ରାଜ୍ୟରେ ବଢ଼ୁଛନ୍ତି ରକ୍ତ କର୍କଟ ରୋଗୀ, ଏସ୍ସିବିରେ ମାଗଣାରେ ମିଳୁଛି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା
୮ ବର୍ଷରେ ୧୧୮ ରୋଗୀଙ୍କ କରାଗଲାଣି ଅସ୍ଥିମଜ୍ଜା ପ୍ରତିରୋପଣ
କଟକ: ଦିନକୁ ଦିନ ବଢୁଛି ରକ୍ତରୋଗ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା। ଯଦି ପରିସଂଖ୍ୟାନ ହେଖାଯାଏ ତାହେଲେ ରାଜ୍ୟରେ ୨୦ରୁ ୩୦ ପ୍ରତିଶତ ରୋଗୀ ଏହି ରକ୍ତଜନିତ କର୍କଟ ରୋଗରେ ଆକ୍ରାନ୍ତ। ପୂର୍ବରୁ ରାଜ୍ୟରେ ଏହି ରୋଗର ଚିହ୍ନଟ, ଚିକିତ୍ସା ପାଇଁ ସେଭଳି ବ୍ୟବସ୍ଥା ନଥିଲା। କିନ୍ତୁ ୨୦୦୮ରୁ ପର୍ଯ୍ୟାୟକ୍ରମେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହେଲା। ଯାହାଫଳରେ କଟକ ବଡ ଡାକ୍ତରଖାନା ପୂର୍ବଭାରତର ୨ୟ ମେଡିକାଲ କଲେଜଭାବେ ଅନେକ ସ୍ବୀକୃତି ପାଇଛି। ପୂର୍ବରୁ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ସେଭଳି କୌଣସି ଅତ୍ୟାଧୁନିକ ଯନ୍ତ୍ରାଂଶ ନଥିଲା। ବିଶେଷଜ୍ଞ ଡାକ୍ତରମାନେ ସ୍କ୍ରିନିଂ କରି ଯାହା କିଛି ରୋଗ ନିରୂପଣ ଓ ଚିହ୍ନଟ କରୁଥିଲେ। ଏମିତି ବି ସ୍ଥିତି ହେଉଥିଲା ଯେ, ଅନେକ ରୋଗୀ ଚିକିତ୍ସା ପାଇ ପାରୁ ନଥିଲେ ଓ ବ୍ୟୟବହୁଳ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ବି ନଥିଲା। ତେବେ ୧୯୭୨ରେ ଏସ୍ସିବିରେ ରକ୍ତରୋଗ ବିଭାଗ ଖୋଲିଥିଲା। ଯାହାକି ଥିଲା ଭାରତର ୨ୟ ମେଡିକାଲ କଲେଜ।
ରକ୍ତରୋଗ ଚିହ୍ନଟ ପାଇଁ ଅତ୍ୟାଧୁନିକ ଫ୍ଲୋ-ସାଇଟୋମିଟର ୟନ୍ତ୍ର ଆସିଥିଲା। ଏଭଳି ବ୍ୟବସ୍ଥା ଏସ୍ସିବିରେ ଆରମ୍ଭ ହୋଇଥିବା ବେଳେ ପୂର୍ବ ଭାରତରେ ଏହା ୨ୟ ବୋଲି ଜଣାପଡିଛି।
ଯଦ୍ବରା ରୋଗ ଚିହ୍ନଟ ଓ ଚିକିତ୍ସା ପଦ୍ଧତି ସରଳୀକରଣ ହେବା ସହ ଶତ ପ୍ରତିଶତ ଠିକ୍ ହୋଇପାରିଛି। ବାହାରେ ଏହି ପରୀକ୍ଷା ୧୦ ହଜାର ଟଙ୍କା ପଡୁଥିବା ବେଳେ ଏସ୍ସିବିରେ ରୋଗୀ ମାଗଣାରେ ପାଇ ପାରୁଛନ୍ତି। ଫଳରେ ରକ୍ତରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡୁନି। ଏଥିସହ ରକ୍ତଜନିତ କର୍କଟ ରୋଗ ଚିକିତ୍ସା ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ଏକ ବ୍ୟୟବହୁଳ ଚିକିତ୍ସା। ଯାହାକି ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କିନ୍ତୁ ଏସ୍ସିବିରେ ୨୦୧୪ରୁ ଏହି ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ସୁଦ୍ଧା ୧୧୮ଜଣ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହିତ କରାଯାଇଛି। କର୍କଟ ରୋଗର ଯେଉଁ ଥିମ୍ ରହିଛି ‘କ୍ଲୋଜିଙ୍ଗ ଦି ଗ୍ୟାପ୍’ ଏହି ଥିମ୍ ରକ୍ତକର୍କଟ ରୋଗ ଚିହ୍ନଟ, ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ଶତପ୍ରତିଶତ ସଫଳ ହୋଇପାରିଛି। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ କଟକ ବଡ ଡାକ୍ତରଖାନା ରକ୍ତରୋଗ ବିଭାଗରେ ରକ୍ତକର୍କଟ ରୋଗର ସଫଳ ଚିକିତ୍ସା ଓ ରୋଗ ନିରୂପଣ ସହ ଉଚ୍ଚମାନର ଚିକିତ୍ସା ସୁବିଧା ଉପଲବ୍ଧ। ଯାହାଫଳରେ ରୋଗୀଙ୍କୁ ଆଉ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡୁନି ଓ ସମସ୍ତ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଏସ୍ସିବି ରକ୍ତରୋଗ ବିଭାଗ ମୁଖ୍ୟ ପ୍ରଫେସର ଆର୍.କେ. ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ଯେଉଁରୋଗୀମାନେ ହାଇରିସ୍କ ଜୋନରେ ଥାଆନ୍ତି ସେମାନଙ୍କଠାରେ ଅସ୍ଥିମଜ୍ଜା ପ୍ରତିରୋପଣ ଚିକିତ୍ସା ବେଶ୍ ସଫଳ ହୋଇପାରୁଛି।