କଟକ: ମାନସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଜି ରିମାଣ୍ଡର ଚତୁର୍ଥ ଦିନରେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରାଇଛି। କ୍ରାଇମବ୍ରାଞ୍ଚର ଟିମ୍ ଆଜି ସକାଳ ୯ଟା ବେଳେ ଶର୍ମିଷ୍ଠାକୁ ଧରି ପ୍ରଥମେ ଚାନ୍ଦବାଲି ଆଡ଼କୁ ଯାଇଥିଲା। ଫେବ୍ରୁଆରି ୭ ତାରିଖ ସକାଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାସପୁରରେ ଯେଉଁଠାରୁ ଶର୍ମିଷ୍ଠା ନିଜ କାରରେ ରଞ୍ଜନ ନାୟକ ଓରଫ ରାଜ୍, ଭାଗ୍ୟଧର ନାୟକ, ଝୁନା ଭୋଇ, ବିବେକ ନାୟକ ଓରଫ ନିଲୁ ସହଯୋଗରେ ତାକୁ ଅପହରଣ କରିଥିଲା, ସେଠାକୁ ନେଇ ଅପହରଣର ସିନ୍ ରିକ୍ରିଏସନ୍ କରାଯାଇଥିଲା। ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁରରେ ସିନ୍ ରିକ୍ରିଏସନ୍ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାକୁ ଧରି ସୁନ୍ଦରପଦା ଜଟଣୀ ରାସ୍ତାର କଣ୍ଟିଲୋ ନିକଟରେ ଥିବା ଶର୍ମିଷ୍ଠାର ଦୟାଲ ଆଶ୍ରମରେ ଦିନ ପ୍ରାୟ ଦୁଇଟା ବେଳେ ପହଞ୍ଚିଥିଲେ।

Advertisment

ଏଠି ମାନସକୁ ଅପହରଣ କରି ଆଣିବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସହାୟତାରେ ମାନସକୁ କିଭଳି ମାଡ଼ ମାରି ହତ୍ୟା କରାଯାଇଥିଲା ସେହି ଘଟଣାର ବି ସିନ୍ ରିକ୍ରିଏସନ୍ କରିଥିଲା ଶର୍ମିଷ୍ଠା। ସେଠୁ ନୟାଗଡ଼ ଯାଇଥିଲେ। ମାନସକୁ ନୟାଗଡ଼ ରଣପୁର ଥାନା ବଧିପାଟଣା ନୂଆ କାଟେଣୀ ନିକଟରେ ଯେଉଁଠି ପୋତା ଯାଇଥିଲା, ସେହି ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମକୁ ଶର୍ମିଷ୍ଠା ଦେଖାଇଥିଲା। ସେଠାରେ ମାନସଙ୍କୁ କିଭଳି ଗାତ ଖୋଳି ପୋତାଯାଇଥିଲା ତାକୁ କ୍ରାଇମବ୍ରାଞ୍ଚ ଟିମକୁ ଆଜି ଦେଖାଇଥିଲା ଶର୍ମିଷ୍ଠା। ଗୋଟିଏ ପଟେ ଶର୍ମିଷ୍ଠାକୁ ଧରି ଆଜି କ୍ରାଇମବ୍ରାଞ୍ଚ ଭଦ୍ରକ, ଭୁବନେଶ୍ବର ଓ ନୟାଗଡ଼ ବୁଲିଥିବା ବେଳେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଝୁନା ଭୋଇ, ରଞ୍ଜନ ନାୟକ ଓରଫ ରାଜକୁ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଆଜି ଗୋଟିଏ ଘରେ ବସାଇ ପଚରାଉଚରା କରିଥିଲେ। ୨୯ ତାରିଖରୁ ଏହି ୪ ଜଣ ରିମାଣ୍ଡରେ ଆସିଥିବା ବେଳେ ଆସନ୍ତାକାଲି ରିମାଣ୍ଡର ଶେଷ ଦିନ। ରବିବାର କ୍ରାଇମବ୍ରାଞ୍ଚ ସେମାନଙ୍କୁ କୋର୍ଟରେ ହାଜର କରିବାକୁ ଯାଉଛି।