କଟକ: କଟକ ବଡ଼ ମେଡିକାଲରେ ମୋବାଇଲ ଫୋନ୍ ବନ୍ଧକ ରଖିଲେ ଷ୍ଟ୍ରେଚର ମିଳୁଛି। ଅର୍ଥାତ ବଡମେଡିକାଲ ଜରୁରିକାଳୀନ ବିଭାଗରେ ରୋଗୀଙ୍କ ପାଇଁ ଆବଶ୍ୟକ ଷ୍ଟ୍ରେଚର କି ହ୍ବିଲ ଚେୟାର ନାହିଁ। କିନ୍ତୁ ବ୍ୟବସ୍ଥାର ଆଉଟସୋର୍ସିଂ ଆଳରେ ବିଭିନ୍ନ ସଂସ୍ଥ‌ାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଗଣି ଦିଆଯାଉଛି। କଟକ ବଡଡାକ୍ତରଖାନାର ପରିମଳ ଟେଣ୍ଡରକୁ ନେଇ ସୂଚନା ଅଧିକାର ଆଇନ ବଳରେ ଆଇନଜୀବୀ ଚିତ୍ତରଂଜନ ମହାନ୍ତି ମାଗିଥିବା ତଥ୍ୟରୁ ଅନେକ ଅନିୟମିତତା ସାମନାକୁ ଆସିଛି। ଗୋଟିଏ ଦିନରେ ଟେକ୍ନିକାଲ ଓ ପ୍ରାଇସ୍ ବିଡ୍ ଖୋଲି ସେହି ଦିନ ଏକ ନିର୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦିଆଯିବା, ଧାର୍ଯ୍ୟ ତାରିଖଠାରୁ ତିନି ମାସ ବିଳମ୍ବରେ ଟେଣ୍ଡର ଖୋଲାଯିବା, ମଜୁରି ବୃଦ୍ଧିକୁ ଆଳ କରି ମନଇଚ୍ଛା ବର୍ଗ ମିଟର ପିଛା ଦର ବୃଦ୍ଧି କରାଯିବା ଭଳି ତଥ୍ୟ ସାମନାକୁ ଆସିଛି।
ତଥ୍ୟ ଅନୁଯାୟୀ ୨୦୧୯, ଜାନୁଆରି ୧୫ ତାରିଖରେ ଏସ୍‌ସିବି ପରିମଳ (ସଫେଇ) ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତିନି ବର୍ଷ ପାଇଁ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ଆହ୍ବାନ ୩୦ ଦିନରେ ଟେଣ୍ଡର ଖୋଲିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଅର୍ଥାତ ୧୪/୨/୧୯‌ରେ ଟେଣ୍ଡର ଖୋଲିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ତିନି ମାସ ବିଳମ୍ବରେ ଅର୍ଥାତ ୨୫.୫.୨୦୧୯ରେ ଟେଣ୍ଡର ଖୋଲାଯାଇଥିଲା। ପୁଣି ସେହି ଗୋଟିଏ ଦିନରେ ଟେଣ୍ଡର ଖୋଲାଯାଇ, ସେହି ଦିନ ‌ଯୋଗ୍ୟ ବିବେଚିତ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା। ଏହି ଟେଣ୍ଡରରେ ୬ଟି ସଂସ୍ଥା ସୁମିତ ସିକ୍ୟୁରିଟି ସର୍ଭିସ ଭୁବନେଶ୍ବର, ପରିତୋଷ ସର୍ଭିସ ଏଜେନ୍ସି, ପ୍ରତ୍ୟୁଷ, ଭୁବନେଶ୍ବର, ସୁରେନ୍ଦ୍ର ବାରିକ, ଦି ଶଙ୍କର ଓ ଏଲ.ଆଣ୍ଡ କେ ଭୁବନେଶ୍ବର ଭାଗ ନେଇଥିଲେ। କିନ୍ତୁ ଜଣେ ନିର୍ଦିଷ୍ଟ ମାଲିକଙ୍କ ଦ୍ବାରା ପରିଚାଳିତ ପ୍ରତ୍ୟୁଷ ଓ ପରିତୋଷକୁ ଏଲ-୧,ଏଲ-୨ ମିଳିଥିବା ବେଳେ ସୁମିତ ନାମକ ଏକ ସଂସ୍ଥା ଏଲ-୩ ବିବେଚିତ ହୋଇଥିଲା। ମାତ୍ର ସମ୍ବଲପୁର ମେଡିକାଲରେ କାମ କରୁଥିବା ଏଲ୍‌ ଆଣ୍ଡ କେ ନାମକୁ ଏକ ସଂସ୍ଥାକୁ ଟେକ୍ନିକାଲ ବିଡ୍‌ରୁ କାଟି ଦିଆଯାଇଥିଲା। ଆବଶ୍ୟକ କାଗଜ ଦେଇ ନଥିବାରୁ ଏଲ୍‌ ଆଣ୍ଡ୍ କେ ଏଥିରୁ ବାଦ ପଡିଥିଲା। ଯଦିଓ ପ୍ରାଇସ ବିଡ୍‌ରେ ସବୁଠୁ କମ୍‌ ମୂଲ୍ୟ ଏହି ସଂସ୍ଥ‌ା ଦେଇଥିଲା। ଏଲ-୧ ପାଇଥିବା ପରିତୋଷ ୨୫ ଟଙ୍କା ୧୪ ପଇସା ପ୍ରତି ବର୍ଗ ମିଟର ଦର ଦେଇଥିବାରୁ ପରିତୋଷକୁ ଟେଣ୍ଡର ମିଳିଥିଲା।

Advertisment

ତେବେ ଫାଇନାନସିଆଲ ବିଡ୍ ଖୋଲିବା ପାଇଁ ତିନି ମାସ କାହିଁକି ଅପେକ୍ଷା କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ସଂପୃକ୍ତ ସଂସ୍ଥା ସଲଭେନ୍‌ସି ରିପୋର୍ଟ ଦେଇଛି କି ନାହିଁ, ଯଦି ଦେଇଛି କେତେ ଟଙ୍କାର ଦେଇଛି, କେବେ ଦେଇଛି ସେ ତଥ୍ୟ କିନ୍ତୁ ଏସ୍‌ସିବି କର୍ତ୍ତୃପକ୍ଷ ଦେଇ ନାହାନ୍ତି। ସେପଟେ ପୂର୍ବରୁ କାମ କରୁଥିବା ସଂସ୍ଥା ଅଧିକ ‌ଟଙ୍କା ନେଇଥିବା ସଂପର୍କରେ ଅଡିଟ୍ ଆପତ୍ତି ଉଠାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏ ତଥ୍ୟ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ସୂଚନା ଅନୁଯାୟୀ ମୋଟ ୨ଲକ୍ଷ ୧୧ ହଜାର ୯୫୮ ବର୍ଗ ମିଟର ଓ ଆଉଟ ହାଉସ ସଫେଇ ପାଇଁ ୧୨ ହଜାର ୬୩୩ ବର୍ଗ ମିଟର ଏହି ଟେଣ୍ଡରକୁ ପ୍ରତି ବର୍ଗ ମିଟର ପିଛା ୨୫ ଟଙ୍କା ୧୪ ପଇସା ହିସାବରେ ଦିଆଯାଇଥିଲା। ଏଥିପାଇଁ ମାସକୁ ୫୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ଧାର୍ଯ୍ୟ ହୋଇଥିଲା। ଆଉଟ ହାଉସ ସଫେଇ ପାଇଁ ୨ଲକ୍ଷ ୧୦ ହଜାର ୯୦୩ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଏତିକି ବର୍ଗ ମିଟର ସଫା କରିବାକୁ ୪୦୦ ଲୋକ ନିଯୁକ୍ତି କରିବାକୁ ମଧ୍ୟ ଚୁକ୍ତିରେ ରହିଥିଲା। ମାତ୍ର ଏହି ୪୦୦ ଲୋକଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ୍, ଇଏସଆଇ, ଇପିଏଫକୁ ନେଇ ତଥ୍ୟ ମଗାଯାଥିଲେ ତାହା ମଧ୍ୟ ପ୍ରଦାନ କରାଯାଇନାହିଁ। ‌ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ବର୍ଗ ମିଟର ହିସାବରେ ସଫେଇ ଦାୟିତ୍ବ ନେଇଥିବା ସଂସ୍ଥା ବର୍ଦ୍ଧିତ ମଜୁରି ହାରରେ ଏବେ ପ୍ରତି ମାସରେ ୮ଲକ୍ଷ ଟଙ୍କା ଅଧିକ ନେଉଛନ୍ତି। ଟେଣ୍ଡର ବେଳେ ୨୯୮ ଟଙ୍କା ମଜୁରି ଥିବା ‌ବେଳେ ‌ଏବେ ଏହା ୩୧୫ ଟଙ୍କା ରହିଛି। ମଜୁରି ବୃଦ୍ଧି ପରେ ପ୍ରତି ବର୍ଗ ମିଟରକୁ ୩ ଟଙ୍କା କେଉଁ ହିସାବରେ ବଢିଛି ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ବଡମେଡିକାଲ ପରିମଳ ଟେଣ୍ଡର ହୋଇଥିବା ଅନିୟମିତତାକୁ ନେଇ ଆଇନଜୀବୀ ଚିତ୍ତରଂଜନ ମହାନ୍ତି ସୂଚନା ଅଧିକାରରେ ତଥ୍ୟ ମାଗିଥିଲେ। ତେବେ ଏ ନେଇ କଟକ ବଡ ଡାକ୍ତରଖାନା କର୍ତୃପକ୍ଷ ତଥ୍ୟ ଦେଉ ନଥିଲେ। ଏ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ମେଡିକାଲ କର୍ତୃପକ୍ଷ ଆଇନଜୀବୀ ଶ୍ରୀ ମହାନ୍ତିଙ୍କୁ ଆଂଶିକ ତଥ୍ୟ ଦେଇଛନ୍ତି। ଅନ୍ୟ ତଥ୍ୟକୁ ଜାଣିଶୁଣି ଚାପି ଦିଆଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିବା ସହିତ ତଥ୍ୟ ଦେବା ପାଇଁ ପୁଣି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚିଠି ଦେଇଛନ୍ତି।