ସ୍କୁଲ ଫି’ ଛାଡ଼ ମାମଲା: ଅସମାପ୍ତ ରହିଲା ଶୁଣାଣି, ଜାନୁଆରୀ ୭ରେ ପରବର୍ତ୍ତୀ ଶୁଣାଣି

ଛାତ୍ରଛାତ୍ରୀଙ୍କୁ ଇ-କ୍ଲାସ୍ ପାଇଁ ଆଇଡି ଓ ପାସ୍‌ୱାର୍ଡ ପ୍ରଦାନ ସଂପର୍କିତ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର

କଟକ : ସ୍କୁଲ ଫି’ ଛାଡ଼ ପ୍ରସଂଗରେ ଆଜି ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ। ଏ ସମ୍ପର୍କିତ ମାମଲ‌ାରେ ହାଇକୋର୍ଟରେ ଆବେଦନକାରୀ, ଘରୋଇ ସ୍କୁଲ୍‌ ସଂଘ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସରକାରଙ୍କ କ୍ଷମତା ପ୍ରସଙ୍ଗରେ ଶୁଣାଣି କରାଯାଇଥିଲା। ମାତ୍ର ଏହା ଅସମାପ୍ତ ରହିଥିଲାବେଳେ ଆସନ୍ତା ଜାନୁଆରୀ ୭ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।

ମାମଲାର ଶୁଣାଣି ସମୟରେ ଘରୋଇ ସ୍କୁଲଗୁଡ଼ିକର ଫି’ ନିୟନ୍ତ୍ରଣ ପ୍ରସଂଗରେ ସରକାରଙ୍କ କ୍ଷମତା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। କିନ୍ତୁ, ଘରୋଇ ସ୍କୁଲ ସଂଘ ପକ୍ଷରୁ ଏପରି କ୍ଷମତା ସରକାରଙ୍କ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍କୁଲ ଫି’ ଛାଡ଼ ପ୍ରସଂଗରେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍‌ଓୟୁ କାର୍ଯ୍ୟକାରୀ କରାଯାଉ। ଏଥିସହିତ, କୋଭିଡ୍‌-୧୯ ସମୟରେ ବିପର୍ଯ୍ୟୟ ପରିଚାଳନା ଆଇନ ଓ ମହାମାରୀ ସଂପର୍କିତ ଆଇନ ବଳରେ ସରକାର ଘରୋଇ ସ୍କୁଲ ଫି ଛାଡ଼ ପାଇଁ କ୍ଷମତା ପାଇଛନ୍ତି ବା ନାହିଁ ସେ ନେଇ ଆଜି ଶୁଣାଣି ହୋଇଥିଲା। ଏହି ପ୍ରସଂଗରେ ଶୁଣାଣି ଅସମାପ୍ତ ରହିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ପରବର୍ତ୍ତୀ ଶୁଣାଣି ସମୟରେ ଏ ନେଇ ଯୁକ୍ତି ଉପସ୍ଥାପନ କରାଯିବ। ସ୍କୁଲ ଫି ଛାଡ଼ ସଂପର୍କିତ ସମସ୍ତ ମାମଲା ମଧ୍ୟରୁ କେବଳ ଗୋଟିକରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏପରି ସ୍ଥିତିରେ ଏ ସଂପର୍କିତ ସମସ୍ତ ମାମଲାରେ ଜବାବ ଦାଖଲ କରିବାକୁ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ କରୋନା ସଂକ୍ରମଣ ଜନିତ ସ୍ଥିତିରେ ଛାତଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ସରକାର ସ୍ବତନ୍ତ୍ର ଏକାଡେମିକ୍ ପଲିସି ଆଣନ୍ତୁ ବୋଲି ଦର୍ଶାଇ ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ଦାଖଲ କରିଥିବା ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏ ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁଆରୀ ୭କୁ ଧାର୍ଯ୍ୟ କରାଯାଇଛି। ଏଥିସହିତ ଅନ୍-ଲାଇନ ପାଠପଢ଼ା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଇ-କ୍ଲାସ୍‌ରୁ ବଞ୍ଚିତ ହେବେ ନାହିଁ, ସମସ୍ତଙ୍କୁ ଏ ସଂପର୍କିତ ଆଇଡି ଓ ପାସ୍‌ୱାର୍ଡ ପ୍ରଦାନ କରାଯିବ ବୋଲି ୨୦୨୦ ମେ ୧୨ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, କରୋନା ମହାମାରୀକୁ ନେଇ ଦେଖାଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି. ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ତରଫରୁ ଆଇନଜୀବୀ ଦୀପକ ମହାପାତ୍ର, ପଦ୍ମାଳୟା ମହାପାତ୍ର, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍‌ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର