୪ବର୍ଷ ପ୍ରତୀକ୍ଷାର ହେବ ଅନ୍ତ: ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଖୋଲିବ ୨ୟ କ୍ୟାଥ୍‌-ଲାବ୍‌

କଟକ: ଅନିଶ୍ଚିତତାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ କାର୍ଯ୍ୟକାରୀ ହେବ ୨ୟ କ୍ୟାଥ୍‌-ଲାବ୍‌। ଯାହା ଅତ୍ୟାଧୁନିକ ମଡେଲ୍‌ରେ ତିଆରି ପାଇଁ ଯୋଜନା କରାଯାଇଥିବା ବେଳେ ଟେଣ୍ଡର୍‌ ପାଇଥିବା ସଂସ୍ଥା ମଧ୍ୟ ଏସ୍‌ସିବି ଗସ୍ତରେ ଆସି କେଉଁ ସ୍ଥାନରେ ଓ କେଉଁ ଢାଜ୍ଞାରେ ଏହାକୁ ପ୍ରସ୍ତୁତ କରାଯିବ ସେ ନେଇ ଭିତ୍ତିଭୂମି ଅନୁଧ୍ୟାନ କରିଥିବା ଜଣାପଡିଛି। ଦିନେ/ଦୁଇଦିନ ମଧ୍ୟରେ ଉକ୍ତ ସଂସ୍ଥାର ଟେକ୍ନିକାଲ୍‌ ଟିମ୍‌ ଏସ୍‌ସିବିରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ, ୩/୪ବର୍ଷ ତଳେ ଯେଉଁ ପ୍ରକଳ୍ପ ପାଇଁ ୨କୋଟିର ଅର୍ଥ ବ୍ୟୟବରାଦ କରାଯାଇଥିଲା ତା’ର ପରିମାଣ ପାଖାପାଖି ୩କୋଟି ଛୁଇଁଥିବା ସୂଚନା ମିଳିଛି। ଗୋଟିଏ କ୍ୟାଥ୍‌-ଲାବ୍‌ର ରକ୍ଷଣାବେକ୍ଷଣ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଯୋଗାଣକାରୀ ସଂସ୍ଥା ଏହାର ମରାମତି କାର୍ଯ୍ୟ କରିଥାଏ, କିନ୍ତୁ ଏହି ସମୟ ଅତିକ୍ରାନ୍ତ ହେଲେ ଏହାର ରକ୍ଷାଣାବେକ୍ଷଣ ଦାୟିତ୍ବ ଉକ୍ତ ସଂସ୍ଥା ନେଇ ନଥାଏ। ଏସ୍‌ସିବିରେ ଥିବା କ୍ୟାଥ୍‌-ଲାବ୍‌କୁ ୧୨ବର୍ଷ ଟପିଥିବା ଜଣାପଡିଛି। କଟକ ବଡ଼ ଡାକ୍ତରଖାନା କ୍ୟାଥ୍‌-ଲାବ୍‌ ଉପରେ ମାସକୁ ୨୫୦ରୁ ୩ଶହ ରୋଗୀ ନିର୍ଭର କରିଥାନ୍ତି। ପ୍ରତିଦିନ ଅତିକମ୍‌ରେ ୧୦ଜଣ ରୋଗୀଙ୍କ ବିଭିନ୍ନ ଚିକିତ୍ସା ବା ପ୍ରସେସ୍‌ ବ୍ୟବସ୍ଥା ଏହି କ୍ୟାଥ୍‌-ଲାବ୍‌ ମାଧ୍ୟମରେ କରାଯାଇଥାଏ। ତେବେ ଗୋଟିଏ କ୍ୟାଥ୍‌-ଲାବ୍‌ ଯୋଗୁଁ ରୋଗୀଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡୁଛଇ ଓ ଅନେକ ରୋଗୀ ଉପଯୁକ୍ତ ସମୟରେ ସରକାରୀ ମାଗଣା ବ୍ୟବସ୍ଥାର ଲାଭ ଉଠାଇପାରୁ ନାହାନ୍ତି।

ବହୁ ଗରିବ ରୋଗୀ ଆଞ୍ଜିଓଗ୍ରାମ୍‌ କିମ୍ବା ଆଞ୍ଜିଓପ୍ଲାଷ୍ଟ୍‌ର ସୁବିଧା ପାଇପାରୁ ନାହାନ୍ତି। କ୍ୟାଥ୍‌-ଲାବ୍‌ ପୁରୁଣା ହୋଇସାରିଛି। ୧୨ବର୍ଷ ତଳର ମେସିନ୍‌ ଆଜିର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥାକୁ ସୁହାଉଥିଲେ ବି ଏହା ଭିତରେ ଅନେକ ଅତ୍ୟାଧୁନିକ ଭର୍ସନର ମେସିନ୍‌ ବାହାରି ସାରିଛି। ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ୨ୟ କ୍ୟାଥ୍‌-ଲାବ୍‌ ପାଇଁ ୪ବର୍ଷ ତଳେ (୨୦୧୮ ମସିହାରେ) ୨କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି ଯନ୍ତ୍ରାଂଶ କ୍ରୟ ଓ ଟେଣ୍ଡର ପ୍ରକ୍ରିୟା ପାଇଁ ରାଜ୍ୟ ଔଷଧ ନିଗମକୁ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ ଏହାର ଟେଣ୍ଡର ପ୍ରକ୍ରିୟା ହୋଇଥିଲେ ସୁଦ୍ଧା କେବଳ ଜଣେ ବ୍ୟକ୍ତି ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗନେଇଥିବାରୁ ଏହା କାଟ୍‌ ଖାଇଥିଲା ଓ ପୁଣି ଥରେ ଟେଣ୍ଡର କରାଯିବା ପରେ ଏକ କମ୍ପାନି ଏହାର ଟେଣ୍ଡର ପାଇଛି। କିନ୍ତୁ ୪ବର୍ଷ ତଳେ ବ୍ୟୟବରାଦ କରାଯାଇଥିବା ୨କୋଟି ଏବେ ୩କୋଟି ଟପିଥିବା ଜଣାପଡିଛି। ଏପଟେ କୋଭିଡ୍‌ ପରେ ହୃଦ୍‌ଘାତ ସମସ୍ୟା ଓ ହୃଦ୍‌ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଥିବାରୁ ଏସ୍‌ସିବି ସ୍ବତନ୍ତ୍ର ହୃଦ୍‌ରୋଗ ବିଭାଗ ଉପରେ ଚାପ ବଢୁଛି। ଏପଟେ ରାଜ୍ୟର ସବୁ ଜିଲ୍ଲାରୁ ରେଫେରାଲ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଏସ୍‌ସିବିର ଚାପ ବଢ଼ାଉଛି। ଏମିତିକି କେତେକ ରୋଗୀଙ୍କୁ ଆଞ୍ଜିଓଗ୍ରାମ୍‌ କରିବା ପାଇଁ ଅଧିକ ଦିନ ଧରି ଅପେକ୍ଷା କରିବାକୁ ପଡୁଥିବାବେଳେ ଅନେକ ରୋଗୀ ମାଗଣା ସେବାର ଲାଭ ପାଇପାରୁନାହାନ୍ତି। ଅନ୍ୟ ରାସ୍ତା ନପାଇ ସେମାନେ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର