ୪୩ ଜଣ ଶିକ୍ଷକଶିକ୍ଷୟିତ୍ରୀ। କିନ୍ତୁ ଏଭଳି ସ୍ଥିତିରେ ପ୍ରଶାସନ ଦେଉଥିବା ପ୍ରତିଶ୍ରୁତିର ବାସ୍ତବ କାର୍ଯ୍ୟକାରିତାକୁ ନେଇ ବାଜି ଲାଗିଛି ଡିଏଭି ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲର ଭବିଷ୍ୟତ। ୧୦ମ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ ସ୍କୁଲରେ ପଢୁଥିବା ୧୫୬୦ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପଢାଉଥିବା ୪୩ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍କୁଲ୍ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଦୁଇ ଭାଗରେ ବାଣ୍ଟି ଦିଆଯାଇଥିବା ବେଳେ ସେମାନେ କେତେ ବର୍ଷ ଏଭଳି ସ୍ଥିତିରେ ରହିବେ, ତାହାକୁ ନେଇ ନିଶ୍ଚିତ ହୋଇପାରୁ ନାହାନ୍ତି। କଟକ ବଡ ମେଡିକାଲ କ୍ୟାମ୍ପସରେ ଥିବା ଏହି ସ୍କୁଲର ପ୍ରଥମରୁ ସପ୍ତମ ଷ୍ଟାଣ୍ଡାର୍ଡ ଛାତ୍ରଛାତ୍ରୀ ଓ ୨୭ ଶିକ୍ଷକଶିକ୍ଷୟିତ୍ରୀ ସିଡିଏ ଡିଏଭି ପବ୍ଲିକ ସ୍କୁଲ ସହିତ ଯୋଡ଼ି ହେବାକୁ ଥିବା ବେଳେ ଅନ୍ୟପଟେ ୮ମରୁ ୧୦ମ ଷ୍ଟାଣ୍ଡାର୍ଡ ଛାତ୍ରଛାତ୍ରୀ ଏବଂ ୧୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଡ଼ି ହେବେ ଗଣ୍ଡରପୁରସ୍ଥିତ ଏଲ୍.ଆର. ଡିଏଭି ପବ୍ଲିକ ସ୍କୁଲରେ। ବର୍ତ୍ତମାନର କୋଭିଡ୍ ସ୍ଥିତିରେ ପ୍ରଥମରୁ ସପ୍ତମ ଷ୍ଟାଣ୍ଡାର୍ଡ ଛାତ୍ରଛାତ୍ରୀଙ୍କର ଅନଲାଇନ୍ ପାଠପଢା ଚାଲିଥିବାରୁ ସେମାନଙ୍କ ପାଇଁ ଆଉ କିଛି ମାସ ପାଇଁ ହୁଏତ ସମସ୍ୟା ହେବ ନାହିଁ। କିନ୍ତୁ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲି ଦିଆଯାଇଥିବା ବେଳେ ସେମାନଙ୍କ ଶିକ୍ଷାଦାନ ବର୍ତ୍ତମାନ ସବୁଠୁ ବଡ ଆହ୍ବାନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଅକ୍ଟୋବର ୨୫ ତାରିଖରୁ ରାଜ୍ୟରେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲି ଥିଲେ ବି ଏହି ସ୍କୁଲର ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଏଯାଏ ଆରମ୍ଭ ହୋଇ ପାରି ନାହିଁ। ଏହା ବ୍ୟତୀତ ଆଇସିଏସଇ ପାଠ୍ୟକ୍ରମ ପଢୁଥିବା ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ସିବିଏସଇ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଏଲଆରଡିଏଭି ସ୍କୁଲରେ ଯୋଡ଼ି ହୋଇଛନ୍ତି। ସେମାନଙ୍କ ପାଇଁ ପୁଣି ନିଜ ସ୍କୁଲରେ ପରୀକ୍ଷା ଦେବାର ନିୟମ ରହିଛି। ଏସବୁ ଘଟଣାକୁ ନେଇ ୧୫୬୦ ଅଭିଭାବକଙ୍କ ମୁଣ୍ଡ ଘୂରୁଥିବା ବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କିନ୍ତୁ ସ୍କୁଲର ବିକାଶକୁ ନେଇ ବିରାଟ ସ୍ବପ୍ନ ଦେଖାଇଛନ୍ତି। ଶ୍ରୀ ଚୟନୀ କହିଛନ୍ତି ଯେ ଦେଢ ଏକର ଅଞ୍ଚଳରେ ଥିବା ଏହି ସ୍କୁଲକୁ ସରକାର ଏବେ ଚାଉଳିଆଗଂଜ ଅଞ୍ଚଳରେ ଅଢେଇ ଏକର ଜମି ଦେଉଛନ୍ତି। ଏହି ଅତ୍ୟାଧୁନିକ ସ୍କୁଲ ନିର୍ମାଣ ପାଇଁ ପ୍ଲାନ୍ ଅନୁମୋଦନ ହୋଇ ସାରିଛି।
ସ୍କୁଲ ନିର୍ମାଣର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ୯ମାସ ମଧ୍ୟରେ ସ୍କୁଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୋଟାମୋଟି ଭାବେ ଆସନ୍ତା ବର୍ଷକ ଭିତରେ ଡିଏଭି ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଯେଭଳି ସେମାନଙ୍କର ନୂଆ ସ୍କୁଲକୁ ଯିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ଯେଉଁ ସାମୟିକ ଅସ୍ଥାୟୀ ବ୍ୟବସ୍ଥା ହୋଇଛି, ତାହାର ଅନ୍ୟ ବିକଳ୍ପ ନ ଥିଲା ବୋଲି ଜିଲ୍ଲାପାଳ କହିଛନ୍ତି। କିନ୍ତୁ ସହରରେ ବହୁ ବଡ଼ ବଡ ପ୍ରକଳ୍ପର ଶେଷ ହେବା ସମୟ ଯେଭଳି ବର୍ଷ ବର୍ଷ ଧରି ଗଡ଼ି ଚାଲିଛି, ସେଥିରେ ଏହି ସ୍କୁଲ ନିର୍ମାଣ ଶେଷକୁ ନେଇ ୧୫୬୦ ଛାତ୍ରଛାତ୍ରୀଙ୍କ ଅଭିଭାବକ ଭରସି ପାରୁ ନାହାନ୍ତି। କରୋନା କଟକଣା ଯଦି ଲାଗି ରୁହେ, ତେବେ ହୁଏତ ସେହି ସମୟ ଯାଏ ଯାହା ଯେମିତି ଚଳି ଯିବ, କିନ୍ତୁ ଯଦି ସ୍ଥିତି ସ୍ବାଭାବିକ ହୋଇ ସ୍କୁଲ ଖୋଲିଯାଏ ତେବେ ସେମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅନେକ ଅଭିଭାବକ ଆଶଙ୍କା କରୁଛନ୍ତି। କିନ୍ତୁ ସ୍କୁଲର ନୂଆ କୋଠା ନିର୍ମାଣ ଯଦି ୯ମାସ ଭିତରେ ସରି ଯିବ, ତେବେ ସେହି ସମୟ ଯାଏ ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲ କୋଠା ଭଙ୍ଗା ନିଷ୍ପତ୍ତିକୁ କାହିଁକି ଟାଳି ଦିଆଯାଉ ନାହିଁ ବୋଲି ଅନେକ ଅଭିଭାବକ ଏବେ ପ୍ରଶ୍ନ କରୁଛନ୍ତି।