ଆଜିଠୁ ଖୋଲିଲା ସ୍କୁଲ: ପୁଲିସ ହାଇସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ

ଷଷ୍ଠରୁ ଅଷ୍ଟମ ପାଠପଢ଼ା ବାଧାପ୍ରାପ୍ତ ହେବା ଆଶଙ୍କା

କଟକ: ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୫-ଟିରେ ରୂପାନ୍ତରୀକରଣ‌ ହୋଇଛି। ଅଗ୍ରାଧିକାର ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ହେଲା ସ୍ମାର୍ଟ ସ୍କୁଲ। ତଥାପି ଦୂର ହେଲାନି ସମସ୍ୟା, ଯେଉଁ ଅସୁବିଧାକୁ ସେହି ଅସୁବିଧା ରହିଲା। ତଳ ଶ୍ରେଣୀରେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ୭ରୁ ସ୍କୁଲ ଖୋଲିଲେ, ଏମାନଙ୍କୁ କିଏ ପଢ଼ାଇବେ ବୋଲି ଏବେ ପ୍ରଶ୍ନ ଉଠୁଛି। ଏ ହେଉଛି ପୁଲିସ୍ ବିଭାଗ ଦ୍ବାରା ପ୍ରତିଷ୍ଠିତ ଦେଶର ପ୍ରଥମ ସ୍କୁଲ ‘ଓଡ଼ିଶା ପୁଲିସ୍‌ ହାଇସ୍କୁଲ’ର ସ୍ଥିତି। ସରକାରୀ ଶିକ୍ଷାନୁଷ୍ଠାନରୁ ଅଭିଭାବକ, ଛାତ୍ରଛାତ୍ରୀ ମୁହଁ ଫେରାଇ ନେଉଥିବା ବ‌େଳେ ତୁଳସୀପୁରସ୍ଥିତ ‘ଓଡ଼ିଶା ପୁଲିସ୍ ହାଇସ୍କୁଲ’ରେ କିନ୍ତୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ, ସେହି ଅନୁସାରେ ଅଧିକ ଶିକ୍ଷକ ନିଯୁକ୍ତି ଦେବା ସ୍ଥାନରେ ସରକାର ଦରକାର ଥିବା ଶିକ୍ଷକ ପଦ ମଧ୍ୟ ପୂରଣ କରୁନାହାନ୍ତି। ଏବେ ୭ତାରିଖରୁ ବିଦ୍ୟାଳୟରେ ଅଫ୍‌ଲାଇନ୍ କ୍ଲାସ୍ ଆରମ୍ଭ ହେ‌ଲେ ପାଠପଢ଼ା ‌କିପରି ଚାଲିବ ତାହା ଚିନ୍ତାର ବିଷୟ ହୋଇଛି। ଏହି ଶିକ୍ଷାୟତନରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏବେ ବିଦ୍ୟାଳୟରେ ମୋଟ ୫୩୧ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି।

ଷଷ୍ଠରେ ୮୪ଜଣ, ସପ୍ତମରେ ୧୦୧ ଜଣ, ଅଷ୍ଟମରେ ୧୨୪ଜଣ, ୯ମରେ ୧୧୩ଜଣ ଓ ଦଶମ ଶ୍ରେଣ‌ୀରେ ୧୦୯ଜଣ ଛାତ୍ରଛାତ୍ରୀ ଅଛନ୍ତି। ବିଦ୍ୟାଳୟର ମୋଟ ଶିକ୍ଷକ ପଦ ୧୭ଜଣ। କିନ୍ତୁ ଦୀର୍ଘଦିନ ଧରି ୯ଜଣ କାର୍ଯ୍ୟ କରୁଥିବା ବେଳେ ସ୍ମାର୍ଟ ସ୍କୁଲ ହେବା ପରେ ସରକାର ଆଉ ୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏମିତି ମୋଟ ଶିକ୍ଷକ ଏବେ ୧୩ ଜଣ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସ୍କୁଲରେ ଆଉ ଜଣେ ଟିଜି (ଆର୍ଟସ୍‌), ଜଣେ ଟିଆଇ ଓ ୨ ଜଣ ଟିଏମ୍‌ ଶିକ୍ଷକ ଆବଶ୍ୟକ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଇଛି, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଟି ଆଇ, ଟିଏମ୍ ଶିକ୍ଷକ ଦରକାର ପଢ଼ୁଥିବା ବ‌େଳେ ଏଥିରୁ ୩ଜଣ ଶିକ୍ଷକ ପଦବି ଏବେ ବି ଫାଙ୍କା ପଡ଼ିଛି। ସେହିପରି ହାଇସ୍କୁଲ (ନବମ, ଦଶମ) ପାଇଁ ଜଣେ ଟିଜି(ଆର୍ଟସ୍) ଶିକ୍ଷକ ପଦ ଖାଲିପଡ଼ିଛି। କରୋନା କଟକଣା ପାଇଁ ସରକାର ପିଲାଙ୍କୁ ସୁରକ୍ଷିତ ଦୂରତାରେ ବସାଇବା ପାଇଁ କହୁଥିବାରୁ ପୂର୍ବରୁ ଗୋଟିଏ ଶ୍ରେଣୀକୁ ଯେତିକି ସେକ୍ସନରେ ବିଭକ୍ତ କରାଯାଉଥିଲା, ଏବେ ଅଧିକ ହେବା ସ୍ବାଭାବିକ। ଏଥିପାଇଁ ଅଧିକ ଶିକ୍ଷକଙ୍କ ସମେତ ଅଧିକ ଶ୍ରେଣୀ ଗୃହର ଦରକାର। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ସ୍କାର୍ଟ ସ୍କୁଲ ହୋଇଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଉଭୟ ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ ରହିଛି। ଟିଆଇ, ଟିଏମ୍ ପଦ ଖାଲିପଡ଼ିଥିବାରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଭିଭାବକ ମହଲରେ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର