ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକା ଓ ଟେଷ୍ଟିଂ ବ୍ୟବସ୍ଥା

କଟକ: ମହାନଗର ନିଗମ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେବାର ବ୍ୟବସ୍ଥା ପୁଣି ଆରମ୍ଭ କରାଯାଇଛି। ଗତ ମେ’ ମାସରେ ଏହାକୁ ଆରମ୍ଭ କରାଯାଇ ଥିଲେ ବି ଏହା ବିଶେଷ ଫଳପ୍ରଦ ନ ହେବାରୁ ଏହାକୁ ବନ୍ଦ ରଖାଯାଇଥିଲା। ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କ ନିଗମକୁ ‌କଲ୍‌ କଲେ ସେମାନଙ୍କୁ ମହାନଗର ନିଗମ ପକ୍ଷରୁ ଟିକା କେନ୍ଦ୍ରକୁ ଅଣାଯାଇ ଟିକା ଦେବାର ବ୍ୟବସ୍ଥା କରାଯିବ। ଅନ୍ୟପଟେ ସେମାନଙ୍କ ପାଇଁ ଘରେ କୋଭିଡ୍‌ ପରୀକ୍ଷା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦିବ୍ୟାଙ୍ଗ ଓ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କୋଭିଡ୍‌ ଟିକା ପାଇଁ ୯୭୭୭୦୬୭୨୯୭ ଓ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବର କଲ୍‌ କରିବାକୁ କୁହାଯାଇଛି। ସିଏମ୍‌ସିର ଗାଡ଼ି ସେମାନଙ୍କୁ ଟିକା କେନ୍ଦ୍ରକୁ ଆଣି ‌ଟିକା ଦେଇ ପୁଣି ତାଙ୍କ ଘରେ ନେଇ ଛାଡ଼ିବ। ସେହିପରି  ସେମାନଙ୍କ ଘରେ ସିଏମ୍‌ସି ଗାଡ଼ି ପହଞ୍ଚି ସେମାନଙ୍କ କରୋନା ପରୀକ୍ଷା ତାଙ୍କ ଘରେ କରାଇବ। ନିଗମ ପକ୍ଷରୁ ଦିଆଯାଇଥିବା ଫୋନ୍‌ ନମ୍ବରରେ ବ୍ୟକ୍ତିଙ୍କ ନାମ, ୱାର୍ଡ ନମ୍ବର, ସଂପୂର୍ଣ୍ଣ ଠିକଣା, ଆଧାର ନମ୍ବର, ଫୋନ ନମ୍ବର ଦେବାକୁ କୁହାଯାଇଛି। ସୋମବାରରୁ ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଉକ୍ତ ନମ୍ବରରେ ଫୋନ କରି ନାମ ପଞ୍ଜିକରଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର