ଅକଳରେ ଡିଏଭି-ଏସ୍‌ସିବି ମେଡିକାଲ୍‌ ସ୍କୁଲ୍‌ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ

କଟକ: ସ୍କୁଲ ଖାଲି କରିବାକୁ ପ୍ରଶାସନର ନୋଟିସ୍ ପରେ ଏବେ ଅକଳରେ ପଡ଼ିଛନ୍ତି ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ। ସେପ୍ଟେମ୍ବର ୨୪ ତାରିଖରେ ଆରଡିସି ଅଫିସ ପକ୍ଷରୁ ଏହି ଚିଠି ଦିଆଯିବା ସହିତ ୧୫ ଦିନ ମଧ୍ୟରେ ସ୍କୁଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଚିଠି ପରେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହଯୋଗ ଲୋଡି ଯେଉଁ ଚିଠି କରିଛନ୍ତି, ତାହା ଅଭିଭାବକ ମାନଙ୍କର ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ସ୍କୁଲ ପରିସରକୁ ଖାଲି କରି ଦିଆଯିବା ସହିତ ଏଲ୍‌କେଜିରୁ ସପ୍ତମ ଷ୍ଟାଣ୍ଡାର୍ଡ ଛାତ୍ରଛାତ୍ରୀ ସିଡିଏ ଡିଏଭିରେ ପଢିବେ ଏବଂ ୮ମରୁ ୧୦ମ ଛାତ୍ରଛାତ୍ରୀ ଗଣ୍ଡରପୁର ସ୍ଥିତ ଏଲ୍ଆର୍‌ ଡିଏଭିରେ ପଢିବେ।

ଚାଉଳିଆଗଞ୍ଜ ଅଞ୍ଚଳରେ ସରକାର ‌ସ୍କୁଲ ପାଇଁ ଯେଉଁ ଜମି ଯୋଗାଇ ଦେଇଛନ୍ତି, ସେଥିରେ ନୂଆ କୋଠା ତିଆରି ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଏମିତି ଚାଲିବ। ସବୁ ପିଲାଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦିଆଯିବ ଓ ପିଲାଙ୍କ ଶିକ୍ଷାଗ୍ରହଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଅବଶ୍ୟ ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲରେ ଏବେ ପଢୁଥିବା ୧୫୬୦ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ସ୍କୁଲର ୪୩ ଜଣ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଏହାକୁ ନେଇ ତ୍ରିଶଙ୍କୁ ସ୍ଥିତିରେ ପଡିଥିବା ଅନୁଭବ କରୁଛନ୍ତି।

ଏମ୍‌ସ ପ୍ଲସ୍ ପାଇଁ ଏସ୍‌ସିବି ମେଡିକାଲ ସଂପ୍ରସାରଣ ପ୍ରକ୍ରିୟା ଚାଲିଥିବାରୁ ୨୦୨୦ ଜାନୁଆରି ୩୧ରେ ରାଜ୍ୟ ସରକାର ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲକୁ ଖାଲି କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ପିଲାଙ୍କ ସ୍ବାର୍ଥ ପାଇଁ ସ୍କୁଲ କର୍ତ୍ତୃପକ୍ଷ ୨୦୨୧-୨୨ଶିକ୍ଷାବର୍ଷ ଶେଷ ପର୍ଯ୍ୟନ୍ତ ସ୍କୁଲ ସ୍ଥାନାନ୍ତର ବନ୍ଦ ରଖିବାକୁ ସରକାରଙ୍କୁ ଅନୁ‌ରୋଧ କରିଥିଲେ। କିନ୍ତୁ ୨୦୨୧, ସେପ୍ଟେମ୍ବର ୨ତାରିଖରେ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍କୁଲ ଖାଲି ପାଇଁ ଚୂଡାନ୍ତ ହୋଇଥିଲା। ପରେ ଡିଏଭି କର୍ତ୍ତୃପକ୍ଷ, ଡିଏଭି ଆଞ୍ଚଳିକ ଅଧିକାରୀ(ଆର୍‌ଓ) ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ବସି ସ୍କୁଲ ସ୍ଥାନାନ୍ତର ବିଷୟରେ ଆଲୋଚନା ହୋଇଥିଲା। ପିଲାଙ୍କ ଯିବା ଆସିବା ପାଇଁ ମାଗଣା ବସ୍‌ସେବା, ବିଦ୍ୟାଳୟ ଅଫିସ୍‌, ଆସବାବପତ୍ର ରଖିବା ପାଇଁ ନିଆଯିବାକୁ ଥିବା ଘରର ଭଡ଼ା ଆଦି ସୁବିଧା ଦେବାକୁ ସରକାର ରାଜି ହୋଇଛନ୍ତି। ଏହା ବ୍ୟତୀତ ଚାଉଳିଆଗଞ୍ଜ ଖେଳପଡ଼ିଆ ପା‌ଖରେ ଅଢେଇ ଏକର ପରିମିତ ଜମି ଦେବା ସହିତ ୭୨ ହଜାର ବର୍ଗଫୁଟ୍‌ର କୋଠା (ଏହା ମଧ୍ୟରେ ୬ ହଜାର ବର୍ଗଫୁଟ୍‌ର ଅଡିଟୋରିୟମ, ବିଜ୍ଞାନାଗାର, ପାଠଗାର ଆଦି ସମସ୍ତ ସୁବିଧା) ନିର୍ମାଣର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବାକୁ ଚୂଡାନ୍ତ ହୋଇଛି।

ନିଷ୍ପତ୍ତି ଅନୁଯାୟୀ ଏହି ଅନୁଷ୍ଠାନ ଏଲ୍ଆର୍‌ ଡିଏଭି ଓ ସିଡିଏ ଡିଏଭିକୁ ଗଲେ ମଧ୍ୟ ଡିଏଭି ଏସ୍‌ସିବି ଶିକ୍ଷକମାନେ ସେଠାରେ ପଢ଼ାଇବେ। ୪୩ ଜଣ ଶିକ୍ଷକଙ୍କ ମଧ୍ୟରୁ ୧୬ଜଣ ଶିକ୍ଷକ ଏଲ୍ଆର୍‌ ଡିଏଭିରେ ଓ ଅବଶିଷ୍ଟ ୨୭ଜଣ ସିଡିଏ ଡିଏଭିରେ ଶିକ୍ଷାଦାନ କରିବେ। ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ପୂର୍ବରୁ ଆଇସିଏସ୍‌ଇ ବୋର୍ଡରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ସ୍କୁଲର ନବମ ଓ ଦଶମ ଷ୍ଟାଣ୍ଡାର୍ଡ ପିଲାମାନେ କେବଳ ଆଇସିଏସ୍‌ଇ ବୋର୍ଡ ପରୀକ୍ଷା ଦେବେ। ଅବଶିଷ୍ଟ ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ସିବିଏସ୍ଇ ବୋର୍ଡ ପରୀକ୍ଷା ‌ଦେବେ। କିନ୍ତୁ ନୂଆ ଢ଼ାଞ୍ଚା ଅନୁସାରେ ଆଇସିଏସ୍‌ଇ ବୋର୍ଡ ଦଶମ ପରୀକ୍ଷା ନଭେମ୍ବର ୨୯ରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ନିଜ ସ୍କୁଲରେ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥି ପାଇଁ ବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅଭିଭାବକଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏ ସଂକ୍ରାନ୍ତରେ ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ନିରଞ୍ଜନ ସ୍ବାଇଁ କହିଛନ୍ତି‌ ଯେ, ଏମ୍‌ସ ପ୍ଲସ୍ ପାଇଁ ଏସ୍‌ସିବି ମେଡିକାଲ ସଂପ୍ରସାରଣ ହେଉଥିବାରୁ ସରକାର ବିଦ୍ୟାଳୟ ଖାଲି କରିବାକୁ ବହୁ ଥର ଚିଠି କରିଛନ୍ତି। ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ୨୦୨୧-୨୨ଶିକ୍ଷାବର୍ଷ ସମାପ୍ତ ପର୍ଯ୍ୟନ୍ତ ସ୍କୁଲ ସ୍ଥାନାନ୍ତର ରୋକିବାକୁ ଆମେ ଅନୁରୋଧ କରିଥିଲୁ। କିନ୍ତୁ ଗତ ମାସରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍କୁଲ ଖାଲି ପାଇଁ ପୁଣି ନିର୍ଦ୍ଦେଶ ଆସିଲା। ଏଥି ପାଇଁ ଡିଏଭି ଆର୍‌ଓ, ଡିଏଭି ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏକ ବୈଠକ ବସିଥିଲା। ଏହି ବୈଠକରେ ଆମେ ପିଲାଙ୍କ ସ୍ବାର୍ଥ ପାଇଁ ଯେଉଁ ଦାବି ଉଠାଇଥିଲୁ, ସବୁଥିରେ ସରକାର ରାଜି ହୋଇଥିଲେ।

ପରେ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ଚୂଡାନ୍ତ ହେଲା। ସ୍କୁଲ ଅସ୍ଥାୟୀ ଭାବେ ଦୁଇଟି ସ୍ଥାନରେ ଚାଲିଲେ ମଧ୍ୟ ପିଲାଙ୍କ ଶୈକ୍ଷିକ ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ନୂଆ ବିଲିଡିଂ ନିର୍ମାଣ ସରିଲେ, ପୁଣି ସ୍କୁଲ ଗୋଟିଏ ସ୍ଥାନରେ ଚାଲିବ ବୋଲି ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। କିନ୍ତୁ ସ୍କୁଲ କୋଠା ନିର୍ମାଣ ଶେଷ ହେବା ପାଇଁ କେତେ ଦିନ ସମୟ ଲାଗିବ, ସଂପୂର୍ଣ୍ଣ ଅଫଲାଇନ୍ କ୍ଲାସ୍ ହେଲେ ଏହି ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ କିଭଳି ସୁବିଧାରେ ପଢିବାର ସୁଯୋଗ ପାଇବେ ତାହାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି। ଅନ୍ୟପଟେ ଅନେକ ଅଭିଭାବକଙ୍କର ଦୁଇ ଜଣ ପିଲା ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସିଡିଏ ଡିଏଭି ଓ ଜଣେ ଏଲଆର ଡିଏଭି ଯିବାକୁ ଥିବା ବେଳେ ସେମାନେ ବି ଏବେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର