ପ୍ରଥମ ଲହର ତୁଳନାରେ ଘାତକ ସାଜିଛି ଦ୍ବିତୀୟ ଲହର

କଟକ: କଟକ ମହାନଗର ନିଗମ ଅଞ୍ଚଳରେ କେବଳ ମେ’ ମାସରେ ୧୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ମେ’ରେ ସଂକ୍ରମଣ ସ୍ଥିତି ଅଧିକ ଖରାପ ରହିଛି। ଲକ୍‌ଡାଉନ୍‌ ପାଇଁ ଜୁନ୍‌ରେ ସଂକ୍ରମଣ କମିବାର ଆଶା କରାଯାଉଛି। ତେବେ ୨୦୨୦ରେ ଆସିଥିବା ପ୍ରଥମ ଲହରରେ ସିଏମ୍‌ସି ଅଞ୍ଚଳରେ ସେପ୍ଟେମ୍ବର ମାସରେ ସର୍ବାଧିକ ସଂକ୍ରମିତ ବାହାରିଥିଲେ।

ସହରରେ ପ୍ରଥମ ଲହରରେ କେବଳ ସେପ୍ଟମ୍ବରରେ ୭ ହଜାର ୧୦୧ ଆକ୍ରାନ୍ତ ବାହାରିଥିବା ବେଳେ ଦ୍ବିତୀୟ ଲହରରେ ମେ’ ମାସରେ ୧୩ ହଜାର ୧୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପିକ୍‌ ମାସର ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଏଥର ପିକ୍‌ ମାସର ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଦୁଇଗୁଣା ରହିଛି। ଗତ ସେପ୍ଟମ୍ବରରେ ୨୩ ତାରିଖରେ ସର୍ବାଧିକ ୩୪୩ ଜଣ ଆକ୍ରାନ୍ତ ସହରରୁ ବାହାରିଥିଲେ।

ଦ୍ବିତୀୟ ଲହର‌ ମେ’ ୧୫ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୬୮୦ଜଣ ସଂକ୍ରମିତ ସିଏମ୍‌ସିରୁ  ଚିହ୍ନଟ ହୋଇଛନ୍ତି। ସିଏମ୍‌ସି‌ର ଏଥର ମେ’ ମାସରେ ସର୍ବାଧିକ ଆକ୍ରାନ୍ତ ବାହାରିଥିବା ବେଳେ ମାସର ୩୧ ଦିନରୁ ୭  ଦିନରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହିଛି। ମାସର ୬ ତାରିଖରେ ୫୨୩ ଜଣ, ୭ରେ ୫୯୩ ଜଣ, ୮ରେ ୫୯୦ ଜଣ, ୨୦ରେ ୫୫୧ ଜଣ, ୨୧ରେ ୫୩୨ ଜଣ ଓ ୨୮ ତାରିଖରେ ୫୨୯ଜଣ ସଂକ୍ରମିତ ବାହାରିଥିଲ। ଗତବର୍ଷର ପିକ୍‌ ସମୟ ସେପ୍ଟେମ୍ବରରେ ସହରର କରୋନା ପରିସ୍ଥିତି ଯେତିକି ଖରାପ ଥିଲା ଏଥର ପିକ୍‌ ମାସ କୁହାଯାଉଥିବା ମେ’ରେ ତାଠାରୁ ଅଧିକ ସ୍ଥିତି ଖରାପ ରହିଛି। ଗତ ମାସ ୫ ତାରିଖରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଲାଗୁ କରିଥିଲେ ବି ସ୍ଥିତିରେ ବିଶେଷ ସୁଧାର ଆସୁନାହିଁ। ଗତଥର ପରି ଏଥର ପୁଲିସ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍ ନିୟମକୁ କଡ଼ାକଡି ଭାବେ ପାଳନ କରାଯାଉ ନଥିବାରୁ ଅମାନିଆଙ୍କ ପାଇଁ ପଜିଟିଭ୍‌ ସଂଖ୍ୟା କମୁନଥିବାର କୁହାଯାଉଛି। ପ୍ରଥମ ଲହରରେ ପୁଲିସ ଯେପରି କୋଭିଡ୍‌ ନିୟମକୁ ନେଇ ସଜାଗ ଥିଲା ଏଥର ମଧ୍ୟ ସେହିପରି ସଜାଗ ରହିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର