ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ନେଇ ବୈଠକ, ଫ୍ରି ହୋଲଡ୍‌, ପେଟାନାଳ ମରାମତି, ସାଟେଲାଇଟ୍‌ ସିଟି ପାଇଁ ଦାବି

କଟକ: ସିଡିଏ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପୌର ନିଗମ ପକ୍ଷରୁ ନିଗମ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଓ କମିସନର ନିଖିଲ୍‌ ପୱନ୍‌ କଲ୍ୟାଣଙ୍କ ନେତୃତ୍ବରେ ଆୟୋଜିତ ବୈଠକ‌େର ସିଡିଏ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବୈଠକରେ ସିଡିଏ ସେକ୍ଟର ୬ରୁ ୧୧ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ରଖାଯିବା ସହ ସେଗୁଡିକର ସମାଧାନ କରିବା ପାଇଁ ସିଡିଏ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଥିଲା। ଆଜିର ବୈଠକ‌େର ସିଡିଏର ସମସ୍ତ ଜମିକୁ ଫ୍ରି ହୋଲଡ୍‌ କରିବା, ପେଟାନାଳର ପୁନରୁଦ୍ଧାର କରିବା ସହ ରାଜ୍ୟ ସରକାର ସିଡିଏକୁ ସାଟେଲାଇଟ୍‌ ସିଟି କରିବା ପାଇଁ ଘୋଷଣା କରିଥିବା ଯୋଜନାକୁ ବାସ୍ତବରୂପ ଦେବାକୁ ସିଡିଏବାସୀଙ୍କ ପକ୍ଷରୁ ଦାବି ହୋଇଛି। ସିଡିଏର ସମସ୍ତ ସେକ୍ଟରରେ ବର୍ଷା ଜଳ ନିଷ୍କାସନ, ରାସ୍ତା ମରାମତି, ସ୍ବରେଜ ବ୍ୟବସ୍ଥା, ସବୁ ସେକ୍ଟରରେ କମ୍ୟୁନିଟି ସେଣ୍ଟର କରିବା, ଆଲୋକ, ବୁଲା ପଶୁଙ୍କୁ ଧରିବା ପରି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବା ସହ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଗେଲ୍‌ ଓ ୱାଟ୍‌କୋ କାମ ଉପରେ ଆଙ୍କୁଶ ଲଗାଇବାକୁ ଦାବି ହୋଇଛି। ବି‌ଶେଷ ଭାବେ ସିଡିଏ ସେକ୍ଟର-୬ରେ ଥିବା ଜୟପ୍ରକାଶ ନାରାୟଣ ପାର୍କର ନାମକୁ ଓଡ଼ିଆରେ ଲେଖିବାକୁ ମତ ପ୍ରକାଶ ପାଇଛି।

ସେହିପରି ସେକ୍ଟର ୭ରେ ନିର୍ମାଣ ହୋଇଥିବା ଏମ୍‌ସିସିକୁ ସ୍ଥାନାନ୍ତର କରିବା ସହ ସେଠାରେ ପୋଷ୍ଟ ଅଫିସ ପାଇଁ ନିରୂପିତ ହୋଇଥିବା ସ୍ଥାନରେ ଶିଘ୍ର ତାହା ନିର୍ମାଣ କରିବାକୁ ଦାବି ହୋଇଛି। ସେକ୍ଟର ୮ରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ହାଇସ୍କୁଲ କରିବା ସହ ଅଞ୍ଚଳର ରାସ୍ତା ମରାମତି ଦିଗରେ କାମ କରିବାକୁ କୁହାଯାଇଛି। ସିଡିଏ ସେକ୍ଟର-୯ରେ ୨ଟି କଲ୍ୟାଣ ମଣ୍ଡପ ପାଇଁ ଜମି ଚିହ୍ନଟ ହୋଇଥିବା ବେଳେ ଏହାକୁ ତୁରନ୍ତ କରିବାକୁ ବୈଠକରେ ଦାବି ହୋଇଛି। ସେକ୍ଟର-୧୦ରେ ପାର୍କ ଓ ଏକ ସ୍ବାସ୍ଥ୍ୟ କେନ୍ଦ୍ର କରିବାକୁ କୁହାଯାଇଛି। ସିଡିଏ ସେକ୍ଟର-୧୧ରେ ଏକ ପେଟ୍ରୋଲ ପମ୍ପ ଓ ଖେଳ ପଡିଆ କରିବାକୁ ଦାବି ହୋଇଛି। ଅନ୍ୟପଟେ ଉକ୍ତ ସେକ୍ଟରରେ ଏକ ୧୯ ମହଲା ବିଲଡିଂ କରାଯାଉ ଥିବା ବେଳେ ଏହାକୁ ବନ୍ଦ କରିବାକୁ ସଭାରେ କୁହାଯାଇଛି।

ଆଜିର ସଭାରେ କର୍ପୋରେଟର ପ୍ରଦୀପ ରାଉତ, ପ୍ରିୟମ୍ବଦା ସ୍ୱାଇଁ, ପ୍ରିୟମ୍ବଦା ମହାନ୍ତି, ରିତାଞ୍ଜଳି ବେହେରା, ପି. କେ. ସିହ୍ନା, ଡକ୍ଟର ସତ୍ୟ ରାୟ, ପ୍ରଫେସର ନଟବର ଶତପଥି, ଚିତ୍ତ ରଂଜନ ମହାନ୍ତି, ପ୍ରଫେସର ରଜନୀ ବଲ୍ଳଭ ଦାସ, ବଂଶୀଧର ରାଉତ, ପ୍ରଫୁଲ୍ଲ ସିଂହ, ସୁଦାମ ଚରଣ ବେହେରା, ଦ୍ୱାରିକାନାଥ ମହାନ୍ତି, ଦେବେନ୍ଦ୍ର ସୁତାର, ବଂକିମ ମହାନ୍ତି, ବିଜୟ କୁମାର ମହାପାତ୍ର, ସୁଶାନ୍ତ କୁମାର ସ୍ୱାଇଁ, ପରୀକ୍ଷିତ ସାହୁ, ପ୍ରଶାନ୍ତ ତପଚାରି, ଶୁଭ୍ରାଂଶୁ ମହାନ୍ତି, ପ୍ରକାଶ ସିଂହ, ସୁନୀଲ ସାମଲ, ଅକ୍ଷୟ ଦାସ, ପ୍ରଦୀପ ରାଉତ, ରାମ ବେହେରା, ମୈତ୍ରିଜିତ ମହାନ୍ତି, ସୁକାନ୍ତ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ, ଜନ ଆଶିଷ ବରାଳ, ଜଗନ୍ନନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ।

ସମ୍ବନ୍ଧିତ ଖବର