କୋଟିଏ ୩ ଲକ୍ଷ ଫାଙ୍କିଥିବା ସଂସ୍ଥାକୁ କିଭଳି ମିଳିଲା ଟେଣ୍ଡର? ଅଡିଟ୍ କହିଥିଲା ଆଦାୟ କର, ୮ ବର୍ଷ ହେବ କର୍ତ୍ତୃପକ୍ଷ ଚୁପ୍

କଟକ: କଟକ ବଡମେଡିକାଲ ପରିମଳ ଟେଣ୍ଡର ଅନିୟମିତତାର ଗୋଟିଏ ପରେ ଗୋଟିଏ ଫର୍ଦ ଖୋଲୁଛି। ସତ୍ୟପାଠ ଦେଇ ଟେଣ୍ଡର ହାତେଇ ଥିବା ସଂସ୍ଥାକୁ କଟକ ବଡଡାକ୍ତରଖାନା କର୍ତ୍ତୃପକ୍ଷ ଅହେତୁକ ଅନୁକଂପା ଦେଖାଇଛନ୍ତି। ଯାହାର ପ୍ରମାଣ ଏବେ ସାମନାକୁ ଆସୁଛି। ଦୀର୍ଘ ୨୦ ବର୍ଷ ହେବ ଗୋଟିଏ ସଂସ୍ଥା ଏସ୍‌ସିବି ପରିମଳ କାମ ହାତେଇବାକୁ ସମର୍ଥ ହୋଇଛି। ଏହାକୁ ନେଇ ସୂଚନା ଅଧିକାର ଆଇନ ବଳ‌ରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଟେଣ୍ଡର ପାଇଥିବା ପରିତୋଷ ସଂସ୍ଥ‌ା କଟକ ବଡମେଡିକାଲର ୧ କୋଟି ୩ ଲକ୍ଷ ଟଙ୍କା ଫାଙ୍କି ଥିବା ବେଳେ ସେହି ସଂସ୍ଥା ବିରୋଧରେ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳ‌ରେ କର୍ତ୍ତୃପକ୍ଷ ତାହାକୁ ପୁରସ୍କୃତ କରିଛନ୍ତି। ବାରମ୍ବାର ଟେଣ୍ଡର ପ୍ରକ୍ରିୟା‌ରେ ‌ଯୋଗ୍ୟ ଦର୍ଶାଇ ଟେଣ୍ଡର ପ୍ରଦାନ କରାଯାଇଛି। ଅଧିକ ଅର୍ଥ ନେଇଯାଇଥିବା ସଂସ୍ଥାଠାରୁ ଟଙ୍କା ଆଦାୟ ନକରି ଲଗାତାର ସଂପୃକ୍ତ ସଂସ୍ଥାକୁ ଟେଣ୍ଡରରେ ଭାଗ ନେବାର ସୁଯୋଗ ଦେବା ଓ ‌ସେହି ସଂସ୍ଥାକୁ ଟେଣ୍ଡର ପ୍ରଦାନ କରାଯାଇଥିବାରୁ ଟେଣ୍ଡର କମିଟିର ଭୂମିକାକୁ ନେଇ ସନ୍ଦେହ ଉପୁଜିଛି। ତଥ୍ୟ ମୁତାବକ, ୨୦୧୪ ଅଡିଟ୍‌ରେ ଏସ୍‌ସିବି ପରିମଳ କାମ ନେଇଥିବା ସଂସ୍ଥ‌ା ପରିତୋଷ ସଂସ୍ଥା ବିରୋଧରେ ଆପତ୍ତି ଉଠା ଯାଇଥିଲା।

୧୧/୨/୨୦୧୪ରେ ଚିଠି ନଂ ୩୨୪୯ରେ ପରିତୋଷ ସଂସ୍ଥ‌ା ୧ କୋଟି ୩ଲକ୍ଷ ୮୦ ହଜାର ୨୨୦ ଟଙ୍କା ଅଧିକ ପେମେଣ୍ଟ୍ ନେଇଥିବା ନେଇ ଅଡିଟ୍ ଆପତ୍ତି କରିଥିଲା। ଏପରିକି ଏହି ଟଙ୍କାକୁ ସଂପୃକ୍ତ ଏଜେନ୍ସି ପାଖରୁ ଆଦାୟ କରିବାକୁ ପରାମର୍ଶ ଦିଆଯାଇ ଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସଂପୃକ୍ତ ସଂସ୍ଥା ପାଖରୁ ସବୁ ତକ ଟଙ୍କା ଟଙ୍କା ଆଦାୟ କରିବାକୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ‌ରେ କଟକ ବଡ ଡାକ୍ତରଖାନା କର୍ତ୍ତୃପକ୍ଷ ପରିତୋଷକୁ ଅଫିସ ଚିଠି ନଂ ୧୮୨୯ରେ ୨୨.୧.୨୦୧୫ରେ ଟଙ୍କା ଫେରାଇବାକୁ କହିଥିଲେ। ମାତ୍ର ଇତିମଧ୍ୟରେ ୭ ବର୍ଷ ବିତିଗଲାଣି। ସଂସ୍ଥା‌ ଏ ଯାଏ ଏ ଟଙ୍କା ଫେରାଇ ନାହିଁ। ମାତ୍ର କଟକ ବଡମେଡିକାଲ କର୍ତ୍ତୃପକ୍ଷ କେବଳ ଚିଠି କରି ଦେଇ ଦ‌ାୟିତ୍ବ ସାରି ଦେଇଛନ୍ତି। ଏ ଟଙ୍କା ଫେରାଇ ଆଣିବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଗୋଟିଏ ପଟେ ଅଧିକ ଟଙ୍କା ନେଇଥିବା ସଂପୃକ୍ତ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳ‌ରେ ଓଲଟା ସଂପୃକ୍ତ ସଂସ୍ଥାକୁ ଅନୁକଂପା ଦେଖାଇ ଗୋଟିଏ ପରେ ଗୋଟିଏ ଟେଣ୍ଡର ଟେକି ଦିଆଯାଇଛି। ନିୟମ ମୁତାବକ ଅଡିଟରଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଏହି ସଂସ୍ଥାକୁ ଏସସିବି କର୍ତ୍ତୃପକ୍ଷ ବାରଣ କରିବା ବଦଳରେ ଅନୁକଂପା ଦେଖାଇବ‌ା, ମଜୁରୀ ବୃଦ୍ଧି ଆଳରେ ଲୋକ ନ ବଢାଇ ପ୍ରତିମାସରେ ଅଧିକ ୧୦ଲକ୍ଷ ଟଙ୍କା ଦିଆଯିବା ଘଟଣାକୁ ତଦନ୍ତ ପରିସରକୁ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର