କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି) ପୁର୍ନବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଶନିବାର ଅନୁମୋଦନ କରିବା ପରେ ସୋମବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟାରେ ୩୦୦ରୁ ଅଧିକ ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଥଇଥାନ ନେଇ କଟକ ମହାନଗର ନିଗମ ସହ ଆଲୋଚନା ହୋଇଛି। ଦୋକାନ ଓ କ୍ୱାର୍ଟର୍ସ ଭଙ୍ଗାଯିବା କାମ ମଧ୍ୟ ଖୁବ୍ ଶୀଘ୍ର ତ୍ୱରାନ୍ଵିତ କରାଯିବ।
ଥଇଥାନ ଓ ପୁନର୍ବାସ ପ୍ୟାକେଜ କଟକ ଜିଲ୍ଳାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ। ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆର୍.ଡି.ସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇପାରିବେ। ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ।
ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ। ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ସହାୟତା ମିଳିବ।
ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ମିିଳିବାକୁ ଥିବା ବେଳେ ପ୍ରତି ପରିବାର ପାଇଁ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ମିଳିବ। ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ ୮ ଦିନ ପାଇଁ ଖାଦ୍ୟ ଦିଆଯିବ। ସେହିପରି ସ୍ଥାନାନ୍ତର ସମୟରେ କଟକ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ। ସିଏମ୍ସିରେ ରେଜିଷ୍ଟ୍ରି କରିଥିବା ଦୋକାନୀମାନଙ୍କୁ ଏକକାଳୀନ ୧ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ସ୍ଥାୟୀ ଦୋକାନ ପରିବହନ ବ୍ୟବସ୍ଥା ପାଇଁ ୨ କିସ୍ତିରେ ୧ ଲକ୍ଷ ଟଙ୍କା ମିଳିବ। ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ଦିଆଯିବ। ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା, ଧାର୍ମିକ ଅନୁଷ୍ଠାନ, କ୍ଲବ ପାଇଁ ୧ ଲକ୍ଷ ଟଙ୍କା, ଗାଈ ଗୁହାଳ ପିଛା ୨୦ ହଜାର ଟଙ୍କା ମିଳିବ।
ସରକାରୀ କ୍ୱାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡ଼ା ଓ ସ୍ୱତନ୍ତ୍ର ସହାୟତା ଦିଆଯିବ। ଏହା ୧୨ ମାସ ପାଇଁ ଅଥବା ନୂଆ କ୍ୱାର୍ଟର୍ସ ମିଳିବା ଯାଏ ମାସିକ ସହାୟତା ପ୍ରଦାନ କରାଯିବ। ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦ ଟଙ୍କା, ୨ୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫୦୦ ଟଙ୍କା ମିଳିବ। ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ସହାୟତା ବୃଦ୍ଧି ଓ ପରିବର୍ତ୍ତନ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/SCB-Medical-college-and-Hospital.jpg)