ମାଲଗୋଦାମରେ ଖେସାରି ଡାଲି ଜବତ; ୨ ଗୋଦାମ ମାଲିକ ଅଟକ

କଟକ: ମାଲଗୋଦାମରେ ବିକ୍ରି ହେଉଛି ନିଷିଦ୍ଧ ହୋଇଥିବା ଖେସାରି ଡାଲି। ଏହି ଡାଲି ଖାଇଲେ ବାତ ରୋଗ ହେଉଥିବାରୁ ଡାଲିକୁ ନିଷିଦ୍ଧ କରାଯାଇଥିବା ବେଳେ ଦୁଇଜଣ ବ୍ୟବସାୟୀ ଏହି ଡାଲିକୁ ହରଡ଼ ଡାଲିରେ ମିଶାଇ ବିକ୍ରି କରୁଥିଲେ। ସୂଚନା ପାଇ ଆଜି ମାଲଗୋଦାମ ଥାନା ପୁଲିସ ମାଲଗୋଦାମରେ ଚଢ଼ଉ କରି ଦୁଇଜଣ ବ୍ୟବସାୟୀଙ୍କୁ ଉଠାଇ ନେଇଛି। ସୂଚନା ଅନୁଯାୟୀ, ମାଲଗୋଦାମର ଦୁଇଜଣ ବ୍ୟବସାୟୀ ଆନ୍ଧ୍ରରୁ ଖେସାରି ଡାଲି ଆମଦାନୀ କରୁଥିଲେ। ଏଠି ହରଡ଼ ଡାଲିରେ ଖେସାରିକୁ ମିଶାଇ ଗ୍ରାହକଙ୍କୁ ଠକୁଥିଲେ। ଆଜି ଦିନ ପ୍ରାୟ ୨ଟା ବେଳେ ମାଲଗୋଦାମ ଥାନା ପୁଲିସର ଏକ ଟିମ୍ ଦୁଇଟି ଗୋଦାମରେ ଚଢ଼ଉ କରି ୫୦ କୁଇଣ୍ଟାଲ୍ ଡାଲି ଜବତ କରିଛି। ଜବତ ଡାଲିର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଏହି ମାମଲାରେ ଦିନେଶ ପଣ୍ଡାଙ୍କ ପୁଅ ସିଦ୍ଧାନ୍ତ ପଣ୍ଡା ଓ ପ୍ରଦୀପ ସାହୁଙ୍କୁ ଭେଜାଲ କରିଥିବା ଦର୍ଶାଇ ପୁଲିସ ଥାନାକୁ ଉଠାଇ ନେଇଛି। ପୁଲିସ ଦୁଇଟି ଡାଲି ଗୋଦାମକୁ ସିଲ୍ କରିଦେଇଥିବା ବେଳେ ଡାଲି ନମୁନା ସଂଗ୍ରହ କରାଯାଇଛି। ଏହାକୁ ଭୁବନେଶ୍ବରସ୍ଥିତ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯିବ। ଚଢ଼ଉରେ ଏସିପି ଅମରେନ୍ଦ୍ର ପଣ୍ଡା, ତୃପ୍ତି ରଞ୍ଜନ ନାୟକ, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଫୁଡ୍‌ ସେଫ୍‌ଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର, ଖାଦ୍ୟ ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର