ବରିଷ୍ଠ କିରାଣୀଙ୍କୁ ବର୍ଷେ ଜେଲ୍‌

କଟକ : ମୟୂରଭଞ୍ଜ ସୁକୁରୁଲି ବ୍ଲକ୍‌ର ପୂର୍ବତନ ବରିଷ୍ଠ କିରାଣୀ ବିଶ୍ୱମ୍ବର ବେହେରାଙ୍କୁ ବାରିପଦା ଭିଜିଲାନ୍ସ କୋର୍ଟ ବର୍ଷେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୫ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ୨୦୦୯ ମସିହାରେ ଚାଉଳ ବଣ୍ଟନ କ୍ଷେତ୍ରରେ ବ୍ୟାପକ ହେର୍‌ଫେର୍‌ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଠାକୁରମୁଣ୍ଡା ବ୍ଲକ୍‌ରେ କାର୍ଯ୍ୟ କରୁଥିବା ବେଳେ ଇସ୍ୟୁ ରେଜିଷ୍ଟର୍‌ରୁ ୪୭୫ ଚାଉଳ ବସ୍ତା ଅନିୟମିତତା ବିଷୟରେ ତଦନ୍ତ ବେଳେ ଜଣାପଡ଼ିଥିଲା। ଏହି ବସ୍ତାଗୁଡ଼ିକର ମୂଲ୍ୟ ୫ଲକ୍ଷ ୯୮ହଜାର ୫୦୦ ଟଙ୍କା ହେବ ବୋଲି କୁହାଯାଇଛି। ଏହା ଉପରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩ (୨), ୧୩(୧)(ସି)(ଡି), ଆଇପିସି ଦଫା ୪୦୯, ୪୬୮, ୪୭୭-ଏ ଅନୁଯାୟୀ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ବିଭିନ୍ନ ତଥ୍ୟ ଓ ପ୍ରମାଣକୁ ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଅଭିଯୁକ୍ତ ବିଶ୍ୱମ୍ବରଙ୍କୁ ଦୋଷୀ କରାଇଥିଲେ। ଫଳରେ ତାଙ୍କୁ ବର୍ଷେ ଜେଲ୍‌ ସହିତ ୫ହଜାର ଟଙ୍କା ଜରିମାନା ଲଗାଯାଇଥିଲା। କୋରାପୁଟ ଭିଜିଲାନ୍ସ ଡିଭିଜନ୍‌ର ଏସ୍‌ପି ଏଚ୍‌.କେ. ବେହେରା ମାମଲାର ତଦନ୍ତ କରିଥିଲା ବେଳେ ବାରିପଦାର ସ୍ୱତନ୍ତ୍ର ପିପି କେ.ସି. ଶତପଥୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର