୯ ମାସରେ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି ସର୍ଭିସ୍‌ ପାଭେଲିଅନ୍‌

ସିଏମ୍‌ସିର ୧୦ଟି ସେବାରୁ ମିଳୁଛି ଗୋଟିଏ ସର୍ଭିସ୍‌

କଟକ: ମହାନଗର ନିଗମ ପକ୍ଷରୁ ସହରବାସୀଙ୍କୁ ସେବା ଯୋଗାଇ ଦେବା କ୍ଷେତ୍ରରେ ପାଦେ ଆଗକୁ ଯାଇ ମ୍ୟୁନିସିପାଲ ସର୍ଭିସ ପାଭେଲିଅନ୍‌କୁ ଆରମ୍ଭ କରାଯାଇଥିଲା। ହେଲେ, ୯ ମାସ ତଳେ ଉଦ୍‌ଘାଟିତ ହୋଇଥିବା ପାଭେଲିଅନ୍‌କୁ ଏବେ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ସାଧାରଣ ଲୋକେ ଗୋଟିଏ ଛାତ ତଳେ ସିଏମ୍‌ସିର ସମସ୍ତ ସେବା ଓ ସୁବିଧା ପାଇବେ ବୋଲି ନିଗମ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ଘୋଷଣାରୁ କେବଳ ଆଧାରକାର୍ଡ ଛଡା ‌ଅନ୍ୟ କୌଣସି ସୁବିଧା ଓ ସୁଯୋଗ ଏଠାରେ ମିଳୁ ନଥିବା ଦେଖାଯାଇଛି। ସହରବାସୀଙ୍କ ସୁବିଧା ପାଇଁ ସିଏମ୍‌ସିର ଚନ୍ଦନପୋଖରୀ ନିକଟରେ ମ୍ୟୁନିସିପାଲ ସର୍ଭିସ୍‌ ପାଭେଲିଅନ୍‌କୁ ଗତ ବର୍ଷ ସେପ୍ଟେମ୍ବରରେ ଉଦ୍‌ଘାଟନ କରାଯାଇଥିଲା। ଏଠାରେ ‌ମହାନଗର ନିଗମର ବିଭିନ୍ନ ବିଭାଗର କାମ ଗୋଟିଏ ସ୍ଥାନରେ କରାଯିବା ସହ ଏଠାରୁ ନିଗମର ସମସ୍ତ ସେବା ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲ। ପାଭେଲିଅନ୍‌ରେ ହୋଲଡିଂ ଟିକସ ଆଦାୟରୁ ଆରମ୍ଭ କରି ଜନ୍ମ-ମୃତ୍ୟୁ ଓ ବିବାହ ପଞ୍ଜୀକରଣ କରିବା ଓ ପ୍ରମାଣପତ୍ର ମିଳିବା, ଟ୍ରେଡ୍‌ ଲାଇସେନ୍ସ, ୟୁଜର୍ସ ଫି’ ଆଦାୟ, ଆଧାରକାର୍ଡ କରିବା ପରି ୧୦ରୁ ଅଧିକ ସେବା ମିଳିବ ବୋଲି କୁହାଯାଇଥିଲା।

ଏଠାରେ ସିଙ୍ଗିଲ୍‌ ୱିଣ୍ଡୋରେ ସବୁ କାମ କରାଯିବ ସହ ସମସ୍ତ ବିଷୟକୁ ଡିଜିଟାଇଜେସନ୍‌ କରାଯିବ ବେଲି ଘୋଷଣା ହୋଇଥଲା। ଏହାସହ ଲୋକଙ୍କ ବସିବା ପାଇଁ ଶୀତତାପ ନିୟନ୍ତ୍ରିତ ଅପେକ୍ଷା ପ୍ରକୋଷ୍ଠ, ପିଇବ‌ା ପାଣି, ଶୌଚାଳୟ ପରି ମୌଲିକ ସୁବିଧାର ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା। ହେଲେ ପାଭେଲିଅନ୍‌ ଉଦ୍‌ଘାଟନ ହେବାକୁ ୯ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଏବେ ସୁଦ୍ଧା କେବଳ ଆଧାରକାର୍ଡ କରିବା ଛଡା ସିଏମ୍‌ସିର ଅନ୍ୟ କୌଣସି ସୁବିଧା ଲୋକଙ୍କୁ ମିଳୁନାହିଁ। ସାଧାରଣ ଲୋକଙ୍କୁ ପୂର୍ବପରି ବିଭିନ୍ନ ଟିକସ ପୈଠ, ଜନ୍ମମୃତ୍ୟୁ ପଞ୍ଜୀକରଣ ପରି ବିଭିନ୍ନ କାମ ପାଇଁ ବିଜୁଭବନ କିମ୍ବା ବିକାଶ ଭବନକୁ ଯିବାକୁ ପଡୁଛି। ସହରବାସୀଙ୍କୁ ‌ବିଭିନ୍ନ ସେବା ଯୋଗାଇବା ‌କ୍ଷେତ୍ରରେ ନିଗମର ସର୍ଭିସ ପାଭେଲିଅନ୍‌ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ସହରବାସୀ ଅପେକ୍ଷାରେ ଅଛନ୍ତି।

ସମ୍ବନ୍ଧିତ ଖବର