ଓଡ଼ିଶା ମୃଣ୍ମୟ ଶିଳ୍ପୀସଂଘ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି, ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କ ବିଶାଳ ପ୍ରତିମୂର୍ତ୍ତି

କଟକ: ବରିଷ୍ଠ ଅଭି‌ନେତା ମିହିର ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ। ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି। ଆସନ୍ତା ୧୧ ତାରିଖରେ ମିହିରଙ୍କ ଜନ୍ମଦିନରେ ଶିଳ୍ପୀକୂଳ ସମେତ ସହରର ରାଜନେତା, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଓ ଚଳଚ୍ଚିତ୍ର ଅଭିନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ୧୨ତାରିଖ ପର୍ଯ୍ୟନ୍ତ ଶିଳ୍ପୀକୁମ୍ଭାରସାହି ଶ୍ରୀଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ଲୋକଙ୍କ ଦେଖିବା ପାଇଁ ପ୍ରତିମୂର୍ତ୍ତିଟି ଶୋଭାପାଇବ। ଏହି ମୂର୍ତ୍ତି ନିର୍ମାଣ ଏବେ ୫୦ ପ୍ରତିଶତ ସରିଥିବା ବ‌େଳେ ଅବଶିଷ୍ଟ କାର୍ଯ୍ୟ ଦୁଇ ଦିନରେ ସଂପୂର୍ଣ୍ଣ କରିବାକୁ ସଂଘର ୩୦ରୁ ଅଧିକ ଭାସ୍କର୍ଯ୍ୟ ଶିଳ୍ପୀ ଦିନରାତି ଏକ କରି କାମ କରୁଛନ୍ତି। ମୂର୍ତ୍ତି କାରିଗରଙ୍କ ଜୀବନକୁ ଆଧାର କରି ମିହିର ଚଳଚ୍ଚିତ୍ର କରିଥିବାରୁ ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଭଳି ନିଆରା ଉଦ୍ୟମ ଚାଲିଛି।

୨୦୧୨ରେ ଅଭିନେତା ମିହିର ଦାସ ‘ମାଟିର ବନ୍ଧନ’ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମିହିର ଜଣେ ଶିଳ୍ପୀ ଭୂମିକାରେ ଅଭିନୟ କରିଥିଲେ। ନିଖୁଣ ଅଭିନୟ ପାଇଁ ସେ ଶିଳ୍ପୀ କୁମ୍ଭାରସାହି ଆସି ସାହିର ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଜୀବନକୁ ଅନୁଧ୍ୟାନ କରିଥିଲେ। ସେ ବୁଝିଥ‌ିଲେ, ଜଣେ ମୃଣ୍ମୟୀ ଶିଳ୍ପୀ ଜୀବନର ବାସ୍ତବ କଥା। ଏହି ଚଳଚ୍ଚିତ୍ର ୨୦୧୫ ମସିହାରେ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ସେନ୍‌ସର ବୋର୍ଡର କିଛି କଟକଣା ପାଇଁ ଓଡ଼ିଶାରେ ମୁକ୍ତିଲାଭ କରିପାରି ନଥିଲା। କିନ୍ତୁ ଏହା ଅନ୍ୟ କିଛି ରାଜ୍ୟରେ ଚାଲିଥିଲା।

ଶିଳ୍ପୀକୁଳଙ୍କ ପ୍ରତି ମିହିରଙ୍କ ଏଭଳି ଉଦ୍ୟମକୁ ଭୁଲିପାରି ନାହାନ୍ତି, ଶିଳ୍ପୀକୁମ୍ଭାର ସାହିର ମୃଣ୍ମୟ କାରିଗର। ବରିଷ୍ଠ ଭାସ୍କାର୍ଯ୍ୟଶିଳ୍ପୀ କେଦାରନାଥ ବେହେରାଙ୍କ କହିବା ଅନୁସାରେ, ସାରା ଦେଶରେ ବହୁ ଚଳଚ୍ଚିତ୍ର, ପ୍ରାମାଣିକ ଚିତ୍ର, ନାଟକ ଆଦି ପ୍ରସ୍ତୁତି ହେଉଥିଲେ ମଧ୍ୟ କେହି ମୃଣ୍ମୟୀ ଶିଳ୍ପୀଙ୍କ ଜୀବନକୁ ଆଧାର କରି ଚଳଚ୍ଚିତ୍ର କରିନାହାନ୍ତି। ପ୍ରଥମ କରି ମିହିର ଦାସ ଏଭଳି ଏକ ସାଧୁ ଉଦ୍ୟମ କରିଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସଂଘ ପକ୍ଷରୁ ଏଭଳି ପ୍ରୟାସ ଚାଲିଛି। ସଂଘର ୩୦ରୁ ଅଧିକ କାରିଗର ଫେବ୍ରୁଆରି ୧ତାରିଖରୁ ମିହିର ଦାସଙ୍କ ଏହି ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି। ପ୍ରତିମୂର୍ତ୍ତିର ଉଚ୍ଚତା ପାଖାପାଖି ୧୦ଫୁଟ୍‌ (ଆଧାରକୁ ମିଶାଇ) ହୋଇଥିବା ବେଳେ ଓସାର ପ୍ରାୟ ୮ଫୁଟ୍ ରହିଛି। ଏବେ ନିର୍ମାଣ ୫୦ ଭାଗ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଦୁଇ ଦିନରେ ସରିଯିବ ବୋଲି ସୂଚନା ମିଳିଛି।

ବରିଷ୍ଠ ଶିଳ୍ପୀ କୈଳାସ ଚନ୍ଦ୍ର ରଣାଙ୍କ କହିବା ଅନୁସାରେ, ସେମାନେ ସମୟ, ଶ୍ରମ, ସମ୍ବଳକୁ ଦେଖୁନାହାନ୍ତି, କେବଳ ମିହିରଙ୍କ ପ୍ରତି ଥିବା ଆନ୍ତରିକତାକୁ ପାଥେୟ କରି କାମ କରୁଛନ୍ତି। ଆସନ୍ତା ୧୧ତାରିଖରେ ଶିଳ୍ପୀକୁମ୍ଭାରସାହି ଲକ୍ଷ୍ମୀନାରାୟଣ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ସଭା ହେବ ଓ ଆସନ୍ତା ୧୧, ୧୨ଦୁଇ ଦିନ ଧରି ମିହିରଙ୍କ ପ୍ରତିମୂର୍ତ୍ତି ‌ସେଠାରେ ଶୋଭା ପାଇବ। ନିର୍ମାଣ କାର୍ଯ୍ୟରେ ସଂଘର କେଦାକନାଥ ବେହେରା, କୈଳାସ ଚନ୍ଦ୍ର ରଣା, ଲକ୍ଷ୍ମୀଧର ମୁଦୁଲି, ରାଜେନ୍ଦ୍ର ମୁଦୁଲି, ସୁଧାକର ମୁଦୁଲି, ଅଜୟ ବେହେରା, ବସନ୍ତ ଦାସ, ଅଭିମନ୍ୟୁ ବେହେରା, ଦେବେନ୍ଦ୍ର ମୁଦୁଲି, ପ୍ରମୋଦ ବେହେରା, ପର୍ଶୁରାମ ବେହେରା, ପ୍ରକାଶ ମୁଦୁଲି, ନରେଶ ଦାସ, ମନୋରଞ୍ଜନ ରଣା, ତ୍ରିଲୋଚନ ବେହେରା, ମୁରଲୀଧର ସେନାପତି ପ୍ରମୁଖ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର