ଏସ୍ସିବି ପରିମଳ ଅନିୟମିତତା-୪, ଏସ୍ସବିରେ କାମ କରୁଛନ୍ତି ଭୂତ ଶ୍ରମିକ: ଦରମା ଉଠୁଛି, ଇଏସ୍ଆଇ କଟୁଛି, କର୍ମଚାରୀ ନାହାନ୍ତି
ମାସକୁ ୩୦ଲକ୍ଷ ଅଧିକ ଦେଇ ଚୁପ୍ ବସିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ
କଟକ: କଟକ ବଡ ମେଡିକାଲରେ ରୋଗୀଙ୍କ ଅର୍ଥକୁ ବର୍ଷ ବର୍ଷ ଧରି ହରିଲୁଟ୍ କରାଯାଉଛି। ଆଉଟସୋର୍ସିଂ ସଂସ୍ଥାମାନେ ମେଡିକାଲ ଟଙ୍କାକୁ ଆଖିବୁଜା ଲୁଟ୍ କରି ଚାଲିଛନ୍ତି। କର୍ମଚାରୀଙ୍କ ପ୍ରାପ୍ୟକୁ ମାରି ସଂସ୍ଥା ମାଲିକ ମାଲେମାଲ୍ ହେଉଥବା ବେଳେ କର୍ମଚାରୀମାନେ ଶୋଷଣର ଶିକାର ହୋଇ ଆସୁଛନ୍ତି। ସରକାରଙ୍କ ଧାର୍ଯ୍ୟ ମଜୁରୀ ବି କର୍ମଚାରୀ ମିଳୁନଥିବା ବେଳେ ବଡମେଡିକାଲରେ କିଛି ସାଂଘାତିକ ତଥ୍ୟ ବି ସାମ୍ନାକୁ ଆସିଛି। କଟକ ବଡମେଡିକାଲ ପରିମଳ କାମ କରୁଥିବା ସଂସ୍ଥାରେ ନକଲି କର୍ମଚାରୀ କାମ କରୁଥିବାର ଗୁରୁତର ଅଭିଯୋଗ ହୋଇଛି। ସଫେଇ କାମରେ ଶତାଧିକ ଭୂତ କର୍ମଚାରୀ କାମ କରୁଛନ୍ତି। କର୍ମଚାରୀଙ୍କ ନାମ ଅଛି, ଦରମା ଦିଆଯାଉଛି, ଇଏସଆଇ, ଭବିଷ୍ୟନିଧି ପାଣ୍ଠି ଟଙ୍କା ବି ଜମା ହେଉଛି, ମାତ୍ର ସେ ଲୋକ କିନ୍ତୁ ଡ୍ୟୁଟି କରୁନାହାନ୍ତି। ଏମିତି ଅନେକ ଭୂତ ନାମ ଦର୍ଶାଇ ଟଙ୍କା ଉଠାଯାଉଛି। ଯାହାର ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କିଛି ସାମାଜିକ ସଂଗଠନ ଦାବି କରିଛନ୍ତି। ମାତ୍ର ମେଡିକାଲ କର୍ତ୍ତୃପକ୍ଷ ମାସକୁ ୩୦ଲକ୍ଷ ଟଙ୍କା ଅଧିକ ଦେଇ ଜାଣିବା ପରେ ବି ଚୁପ୍ ବସିଛନ୍ତି। ସେପଟେ ଅଡିଟରେ ୧କୋଟି ୩ଲକ୍ଷ ଅଧିକ ନେଇଥିବା ସଂସ୍ଥାକୁ ବଂଚାଇବା ପାଇଁ ଏସସିବି କର୍ତ୍ତୃପକ୍ଷ ଅଡିଟରଙ୍କୁ ଭୁଲ ଦର୍ଶାଇବା ଓ ଏ ଟଙ୍କାକୁ ଛାଡ କରିବାକୁ ମଧ୍ୟ ବାରମ୍ବାର ଚିଠି କରିଥିବା ଜଣାପଡିଛି। ତେବେ ଏ ସଂସ୍ଥା ପ୍ରତି ପୂର୍ବ ଅଧିକାରୀଙ୍କ କି ପ୍ରୀତି ଥିଲା ତାହାର ମଧ୍ୟ ତଦନ୍ତ କରିବାକୁ ଦାବି ହୋଇଛି। ବର୍ଷକୁ ସାଢେ ୩ କୋଟି ଟଙ୍କା ଅକାରଣେ ଟେକି ଦେଇ ଏସସିବି କର୍ତ୍ତୃପକ୍ଷ ପରୋକ୍ଷରେ ରୋଗୀଙ୍କ ଟଙ୍କାକୁ ବିନର୍ବ୍ୟୟ କରୁଛନ୍ତି।
କଟକ ବଡ ମେଡିକାଲର ୨ଲକ୍ଷ ୩୮ ହଜାର ବର୍ଗମିଟର ସଫେଇ କାମ ନେଇଥିବା ସଂସ୍ଥା କେତେ ଲୋକ ନିୟୋଜିତ କରିଛନ୍ତି, ସେ ଲୋକ ଅଛନ୍ତି ନା ଲୋକଙ୍କ କେବଳ ନାମ ଅଛି, ଭୂତ କର୍ମଚାରୀ ଡ୍ୟୁଟି କରୁଛନ୍ତି ତା’ର କୌଣସି ଖୋଳତାଡ କରାଯାଉନାହିଁ। କମ ଲୋକ ଲଗାଇ ଅଧିକ ଟଙ୍କା ନେଉଥିବା ସଂସ୍ଥା ବିରୋଧରେ ଏ ଯାଏ କଟକ ବଡମେଡିକାଲ କର୍ତ୍ତୃପକ୍ଷ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ୨ଲକ୍ଷ ୧୨ହଜାର ବର୍ଗ ମିଟର ପାଇଁ ଯେତିକି ଲୋକ କାମ କରୁଛନ୍ତି ୨ଲକ୍ଷ ୪୦ ହଜାର ବର୍ଗ ମିଟରରେ ସେତିକି ଲୋକ କିଭଳି କାମ ଚଳାଉଛନ୍ତି ସେ ନେଇ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇନାହିଁ। ଟେଣ୍ଡର ସର୍ତ୍ତ ମୁତାବକ, ୪୦୦ ଲୋକଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଥିଲା, ମାତ୍ର ଏବେ ସେତିକ ଲୋକ କାମ କରୁଛନ୍ତି କି ନାହିଁ ତା’ର ହିସାବ ରଖିବା ପାଇଁ ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସାଧନ ନାହିଁ। ମିଳିଥିବା ତଥ୍ୟ ଆଧାରରେ ବଡମେଡିକାଲରେ ପରିତୋଷ ସମେତ ଅନ୍ୟ ଆଉଟସୋର୍ସିଂ ସଂସ୍ଥାମାନଙ୍କରେ ଏଭଳି ଶତାଧିକ ନକଲି ଲୋକଙ୍କ ନାମ ଗଡୁଛି। ବଡମେଡିକାଲ ଟଙ୍କା ନେଉଥିବା ଏ ଭୂତ କର୍ମଚାରୀଙ୍କୁ ଠାବ କରିବାକୁ ଦାବି ହୋଇଛି। ନକଲି ଲୋକଙ୍କ ନାମରେ ଟଙ୍କା ଊଠାଉଥିବା ଆଉଟସୋର୍ସିଂ ସଂସ୍ଥାକୁ ତଦନ୍ତ ପରିସରକୁ ନେବା ଓ ବର୍ଷ ବର୍ଷ ଧରି ରୋଗୀଙ୍କ ଅର୍ଥ ଲୁଟ୍ କରିଥିବା ଏହି ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କଟକ ବଡମେଡିକାଲ ପରିମଳ କାମ ଏକ ନିର୍ଦିଷ୍ଟ ସଂସ୍ଥା କିଭଳି ୨୦ ବର୍ଷ ହେବ ପାଇ ଆସୁଛି, ଏହାର ପୂର୍ବ ଟେଣ୍ଡର ପ୍ରକ୍ରିୟା ଗୁଡିକୁ ତଦନ୍ତ ପରିସରକୁ ନେବାକୁ ଦାବି ହୋଇଛି।